ଭୁବନେଶ୍ୱର: ବରିଷ୍ଠ ତୀର୍ଥଯାତ୍ରୀଙ୍କ ପାଇଁ ରେଳର ଶୁଭାରମ୍ଭ । ଆଜି(ଶୁକ୍ରବାର) ସମ୍ବଲପୁର କ୍ଷେତରାଜପୁର ସ୍ଥିତ ସମ୍ବଲପୁର ରେଳ ଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ତୀର୍ଥଯାତ୍ରୀ ଟ୍ରେନକୁ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି l
ଗଡିଲା ବରିଷ୍ଠ ତୀର୍ଥଯାତ୍ରୀଙ୍କ ପାଇଁ ଟ୍ରେନ:
ଆଜି ସମ୍ବଲପୁରରୁ ଆରମ୍ଭ ହୋଇଥିବା ଏହି ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନ କୋଲକାତା ହୋଇ ଆସାମର କାମାକ୍ଷା ଉଦ୍ଦେଶ୍ୟରେ ଯାତ୍ରା କରିଛି l ତୀର୍ଥଯାତ୍ରୀମାନେ କୋଲକାତାର ଦକ୍ଷିଣକାଳୀ ମନ୍ଦିର ସହ କାମାକ୍ଷା ଦର୍ଶନ କରିବେ l ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତୀର୍ଥଯାତ୍ରୀଙ୍କ ପାଇଁ ଯାତ୍ରା ସହ ରହିବା, ଖାଇବାର ସବୁ ବ୍ୟବସ୍ଥା କରାଯାଇଛି l ଆଉ ମଧ୍ୟ ଯାତ୍ରୀଙ୍କ ପାଇଁ ଗସ୍ତ ଜଗୁଆଳି, ପଥ ପ୍ରଦର୍ଶକ, ଯାତ୍ରୀବୀମା ଓ ଚିକିତ୍ସା ସେବାର ବ୍ୟବସ୍ଥା କରାଯାଇଛି l ଏହାସହ ଯାତ୍ରୀଙ୍କୁ ସେମାନଙ୍କ ଗାଁରୁ ରେଳ ଷ୍ଟେସନକୁ ନେବା ଓ ଗାଁରେ ଛାଡିବା ଆଦିର ସବୁ ସୁବିଧା ରାଜ୍ୟ ସରକାର କରିଛନ୍ତି l
![Senior citizens pilgrimage train departs from Sambalpur](https://etvbharatimages.akamaized.net/etvbharat/prod-images/07-02-2025/od-sam-01-senior-citizen-pilgrims-train-start-avb-7202776_07022025171525_0702f_1738928725_320.jpg)
ତୀର୍ଥ ସ୍ଥାନ ଭ୍ରମଣ କରିବେ ୮ ହଜାର ଯାତ୍ରୀ:
ଆଜି ଏହି ଟ୍ରେନରେ ସମ୍ବଲପୁର, ଝାରସୁଗୁଡା, ବରଗଡ଼, ଦେବଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁରର 775 ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ଯାଇଛନ୍ତି l ଏଥିରେ ସମ୍ବଲପୁର ଜିଲ୍ଲାର 89, ବରଗଡ଼ ଜିଲ୍ଲାର 127,ଝାରସୁଗୁଡାର 50, ସୁନ୍ଦରଗଡ଼ର 180, ବଲାଙ୍ଗୀରର 141, ସୁବର୍ଣ୍ଣପୁରର 52 ଓ ଅନୁଗୋଳର 109 ଜଣ ଯାତ୍ରୀ ଅଛନ୍ତି । ଚଳିତ ବର୍ଷ ରାଜ୍ୟର 8000 ବରିଷ୍ଠ ନାଗରିକ ଦେଶର ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣ କରିବାର ସୁଯୋଗ ପାଇବେ l
ଟ୍ରେନ ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ
![Senior citizens pilgrimage train departs from Sambalpur](https://etvbharatimages.akamaized.net/etvbharat/prod-images/07-02-2025/od-sam-01-senior-citizen-pilgrims-train-start-avb-7202776_07022025171525_0702f_1738928725_423.jpg)
![Senior citizens pilgrimage train departs from Sambalpur](https://etvbharatimages.akamaized.net/etvbharat/prod-images/07-02-2025/od-sam-01-senior-citizen-pilgrims-train-start-avb-7202776_07022025171525_0702f_1738928725_320.jpg)
ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଲେ ବରିଷ୍ଠ ନାଗରିକ:
ଆଜିର ଏହି ତୀର୍ଥଯାତ୍ରୀ ଟ୍ରେନରେ ଯାତ୍ରା କରୁଥିବା ବରିଷ୍ଠ ନାଗରିକମାନେ ମଧ୍ୟ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିବା ସହ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି l ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲିର ଭିକାରି ଭୋଇ କହିଛନ୍ତି," ଏହା ମୋ ପାଇଁ ଏକ ବହୁତ ସୁନ୍ଦର ଅନୁଭୂତି l ଆମମାନଙ୍କ ଭିତରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବା ପାଇଁ ରାଜ୍ୟ ସରକାର ଏହି ସୁପଦକ୍ଷେପ ଗ୍ରହଣ କରିଛନ୍ତି l ଏଥିପାଇଁ ସରକାରଙ୍କୁ ବିଶେଷ ଧନ୍ୟବାଦ ।" ବରଗଡ଼ ଜିଲ୍ଲାର ଭଟଲି ବ୍ଲକର ଅନ୍ୟ ଜଣେ ବରିଷ୍ଠ ନାଗରିକ ଜୋତ୍ସ୍ନା ଆଚାର୍ଯ୍ୟ କହିଛନ୍ତି," ଏହା ରାଜ୍ୟ ସରକାରଙ୍କ ବହୁତ ଭଲ ପଦକ୍ଷେପ, ଆମକୁ ବହୁତ ଖୁସି ଲାଗୁଛି l"
![Senior citizens pilgrimage train departs from Sambalpur](https://etvbharatimages.akamaized.net/etvbharat/prod-images/07-02-2025/od-sam-01-senior-citizen-pilgrims-train-start-avb-7202776_07022025171525_0702f_1738928725_1093.jpg)
ଏହାମଧ୍ୟ ପଢନ୍ତୁ... ଶିରିଡିକୁ ଗଡିଲା ତୀର୍ଥଯାତ୍ରୀ ଟ୍ରେନ, ତୀର୍ଥରେ 800 ବରିଷ୍ଠ ନାଗରିକ କାଲି ମିଳିବ ସୁଭଦ୍ରା ଟଙ୍କା, ଯାଜପୁରରେ ଚତୁର୍ଥ ପର୍ଯ୍ୟାୟ କିସ୍ତି ଦେବେ ମୁଖ୍ୟମନ୍ତ୍ରୀ |
ଏହି କାର୍ଯ୍ୟକ୍ରମରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାଏକ, ପର୍ଯ୍ୟଟନ ସଚିବ ବଲଵନ୍ତ ସିଂ, ସମ୍ବଲପୁର ଜିଲ୍ଲାପାଳ, ଝାରସୁଗୁଡା ଏସପି ପ୍ରମୁଖ ଯୋଗ ଦେଇଥିଲେ l
![Senior citizens pilgrimage train departs from Sambalpur](https://etvbharatimages.akamaized.net/etvbharat/prod-images/07-02-2025/od-sam-01-senior-citizen-pilgrims-train-start-avb-7202776_07022025171525_0702f_1738928725_578.jpg)