ଭୁବନେଶ୍ୱର: ରାଜଧାନୀରେ ଟିମ୍ ଇଣ୍ଡିଆ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ଭାରତୀୟ ଏବଂ ଇଂଲଣ୍ଡ ଦଳର ଖେଳାଳି । ବିମାନ ବନ୍ଦରରୁ ସ୍ୱତନ୍ତ୍ର କରିଡରରେ ଯାଇଥିଲେ ତାରକା ହୋଟେଲକୁ । ଭୁବନେଶ୍ବର ତାରକା ହୋଟେଲରେ ଖେଳାଳିଙ୍କ ରହଣି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ଉତ୍ତରୀୟ ଦେଇ ସ୍ବାଗତ କରାଯାଇଥିଲା । ଆସନ୍ତାକାଲି (ଶନିବାର) କଟକ ବାରବାଟୀ ଷ୍ଟାଡିୟମରେ ଦୁଇ ଦଳର ଖେଳାଳି ଅଭ୍ୟାସ କରିବେ ।
ତାରକା ହୋଟେଲରେ ଖେଳାଳିଙ୍କ ରହିବା ବ୍ୟବସ୍ଥା
ତାରକା ହୋଟେଲରେ ଖେଳାଳିଙ୍କ ସ୍ୱାଗତ ପାଇଁ ଭବ୍ୟ ଆୟୋଜନ କରାଯାଇଥିଲା । ପାରମ୍ପରିକ ନୃତ୍ୟ ଗୀତ ଓ ପୁଷ୍ପ ବର୍ଷା ସହ ଖେଳାଳିମାନଙ୍କୁ ସ୍ୱାଗତ କରାଯାଇଛି । ଉଭୟ ଟିମର ଖେଳାଳିଙ୍କ ପାଇଁ ସ୍ବତନ୍ତ୍ର ଓଡ଼ିଆ ଖାଦ୍ୟର ବ୍ୟବସ୍ଥା ମଧ୍ୟ କରାଯାଇଛି ।
କଡା ସୁରକ୍ଷା ବଳୟରେ ଭୁବନେଶ୍ୱର ଏବଂ କଟକ
ଖେଳାଳିଙ୍କ ଗସ୍ତ ନେଇ ହୋଟେଲ ଠାରୁ ଆରମ୍ଭ କରି ବିମାନବନ୍ଦର ଓ ବାରବାଟୀ ଷ୍ଟାଡିୟମ ସହ କଟକ ଓ ଭୁବନେଶ୍ୱରରେ ଜୋରଦାର ପ୍ରସ୍ତୁତି କରାଯାଇଛି । ଟ୍ୱିନ-ସିଟିରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ଦାୟିତ୍ୱରେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି ।
ଆସନ୍ତାକାଲି ନେଟ ପ୍ରାକ୍ଟିସ:
ରବିବାର ଇଣ୍ଡିଆ-ଇଂଲଣ୍ଡ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ ଥିବା ବେଳେ ଆସନ୍ତାକାଲି ଉଭୟ ଟିମ ନେଟ ପ୍ରାକ୍ଟିସ ପାଇଁ ବାରବାଟୀ ଯିବେ । ସକାଳ ସମୟରେ ଗୋଟିଏ ଟିମ୍ ଓ ଉପରବେଳା ଅନ୍ୟ ଏକ ଟିମ୍ ପ୍ରାକ୍ଟିସ ପାଇଁ ଯିବେ । ୯ ତାରିଖ ଦିନ ଖେଳ ଯେହେତୁ ଉଭୟ ଟିମ୍ ଏକ ସମୟରେ ହୋଟେଲରୁ ବାହାରି ଷ୍ଟାଡିୟମରେ ପହଞ୍ଚିବେ ଓ ଷ୍ଟାଡିୟମରୁ ବାହାରି ହୋଟେଲରେ ମଧ୍ୟ ପହଞ୍ଚିବେ ।
ରବିବାର ଇଂଲଣ୍ଡ-ଇଣ୍ଡିଆ ଫାଇଟ୍:
6 ବର୍ଷ ପରେ ବାରବାଟୀକୁ ଫେରୁଛି ଅନ୍ତର୍ଜାତୀୟ କ୍ରିକେଟ । ଭାରତ-ଇଂଲଣ୍ଡ ମଧ୍ୟରେ ଦିନିକିଆର ସିରିଜର ପ୍ରଥମ ମ୍ୟାଚ ନାଗପୁରରେ ଖେଳାଯିବା ପରେ ଦ୍ୱିତୀୟ ମ୍ୟାଚ ଆସନ୍ତା 9 ତାରିଖରେ ବାରବାଟୀରେ ଖେଳାଯିବ । ରବିବାର କଟକ ବାରବାଟୀରେ ଭାରତ-ଇଂଲଣ୍ଡ ଦ୍ବିତୀୟ ମ୍ୟାଚ । ଗତକାଲି ନାଗପୁରରେ ଖେଳାଯାଇଥିଲା ଦିନିକିଆ ସିରିଜର ପ୍ରଥମ ମ୍ୟାଚ ।
ଇଟିଭି ଭାରତ, ଭୁବନେଶ୍ୱର