ଗଜପତି: ଗଜପତି ଜିଲ୍ଲାର ଦୁଇ ନିର୍ବାଚନ ମଣ୍ଡଳୀ ମୋହନା ଏବଂ ପାରଳାଖେମୁଣ୍ଡି ପାଇଁ ଦୁଇ ଜଣ ସ୍ବାଧୀନ ପ୍ରାର୍ଥୀ ଭାବେ ନିଜର ନାମାଙ୍କନ ଦାଖଲ କରିଛନ୍ତି । ପାରଳାଖେମୁଣ୍ଡି ଆସନ ପାଇଁ ସାମ୍ବାଦିକ ତଥା ମାଇନରିଟି ଫୋରମର ଗଜପତି ଜିଲ୍ଲା ଆବାହକ ଆମୋଦ କୁମାର ବର୍ଦ୍ଧନ ନିଜର ସମର୍ଥକଙ୍କ ସହ ଯାଇ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ବିଜେଡିରୁ ଇସ୍ତଫା ଦେଇଥିବା ଆଦିବାସୀ ଯୁବନେତା ମଜେସ ଦଳବେହେରା ମୋହନା ନିର୍ବାଚନ ମଣ୍ଡଳୀରୁ ସ୍ବାଧିନ ପ୍ରାର୍ଥୀ ଭାବେ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।
ଆଜି ପ୍ରାର୍ଥୀପତ୍ର ଦାଖଲ କରିଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ଆଦିବାସୀ ସଂପ୍ରଦାୟର ହୋଇଥିବା ବେଳେ ଅନ୍ୟଜଣେ ଖ୍ରୀଷ୍ଟିୟାନ ସଂପ୍ରଦାୟର । ତେଣୁ ଏହି ଦୁଇ ପ୍ରାର୍ଥୀ ଉଭୟ ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ ଏହି ନିର୍ବାଚନରେ ପ୍ରାର୍ଥୀ ହୋଇଥିବା କହିଛନ୍ତି । ଗଜପତି ଜିଲ୍ଲାରେ ବିଶେଷ କରି ଅଣସଂରକ୍ଷିତ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ବହୁ ସଂଖ୍ୟାରେ ଦଳିତ ଆଦିବାସୀ ଓ ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକେ ରହିଥିଲେ ମଧ୍ୟ ସେମାନଙ୍କୁ କୌଣସି ଦଳ ଗୁରୁତ୍ବ ଦେଉନାହାନ୍ତି କି ପ୍ରାର୍ଥୀ କରୁନାହାନ୍ତି ବୋଲି ଉଭୟ ଅଭିଯୋଗ କରିଛନ୍ତି । ତେଣୁ ସେମାନଙ୍କ ଉନ୍ନତି ସଠିକ ଭାବେ ହୋଇପାରୁନାହିଁ । ଏହାକୁ ଦୃଷ୍ଟିରେ ରଖି ଗତ କିଛିଦିନ ତଳେ ମାଇନରିଟି ଫୋରମ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ କ୍ଷୋଭ ପ୍ରକାଶ କରାଯାଇଥିଲା ।
ତେବେ ଚଳିତ ନିର୍ବାଚନରେ ଜିତିଲେ ଅନେକ ଲକ୍ଷ୍ୟ ରଖିଥିବହା କହିଛନ୍ତି ସ୍ବାଧିନ ପ୍ରାର୍ଥୀ ଭାବେ ନୋମିନେସନ ଦାଖଲ କରିଥିବା ଆମୋଦ କୁମାର ବର୍ଦ୍ଧନ । ସେ ନିଜ ସହିତ ଏକ ପ୍ରତିଜ୍ଞା ପତ୍ର ମଧ୍ୟ ଧରିଛନ୍ତି । ଏଥିରେ ରହିଛି, ଗଜପତି ଜିଲ୍ଲା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଦ୍ବାରା ଏକ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ଘୋଷଣା କରିବା । ସେ କହିଛନ୍ତି, "ଗଜପତି ହେଉଛି ଓଡ଼ିଶା ପ୍ରଦେଶ ଗଠନର ମୂଳଦୁଆ । କିନ୍ତୁ ମାହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କ ଦେହାନ୍ତ ପରେ ଜିଲ୍ଲାକୁ ସମ୍ପୂର୍ଣ୍ଣ ରୂପେ ଆବହେଳା ଓ ଅଣଦେଖା କରାଯାଇଛି । ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ପ୍ରମୁଖ ଶିଳ୍ପ ଏବଂ କାରଖାନା ସ୍ଥାପନ କରିବା, ଯାହାଦ୍ବାରା ଜିଲ୍ଲାର ପ୍ରତ୍ୟେକ ବ୍ୟକ୍ତି ରୋଜଗାର ପାଇବେ ଏବଂ ଦାଦନ ସମସ୍ୟାର ସମାଧାନ ହୋଇପାରିବ । କାରଣ ଜିଲ୍ଲାରେ ଦାଦନ ଶ୍ରମିକ ମୃତ୍ୟୁ ଦିନକୁଦିନ ତୀବ୍ର ଗତିରେ ବୃଦ୍ଧି ପାଉଛି ।"