କୋରାପୁଟ: ଜିଲ୍ଲାର ଆଦିବାସୀ ମହିଳାମାନଙ୍କୁ ରୋଜଗାର ବୃଦ୍ଧିର ବାଟ ଦେଖାଇଛି ଝାଡୁ । ପୂର୍ବରୁ ମହିଳା ମାନେ ଘର କାମ କିମ୍ବା କୁଲି ମଜୁରୀ ଲାଗିବା ପାଇଁ ବାହାରକୁ ଯାଉଥିଲେ । କିନ୍ତୁ ଏବେ କୋରାପୁଟ ଜ଼ିଲ୍ଲାର ବିଭିନ୍ନ ଏସଏଚଜି ଗ୍ରୁପରେ ସେମାନେ ସାମିଲ ହୋଇ ଝାଡୁ ତିଆରି କରି ପ୍ରତିଦିନ 200 ରୁ 300 ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି l ଖାସ କରି କୋରାପୁଟ, ନାରାୟଣପାଟଣା, ସେମିଲିଗୁଡାର ପୁଟସିଲ ଅଞ୍ଚଳରେ ଝାଡୁ ଚାଷ କରାଯାଉଛି । ପୂର୍ବରୁ ଜଙ୍ଗଲକୁ ଯାଇ ଝାଡୁ ସଂଗ୍ରହ କରୁଥିବା ବେଳେ ଏବେ ନିଜ ଜମିରେ ମଧ୍ୟ ଚାଷ କରିବା ଆରମ୍ଭ ହୋଇଛି । ଓରମାସ ତରଫରୁ ବିଭିନ୍ନ ଅଞ୍ଚଳରେ ଏସଏଚଜି ମହିଳା ମାନଙ୍କ ଦ୍ବାରା ପ୍ରସ୍ତୁତ ଝାଡୁ ଗୁଡିକୁ ସଂଗ୍ରହ କରାଯାଉଛି ।
ଏଯାବତ୍ କୋରାପୁଟ ଜିଲ୍ଲା ବିଭିନ୍ନ ଜାଗାରୁ 10 ମେଟ୍ରିକ ଟନ ଝାଡୁ ସଂଗ୍ରହ ହୋଇ ସାରିଲାଣି । ଓରମାସ୍ ପକ୍ଷରୁ କେଜି ପିଛା 50 ଟଙ୍କା ଲେଖାଏଁ ଝାଡୁ କ୍ରୟ କରାଯାଉଛି । କୋରାପୁଟିଆ ଝାଡୁର ଦିନକୁ ଦିନ ପଡୋଶୀ ରାଜ୍ୟରେ ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ପଡୋଶୀ ରାଜ୍ୟ ଛତିଶଗଡର ଜଗଦଲପୁର, ମହାରାଷ୍ଟ୍ରର ନାଗପୁର ଭଳି ସ୍ଥାନକୁ କୋରାପୁଟ ଝାଡୁ ରପ୍ତାନି କରାଯାଉଛି । ଓରମାସ ତରଫରୁ ସଂଗ୍ରହ କରାଯାଇଥିବା 10 ମେଟ୍ରିକ ଟନ ଝାଡୁରୁ 80 ଭାଗ ବାହାର ରାଜ୍ୟକୁ ରପ୍ତାନି କରାଯିବାର ଯୋଜନା ରହିଛି । ଏସଏଚଜି ମହିଳା ମାନେ ଝାଡୁ, ଗୁଡ, ମାଣ୍ଡିଆ ଭଳି କୋରାପୁଟ ଜିଲ୍ଲାରେ ଉତ୍ପାଦିତ ହେଉଥିବା ସାମଗ୍ରୀକୁ ନେଇ ଭୁବନେଶ୍ବର, ପୁରୀ ଭଳି ଅନେକ ଜିଲ୍ଲାର ପଲ୍ଲୀଶ୍ରୀ ମେଳାରେ ବିକ୍ରି କରୁଛନ୍ତି । ଏସଏଚଜି ଗ୍ରୁପ ମାଧ୍ୟମରେ ମହିଳା ମାନଙ୍କୁ ସ୍ବାବଲମ୍ବୀ କରିଥିବାରୁ ମହିଳାମାନେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।