ପୁରୀ: ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କଲେ ବାଗେଶ୍ୱର ଧାମ ବାବା ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ । ପୁରୀରେ ତାଙ୍କର 5 ଦିନିଆ ପ୍ରବଚନ କାର୍ଯ୍ୟକ୍ରମ ରହିଛି । ଏଥି ପାଇଁ ଗତକାଲି ପୁରୀରେ ପହଞ୍ଚି ପ୍ରଥମେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ । ଭାରତକୁ ହିନ୍ଦୁ ରାଷ୍ଟ୍ର କରିବା ପାଇଁ ମହାପ୍ରଭୁଙ୍କ ନିକଚରେ ପ୍ରାର୍ଥନା କରିଥିଲେ ବାଗେଶ୍ୱର ଧାମ ବାବା । ଆଗାମୀ ଦିନରେ ଜଗନ୍ନାଥ ଧାମରେ ଏକ ଭାଗବତ କଥା, ହନୁମାନ ଚାଳିଶା କଥା ନେଇ ଏକ ବଡ କାର୍ଯ୍ୟକ୍ରମ କରାଯିବ ବୋଲି କହିଛନ୍ତି ସେ ।
ମହାପ୍ରଭୁଙ୍କ ଦଜର୍ଶନ କଲେ ବାଗେଶ୍ୱର ଧାମ ବାବା:
ଶନିବାର ପୁରୀରେ ପହଞ୍ଚିବା ପରେ ରାତିରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ । ଶ୍ରୀମନ୍ଦିରକୁ ଯିବା ପୂର୍ବରୁ ବ୍ୟାରିକେଡରେ ଅପେକ୍ଷା କରିଥିବା ଭକ୍ତଙ୍କୁ ଅଭିବାଦନ ଜଣାଇଥିଲେ। ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ ତାଙ୍କୁ ମହାପ୍ରଭୁଙ୍କ ଖଣ୍ଡୁଆ ଦେଇ ଭିତରକୁ ପାଛୋଟି ନେଇଥିଲେ। ଶ୍ରୀମନ୍ଦିର ଭିତରେ ପ୍ରାୟ 20 ମିନିଟ୍ ରହିଥିଲେ। ଘଣ୍ଟିଦ୍ବାର ଦେଇ ସେ ପ୍ରବେଶ କରି ଜୟବିଜୟ ଦ୍ୱାର ନିକଟରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପରେ ମା ବିମଳାଙ୍କ ମନ୍ଦିର, କାନପତା ହନୁମାନଙ୍କ ମନ୍ଦିର, ଲକ୍ଷ୍ମୀଙ୍କ ମନ୍ଦିରରେ ଦର୍ଶନ କରିବା ପରେ ମହାପ୍ରସାଦ ସେବନ କରିଥିଲେ।
'ହିନ୍ଦୁ ରାଷ୍ଟ୍ର ଗଠନ ନେଇ ପ୍ରାର୍ଥନା କଲି':
ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟାରେ ବାଗେଶ୍ଵର ବାବା କହିଥିଲେ, ''ପବିତ୍ର ପୁରୀ ଧାମକୁ ମୁଁ 5 ଦିନିଆ ପ୍ରବଚନ କାର୍ଯ୍ୟକ୍ରମରେ ଆସିଛି। ବାଗେଶ୍ଵର ଧାମର 2 ଶହ ପରିବାର ଚାରି ଧାମ ଯାତ୍ରା କରୁଛନ୍ତି। ପ୍ରବଚନ କାର୍ଯ୍ୟକ୍ରମ ପାଇଁ ଆମେ ଏକ ହୋଟେଲରେ ବ୍ୟବସ୍ଥା କରିଛୁ। ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ବାଗେଶ୍ଵର ଧାମ ଚ୍ୟାନେଲରେ କରାଯିବ। ଆଗାମୀ ଦିନରେ ଜଗନ୍ନାଥ ଧାମରେ ଏକ ବିଶାଳ ସ୍ଥାନରେ ଭଗବତ କଥା, ହନୁମାନ ଚାଳିଶା କଥା ନେଇ ଏକ ବଡ କାର୍ଯ୍ୟକ୍ରମ କରାଯିବ। ମହାପ୍ରଭୁଙ୍କୁ ଦର୍ଶନ କରି ହିନ୍ଦୁ ରାଷ୍ଟ୍ର ଗଠନ ନେଇ ପ୍ରାର୍ଥନା କଲି। ଏହି ଧାମରେ ଲଭ୍ ଜିହାଦ, ଧର୍ମାନ୍ତିକରଣକୁ ବନ୍ଦ କରିବା ନେଇ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଛି। ଗୋମାତାଙ୍କ ସୁରକ୍ଷା ନିହାତି ଜରୁରୀ। ଏହା ଦ୍ବାରା ହିଁ ଭାରତ ହିନ୍ଦୁ ରାଷ୍ଟ୍ର ହୋଇ ପାରିବ। ମହାପ୍ରଭୁଙ୍କ ମହାପ୍ରସାଦର ମହିମା ବିଷୟରେ ମଧ୍ୟ ଆମ ସତସଙ୍ଗରେ ଆଲୋଚନା ହେବ । ଓଡ଼ିଶାରେ ଗୋ ହତ୍ୟା ବଢ଼ି ଚାଲିଛି। ଏହି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ହେବା ଉଚିତ୍। ଜଗନ୍ନାଥଙ୍କ ଦରବାରରେ ବାର୍ତ୍ତା ଦେଉଛି ଏଠାରେ କେହି ବଡ ନୁହନ୍ତି କି କେହି ଛୋଟ ନୁହନ୍ତି। ସମସ୍ତେ ଏକାଠି ହୋଇ ଶ୍ରୀମନ୍ଦିରରେ ମହାପ୍ରସାଦ ସେବନ କରନ୍ତି। ଆମେ ହିନ୍ଦୁଙ୍କୁ ଜାଗ୍ରତ କରିବା ସହ ଧର୍ମ ଦ୍ରୋହିଙ୍କୁ ଉଚିତ୍ ଜବାବ ଦେବୁ। ''
ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ କହିଛନ୍ତି, ''କୋଟି କୋଟି ଲୋକଙ୍କ ହୃଦୟରେ ସ୍ଥାନ ପାଇଥିବା ବାଗେଶ୍ବର ବାବା ଶ୍ରୀ ମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ପ୍ରଥମେ ସେ ପ୍ରଭୁ ପତିତପାବନଙ୍କୁ ଦର୍ଶନ କରି ଶ୍ରୀ ମନ୍ଦିର ଭିତରେ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କହିଥିଲେ। ଦୀପ ଦେଇ ଆଳତୀ କରିବା ସହ ପୂଜାର୍ଚ୍ଚନା କରିଥଲେ। ପରେ ବଟ ଗଣେଶଙ୍କୁ ଦର୍ଶନ କରି ମୁକ୍ତି ମଣ୍ଡପ ଯାଇ ବ୍ରାହ୍ମ ଙ୍କ ଆଶୀର୍ବାଦ ନେଇଥିଲେ। ପରେ ମା ବିମଳା ପରେ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିଥିଲେ। ସେଠାରେ ମହାପ୍ରସାଦ ସେବନ କରିଥିଲେ। ମହାଲକ୍ଷ୍ମୀଙ୍କ ମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ନୀଳଚକ୍ରକୁ ଦର୍ଶନ ସହ ଆଳତୀ କରିଥିଲେ। ''
ଇଟିଭି ଭାରତ, ପୁରୀ