ପୁରୀ: ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ନାଟମଣ୍ଡପ ଭିତରେ ଧାଡ଼ିଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି । ଧାଡ଼ିଦର୍ଶନ ବ୍ୟବସ୍ଥା କିଭଳି କାର୍ଯ୍ୟକାରୀ କରାଯାଇପାରିବ, ଏହାଦ୍ବାରା ମହାପ୍ରଭୁଙ୍କର ନୀତିକାନ୍ତି ଯେଭଳି ପ୍ରଭାବିତ ନହୁଏ ତାହା ଉପରେ ଗୁରୁତ୍ବ ଦେଉଛି ଶ୍ରୀମନ୍ଦିର ପ୍ରଶାସନ । ନୂଆବର୍ଷରେ ଶ୍ରୀମନ୍ଦିରରେ ଅଧିକ ଭିଡ଼ ହେବାକୁ ଥିବା ବେଳେ ୨୮ କିମ୍ବା ୨୯ ତାରିଖରେ ପରୀକ୍ଷାମୂଳକ ଧାଡ଼ିଦର୍ଶନ ବ୍ୟବସ୍ଥା କରାଯିବ । ଯଦି ଏହା ସଫଳ ହୁଏ ତେବେ ନୂଆବର୍ଷରୁ ଏହାକୁ ଲାଗୁ କରାଯିବ । ଶ୍ରୀମନ୍ଦିରରେ ଧାଡ଼ିଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପୂର୍ବରୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମୀକ୍ଷା ବୈଠକରେ ଏନେଇ ଆଲୋଚନା କରାଯାଇଛି ।
ଧାଡ଼ିଦର୍ଶନ ଟ୍ରାଏଲ୍ ରନ୍:
ବୈଠକରେ ନିଷ୍ପତ୍ତି ଅନୁଯାୟୀ, ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ପୂର୍ବରୁ ଆସନ୍ତା ଡିସେମ୍ବର 28 କିମ୍ବା 29 ତାରିଖରେ ଏକ ଟ୍ରାଏଲ୍ ରନ୍ କରାଯିବ । ପରୀକ୍ଷାମୂଳକ ଭାବେ ଭକ୍ତମାନଙ୍କୁ ଧାଡ଼ି ଦର୍ଶନରେ ଛଡ଼ାଯିବ । ପରେ ଏହି ଦର୍ଶନ ବ୍ୟବସ୍ଥା ଦ୍ବାରା କ'ଣ ସବୁ ତ୍ରୁଟି ବିଚ୍ୟୁତି ରହିଛି ତା'ର ସମୀକ୍ଷା କରାଯିବ । ଏନେଇ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ଯଦି ପରୀକ୍ଷାମୂଳକ ଭାବରେ ହେବାକୁ ଥିବା ଧାଡ଼ିଦର୍ଶନରେ କୌଣସି ସମସ୍ୟା ହୁଏ ତେବେ ଜାନୁଆରୀ 1 ତାରିଖ ପରେ ଶ୍ରୀମନ୍ଦିର ନାଟମଣ୍ଡପ ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ । ଯଦି ଟ୍ରାଏଲ ରନ ସଫଳ ହୁଏ ତେବେ ନୂଆବର୍ଷରୁ ନାଟମଣ୍ଡପ ଧାଡ଼ିଦର୍ଶନ ଆରମ୍ଭ କରାଯିବ ।
Trial Run Of New Dhadi Darshan System (ETV Bharat Odisha) ଟ୍ରାଏଲ୍ ରନ୍ ସଫଳ ହେଲେ ନୂଆବର୍ଷରୁ କାର୍ଯ୍ୟକାରୀ:
ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, "ଆମେ ଶ୍ରୀମନ୍ଦିର ଭିତରେ ଧାଡ଼ି ଦର୍ଶନ ନେଇ ଅନୁଷ୍ଠିତ ହୋଇଥିବା ସମୀକ୍ଷା ବୈଠକରେ ଶ୍ରୀମନ୍ଦିର ପ୍ରତିହାରୀ ନିଯୋଗର ବରିଷ୍ଠ ସେବାୟତଙ୍କ ପରାମର୍ଶ ନେଇଛୁ । ଅନ୍ୟ ସେବାୟତ ନିଯୋଗ ସହ ମଧ୍ୟ ଆଲୋଚୋନା କରାଯିବ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ମଧ୍ୟ ଗଠନ ହୋଇଛି । ଧାଡି ଦର୍ଶନ ବ୍ୟବସ୍ଥା ଦ୍ବାରା ମହାପ୍ରଭୁଙ୍କ ନୀତିକାନ୍ତି ଯେଭଳି ପ୍ରଭାବିତ ନ ହେବ ସେ ନେଇ ସେବାୟତମାନେ ପରାମର୍ଶ ଦେଇଛନ୍ତି । ବୈଠକର ନିଷ୍ପତ୍ତି ଅନୁଯାୟୀ, ନୂଆ ବର୍ଷରୁ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରିବା ପୂର୍ବରୁ ଆସନ୍ତା ଡ଼ିସେମ୍ବର 28 କିମ୍ବା 29 ତାରିଖରେ ଟ୍ରାଏଲ ରନ କରାଯିବ । ଡ଼ିସେମ୍ବର 31 ଓ ଜାନୁଆରୀ 1 ତାରିଖରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ଭିଡ ଜମିବ । ଧାଡ଼ି ଦର୍ଶନ ହଠାତ୍ ଲାଗୁ କରାଗଲେ ସମସ୍ୟା ସୃଷ୍ଟି ହେବ । ତେଣୁ ଧାଡ଼ି ଦର୍ଶନ କାର୍ଯ୍ୟକାରୀ କରାଯିବ ପୂର୍ବରୁ ପୂର୍ଣ୍ଣ ପ୍ରସ୍ତୁତି ହୋଇ ଏହା କାର୍ଯ୍ୟକାରୀ କରାଯିବ । ଏହାକୁ ତରବରିଆ ଭାବେ ଲାଗୁ କରାଗଲେ ଭକ୍ତମାନେ ହୁଏତ ଏହାର ସୁଫଳ ନ ପାଇ ପାରନ୍ତି । ଏହା ପୂର୍ବରୁ ପରୀକ୍ଷାମୂଳକ ଭାବେ ଏହାକୁ କରାଯାଇ ଏହାର ସୁବିଧା ଅସୁବିଧାକୁ ସମୀକ୍ଷା କରାଗଲା ପରେ ଜାନୁଆରୀ ମାସରେ ହିଁ ନୂଆ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଆମେ ନିଷ୍ପତ୍ତି ନେଇଛୁ । ଶ୍ରୀମନ୍ଦିରରେ ନୂଆ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରାଯିବ ପୂର୍ବରୁ ଏହାର ତର୍ଜମା କରାଯାଇ କାର୍ଯ୍ୟକାରୀ କରାଯିବ । ସେବାୟତମାନେ ମଧ୍ୟ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ସ୍ବାଗତ କରିଛନ୍ତି ।
Dhadi Darshan System (ETV Bharat Odisha) ନୀତିକାନ୍ତି ପ୍ରଭାବିତ ନହେବା ଉପରେ ଗୁରୁତ୍ବ:
ଶ୍ରୀମନ୍ଦିର ପ୍ରତିହାରୀ ନିଯୋଗର ବରିଷ୍ଠ ସେବାୟତମାଧବ ଚନ୍ଦ୍ର ମହାପାତ୍ର କହିଛନ୍ତି, "ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନେକ ନୀତିକାନ୍ତି ରହିଛି । ତେଣୁ ନୀତିକାନ୍ତି ସମୟରେ ଅସ୍ଥାୟୀ ବ୍ୟାରିକେଡ଼କୁ କିଭଳି ଅପସାରଣ କରାଯିବ ସେନେଇ ଆଲୋଚୋନା କରାଯାଇଛି । ପ୍ରତିହାରୀ ସେବକମାନେ କିଭଳି ଅଧିକ ମୁତୟନ ହୋଇ ଭକ୍ତଙ୍କ ଭିଡକୁ କିଭଳି ନିୟନ୍ତ୍ରଣ କରିବେ ସେନେଇ ଆଲୋଚୋନା ହୋଇଛି । ମହାପ୍ରଭୁଙ୍କ ଅନେକ ନୀତି ଥିବାରୁ ଧାଡ଼ି ଦର୍ଶନ କାର୍ଯ୍ୟକାରୀ କରାଯିଵା ପୂର୍ବରୁ ଅନ୍ୟ ସେବାୟତ ନିଯୋଗ ସହ ଆଲୋଚୋନା ପାଇଁ ଆମେ ପରାମର୍ଶ ଦେଇଛୁ । ଆସନ୍ତା 28 କିମ୍ବା 29 ତାରିଖରେ ଏ ନେଇ ଏକ ପରୀକ୍ଷାମୂଳକ ଧାଡ଼ି ଦର୍ଶନ କରାଯିବ । ଏହାକୁ ସମୀକ୍ଷା କରାଯାଇ କ'ଣ ସବୁ ନୂଆ ବ୍ୟବସ୍ଥା ଯୋଡ଼ି ହେବ ତାହା ଆଲୋଚୋନା ପରେ ଏହାକୁ ଲାଗୁ କରାଯିବ । ଜାନୁଆରୀ 1 ତାରିଖରେ ଏହାକୁ ଲାଗୁ କରାନଯାଇ ଆହୁରି ଅଧିକ ସମୟ ନିଆଯାଇ ଭଲରେ ସବୁ ବ୍ୟବସ୍ଥା ହୋଇ ଏହାକୁ କାର୍ଯ୍ୟକାରୀ କରାଯାଉ । ବୃଦ୍ଧ ଲୋକଙ୍କ ସହିତ ତାଙ୍କ ପରିବାର ଲୋକଙ୍କୁ ଛଡ଼ା ଯିବା ସହ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ପାଇଁ ଆମେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଅବଗତ କରିଛୁ । ସେବାୟତଙ୍କ ଯାତ୍ରୀ ପରିଚର୍ଯ୍ୟା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ପାଇଁ ଆମେ ଦାବି ରଖିଛୁ । ଧାଡ଼ି ଦର୍ଶନ ବ୍ୟବସ୍ଥାକୁ କିଭଳି ସଫଳ ଭାବେ କାର୍ଯ୍ୟକାରୀ କରାଯାଇ ପାରିବ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା କମିଟି ବ୍ୟାପକ ତର୍ଜମା କରି ଆସନ୍ତା 3 ଦିନ ଭିତରେ ଏହାର ସ୍ପଷ୍ଟୀକରଣ ରଖିବେ ।"
Dhadi Darshan System (ETV Bharat Odisha) ବ୍ୟାରିକେଡ଼ରେ ଭକ୍ତଙ୍କ ପାଇଁ 6ଟି ଲାଇନ:
ଶ୍ରୀମନ୍ଦିରର ବରିଷ୍ଠ ସେବାୟତ କେଦାର ନାଥ ଖୁଣ୍ଟିଆ କହିଛନ୍ତି, "ଶ୍ରୀମନ୍ଦିର ପ୍ରଶାସନ 2 ଘଣ୍ଟା ଧରି ଧାଡ଼ି ଦର୍ଶନ ନେଇ ଆମ ପ୍ରତିହାରୀ ନିଯୋଗ ସହ ଆଲୋଚୋନା କରିଛନ୍ତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନେକ ନୀତି ରହିଛି । ନୂତନ ଭାବେ ଲାଗୁ ହେବାକୁ ଥିବା ଧାଡ଼ି ଦର୍ଶନ ଦ୍ବାରା ଯେପରି ନୀତିକାନ୍ତି ପ୍ରଭାବିତ ନ ହୁଏ ସେନେଇ ଶ୍ରୀମନ୍ଦିର ପ୍ରଶାସନକୁ ତଥ୍ୟ ଦେଇଛୁ । ଶ୍ରୀମନ୍ଦିର ପ୍ରଶାସନ ଏହାକୁ ଗ୍ରହଣ କରିଛି । ମହାପ୍ରଭୁଙ୍କ ନୀତିକାନ୍ତି ପୂର୍ବରୁ ଅସ୍ଥାୟୀ ରାମ୍ପ ଓ ବ୍ୟାରିକେଡ଼ 10 ମିନିଟରେ ଖୋଲାଯାଇ ପାରିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ଆମକୁ ତଥ୍ୟ ଦେଇଛନ୍ତି । ନାଟ ମଣ୍ଡପରେ ଅସ୍ଥାୟୀ ବ୍ୟାରିକେଡ଼ରେ ଭକ୍ତଙ୍କ ପାଇଁ 6ଟି ଲାଇନ ରହିବ । ପ୍ରଥମ ଧାଡି ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ହୋଇଛି । ଦ୍ଵିତୀୟ ଧାଡ଼ି ଛୋଟ ପିଲା ଓ ମହିଳାଙ୍କ ପାଇଁ ହୋଇଛି । ଅନ୍ୟ 4ଟି ଧାଡି ସାଧାରଣ ଭକ୍ତଙ୍କ ପାଇଁ ହୋଇଛି । ଆସନ୍ତା 28 କିମ୍ବା 29 ତାରିଖରେ ଏହାକୁ ପରୀକ୍ଷା ମୂଳକ ଭାବେ କାର୍ଯ୍ୟକାରୀ କରାଯିବ । ତରବରିଆ ଭାବେ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରାନଯାଇ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯାଇ ତାହାର ଅନୁଧ୍ୟାନ କରାଯାଉ ବୋଲି ଆମର ପ୍ରସ୍ତାବ ରହିଛି । ଏହା ସଫଳ ହେଲେ କିଛି ଦିନ ପରେ ଲାଗୁ କରାଯାଉ । ଜାନୁଆରୀ 1 ତାରିଖରେ ବହୁତ ଭକ୍ତଙ୍କ ଭିଡ ହେବା ସମ୍ଭାବନା ଥିବାରୁ ଏହାକୁ ଜାନୁଆରୀ 1 ତାରିଖରେ ଲାଗୁ କରା ନ ଯାଇ 10ରୁ 15 ଦିନ ପରେ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉ ।"
ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପୂର୍ବରୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମୀକ୍ଷା ବୈଠକରେ ପୁରୀ ଜିଲ୍ଲାପାଳ, ଏସପି, ପ୍ରତିହାରୀ ନିଯୋଗର କର୍ମକର୍ତ୍ତା, ଶ୍ରୀମନ୍ଦିରର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ପୁରୀ