ଭୁବନେଶ୍ବର:ଆସନ୍ତା ସାଧାରଣ ନିର୍ବାଚନ ଡ୍ୟୁଟିରେ ସାମିଲ ହେବେ ୫୭ ଟ୍ରେନି IPS। ଏଥିପାଇଁ ୧୬ ଜଣ ମହିଳା ଓ ୪୧ ଜଣ ପୁରୁଷ ଯୁବ IPS ତାଲିମ ନେଇଛନ୍ତି। ପୋଲିସ ସେବା ଭବନରେ ତାଲିମ ପ୍ରଦାନ କରିଛନ୍ତି ସିନିୟର ପୋଲିସ ଅଫିସର । ପୋଲିସ ଡିଜି କହିଛନ୍ତି, "ଏମାନେ ସର୍ଦ୍ଦାର ବଲ୍ଲଭ ଭାଇ ପୋଲିସ ଏକାଡେମୀ ହାଇଦ୍ରାବାଦରୁ ଆସିଛନ୍ତି । ନିର୍ବାଚନ ସମୟରେ ନିର୍ବାଚନୀ ଅଭିଜ୍ଞତା ନେବା ପାଇଁ ବିଭିନ୍ନ ରାଜ୍ୟକୁ ପଠାଯାଇଛି ଟିମ୍ । ଏହି ପରିପ୍ରେକ୍ଷୀରେ 57 ଜଣ ଯୁବ ଟ୍ରେନି ଆଇପିଏସd ଓଡ଼ିଶା ଆସିଛନ୍ତି । ଆସନ୍ତା ୧୩ ତାରିଖ ଦିନ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ଜିଲ୍ଲାମାନଙ୍କୁ ସେମାନଙ୍କୁ ପଠାଯିବ । ପୂର୍ବରୁ ସେମାନେ ମଧ୍ୟ ଇଲେକ୍ସନ କମିଶନ ଅଫ ଇଣ୍ଡିଆ ରାଜ୍ୟ ଅଫିସରେ ମଧ୍ୟ ଇଲେକ୍ସନ ମୋରାଲିଟି କୋଡ୍ ଅଫ କଣ୍ଡକ୍ଟ ସମ୍ପର୍କରେ ତାଲିମ ଦେଇଛନ୍ତି । ପୋଲିସ ସେବା ଭବନରେ ମଧ୍ୟ ତାଙ୍କୁ ବିଶେଷ ଭାବରେ ସୂଚନା ଦିଆଯାଇଛି । ଏବେଠୁ ସେମାନେ ଜିଲ୍ଲାରେ ଯାଇ ପ୍ରସ୍ତୁତ ହେବେ ।"
ଡିଜି ଆହୁରି କହିଛନ୍ତି "ସେଠାରେ ଏସପି ଓ କଲେକ୍ଟରଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ନିର୍ବାଚନ ସମୟରେ କିପରି ପରିଚାଳନା କରାଯାଏ ସେନେଇ ଜ୍ଞାନ ଆହରଣ କରିବେ। ଅବଜରଭର ହିସାବରେ କିପରି ମୋବାଇଲ ୟୁନିଟ ମନିଟର ହୁଏ, ଏସଏସଟି କ'ଣ, କୋଡ୍ ଅଫ କଣ୍ଡକ୍ଟ କ'ଣ ? କେତେ ଦିଗ ପ୍ରତି ଲାଗୁ ହୁଏ ସେସବୁ ସମ୍ପର୍କରେ ଅଭିଜ୍ଞତା ପାଇବେ । ତେବେ ପ୍ରଥମ ପର୍ଯ୍ୟାୟରେ ନବରଙ୍ଗପୁର, କଳାହାଣ୍ଡି, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ନୂଆପଡ଼ା ଜିଲ୍ଲାରେ ଭୋଟ ଗ୍ରହଣ ହେବ। ତେଣୁ ସେସବୁ ଜିଲ୍ଲା ମଧ୍ୟରୁ ଆନ୍ଧ୍ର ଓ ଛତିଶଗଡ ସୀମାବର୍ତ୍ତୀ ଜିଲ୍ଲାରେ ୪ଟି ଜିଲ୍ଲା ରହିଛି । ବିଶେଷ କରି ନୂଆପଡା, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ନକ୍ସଲ ଗତିବିଧିକୁ ଦୃଷ୍ଟିରେ ରଖି ନିର୍ବାଚନ ପ୍ରସ୍ତୁତି ଜୋରସୋର ହୋଇଛି ।"