କଳାହାଣ୍ଡି: ଆଦିବାସୀ ପରମ୍ପରାରେ ଭରି ରହିଛି ଆଦିମ ସଭ୍ୟତାର ନିଦର୍ଶନ । ଆଜିର ଆଧୁନିକ ସମାଜରେ ଯଦିଓ ବେଶଭୂଷାରେ କେତେକାଂଶରେ ପରିବର୍ତ୍ତନ ହୋଇଛି, ତଥାପି କନ୍ଧ ସମ୍ପ୍ରଦାୟରେ ବଞ୍ଚି ରହିଛି ଅନେକ ମହାନ ପ୍ରଥା ଓ ପରମ୍ପରା । ଏହି ପରମ୍ପରାର ନିଦର୍ଶନ ଦେଖିବାକୁ ମିଳେ ଟୋକିମରା ପର୍ବରେ । ଧରଣୀପେନୁ ବା ମାଟି ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆଦିବାସୀ କନ୍ଧ ସମ୍ପ୍ରଦାୟର ଜନଜାତିଙ୍କ ଦ୍ଵାରା ଏହି ଟୋକିମରା ପର୍ବ ପାଳନ ହୋଇଥାଏ ।
ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପାଳିତ ହୋଇଛି ଏହି ଟୋକିମରା ପର୍ବ । ଆଜି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକର ଥୁଆମୂଳ ରାମପୁର ସଦର ମହକୁମା ସମେତ ଏଲ୍ ଜାମୁଗୁଡା, ତଳଝାପି, କିରିକିଚା, ଖମାରପଦର, କାଠଘରା, ତୁନାପାରି ଗାଁରେ ଧୂମାଧମାରେ ପାଳିତ ହୋଇଯାଇଛି ଟୋକିମରା ପର୍ବ । ପାରମ୍ପରିକ ରୀତିନୀତି ଅନୁସାରେ ଗ୍ରାମ ପୂଜାରୀ, ଜାନି, ଗାଁ ମୁଣ୍ଡରେ ଅସ୍ଥାୟୀ ମାଟି ଘର ପାଖରେ ଟୋକିପର୍ବ ପୂଜା ଆରମ୍ଭ କରିଥିଲେ । ପରେ ଗ୍ରାମର ଇଷ୍ଟଦେବୀ ଓ ବିଭିନ୍ନ ଦେବାଦେବୀଙ୍କୁ ଆବାହନ କରାଯାଇଥିଲା ।
ଟୋକି ପୂର୍ବକ ବୋଦାକୁ ବଳି ଦେଇ ମାଟି ଦେବତାଙ୍କ ନିକଟରେ ସମର୍ପିତ କରାଯାଇଥିଲା । ଦେବୀଙ୍କ ପୀଠରେ ପୂର୍ବ ବର୍ଷ ପୋତା ଯାଇଥିବା ଅସ୍ତ୍ରକୁ ବାହାର କରି ମାର୍ଜନା କରିବା ପରେ ପାରମ୍ପରିକ ବାଜା ସହ ଗ୍ରାମ ପରିକ୍ରମା କରାଯାଇଥିଲା । ଏହି ଶୋଭାଯାତ୍ରାରେ ଶହଶହ ସଂଖ୍ୟାରେ ଆଦିବାସୀ ଏକାଠି ହୋଇ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ନାଚଗୀତ କରି ଗାଁ ମୁଣ୍ଡରେ ଥିବା ଧରଣୀ ପେନୁ ନିକଟରେ ପହଞ୍ଚିବା ପରେ ସେଠାରେ ବଳି ଦିଆଯାଇଥିଲା । ପରେ ବଳିର ଅଂଶକୁ ନେବା ପାଇଁ ଆଖପାଖ ଗାଁରୁ ଆସିଥିବା ଆଦିବାସୀମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ଦେଖା ଦେଇଥିଲା । ବିଶ୍ବାସ ରହିଛି ଟୋକି ପର୍ବରେ ଧରଣୀ ପେନୁରେ ଦିଆଯାଇଥିବା ବଳିର ଅଂଶକୁ ନେଇ ନିଜ ଚାଷ ଜମିରେ ପୋତିଲେ ଦେବୀଙ୍କ କୃପାରୁ ଭଲ ଫସଲ ଅମଳ ହୋଇଥାଏ ।