ଦେବଗଡ: କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଜାରି ରହିଛି ଝଡ଼ ବର୍ଷା । ସାରା ରାଜ୍ୟରେ କୋହଲା ପାଗ ସାଙ୍ଗକୁ ତୁହାକୁ ତୁହା ବର୍ଷା ହେଉଛି । ତେବେ ଦେବଗଡ଼ ଜିଲ୍ଲାରେ ଅଦିନିଆ ବର୍ଷା ଓ ଝଡତୋଫାନ ଉଜୁଡି ଦେଇଛି ସୂର୍ଯ୍ୟମୁଖୀ ଚାଷ । ମାଟିରେ ଲୋଟି ଗଲା ଏକର ଏକର ପରିମିତ ଜମିରେ ହୋଇଥିବା ସୂର୍ଯ୍ୟମୁଖୀ ଗଛ । ଏନେଇ ଚିନ୍ତାରେ ଚାଷୀ ।
ଜିଲ୍ଲାର ତିଳେଇବଣି ବ୍ଲକ ଅନ୍ତର୍ଗତ ସୁଗୁଡା ଓ କଲଣ୍ଡା ପଞ୍ଚାୟତ ମୁଖ୍ୟତଃ ସୂର୍ଯ୍ୟମୁଖୀ ଚାଷ ପାଇଁ ବେଶ ପରିଚିତ । ଏହି ଅଞ୍ଚଳର ସୁଗୁଡା , କଲଣ୍ଡା, ବଲଣ୍ଡା, ଝାତକିପଶି ଆଦି ଗ୍ରାମର ଅଧିକାଂଶ ଚାଷୀ ପରିବାର ପ୍ରତିବର୍ଷ ଧାନଚାଷ ପରେ ପରେ ସୂର୍ଯ୍ୟମୁଖୀ ଚାଷ କରିଥାନ୍ତି । ପ୍ରତିବର୍ଷ ଏହି ଅଞ୍ଚଳରେ ପ୍ରାୟ 100 ଏକରରୁ ଊର୍ଦ୍ଧ୍ବ ଚାଷଜମିରେ ସୂର୍ଯ୍ୟମୁଖୀ ଚାଷ କରାଯାଇଥାଏ । ସୂର୍ଯ୍ୟମୁଖୀ ଅମଳ କରି ଚାଷୀମାନେ ଭଲ ଦୁଇପଇସା ରୋଜଗାର କରିଥାନ୍ତି । ମାତ୍ର ଚଳିତ ବର୍ଷ ଏହି ଚାଷ ଉପରେ ଦାଉ ସାଧିଛି ଜିଲ୍ଲାରେ ଦୁଇଦିନ ହେଲା ଲାଗି ରହିଥିବା ଅଦିନିଆ ବର୍ଷା ଓ ଝଡତୋଫାନ । ଗତ 19 ତାରିଖ ଦିନ ଏହି ଅଞ୍ଚଳରେ ଝିପିଝିପି ବର୍ଷା ଓ ଝଡ଼ତୋଫାନ ଯୋଗୁଁ ଏକର ଏକର ପରିମିତ ଜମିରେ ହୋଇଥିବା ସୂର୍ଯ୍ୟମୁଖୀ ଗଛ ମାଟିରେ ଲୋଟି ଯାଇଛି । ଚାଷଜମିରେ ବର୍ଷାଜଳ ଜମି ରହିଥିବା ବେଳେ ତାହାରି ଉପରେ ଶୋଇ ନଷ୍ଟ ହୋଇଯାଇଛି ହଜାର ହଜାର ସଂଖ୍ୟାରେ ସୂର୍ଯ୍ୟମୁଖୀ ଗଛ ।