TELANGANA DEPUTY CM (Etv Bharat Odisha) ରାୟଗଡା: ଓଡିଶାରେ ଅଜବ ଶାସନ ଚାଲିଛି । ଓଡିଶାବାସୀ ନବୀନ ପଟ୍ଟନାୟକଙ୍କୁ ଭୋଟ ଦେଇ ଜୟଯୁକ୍ତ କରାଉଛନ୍ତି, ହେଲେ ଏଠାରେ ପାଣ୍ଡିଆନ୍ ଶାସନ ଚଳାଉଛନ୍ତି । ରାୟଗଡାରେ ଆୟୋଜିତ ଏକ ସାମ୍ବାକି ସମ୍ମିଳନୀରେ ଏପରି ଗୁରୁତର ଅଭିଯୋଗ କରିଛନ୍ତି ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ ମାଲୁ ଭାଟି ବିକ୍ରମାର୍କ । ରାହୁଲ ଗାନ୍ଧୀଙ୍କ ରାୟଗଡା ଗସ୍ତକୁ ନେଇ ଗତକାଲି ସ୍ଥାନୀୟ ଏକ ହୋଟେଲରେ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀର ଆୟୋଜତ କରାଯାଇଥିଲା ।
ସାମ୍ବାଦିକ ସମ୍ମିଳନୀରେ ମାଲୁ ଭାଟି ବିକ୍ରମାର୍କ କହିଥିଲେ, ''ଦୀର୍ଘ ବର୍ଷ ହେଲା ଓଡିଶାରେ ନବୀନ ପଟ୍ଟନାୟକଙ୍କ ସରକାର ଓ କେନ୍ଦ୍ରରେ ୧୦ ବର୍ଷ ହେଲା ମୋଦି ସରକାର ଚାଲିଛି । ଓଡିଶାରେ ଭରପୁର ରହିଛି ଖଣିଜ ସଂପଦ । ଏହି ଖଣିଜ ସଂପଦ ରାଜ୍ୟକୁ ବିତଶାଳୀ କରିବ । ହେଲେ ଏଠାରେ ବର୍ଷ ବର୍ଷ ଧରି ଖଣିଜ ସଂପଦ ଲୁଟ୍ ହେଉଛି । ରାୟଗଡାରେ ଥିବା ନୀୟମଗିରିର ବକ୍ସାଇଟ୍ ଖଣିକୁ ରାଜ୍ୟ ସରକାର ବେଦାନ୍ତ କମ୍ପାନୀକୁ ଟେକି ଦେବାକୁ ଯୋଜନା କରିଥିଲେ । ଏହାକୁ କଂଗ୍ରେସ ବିରୋଧ କରିଥିଲା । ସେତେବେଳେ ରାହୁଲ ଗାନ୍ଧୀ ଆସି ନିୟମଗିରି ଅଂଚଳର ଡଙ୍ଗରିଆ କନ୍ଧମାନଙ୍କ ସହ ମିଶି ଆନ୍ଦୋଳନ କରିଥିଲେ । ଶେଷରେ ତାହାକୁ ବାତିଲ କରିବାକୁ ବାଧ୍ୟ ହୋଇଥିଲେ ସରକାର । ''
ଏହା ମଧ୍ୟ ପଢନ୍ତୁ-ଆଚରଣ ବିଧି ଉଲ୍ଲଘଂନ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର; ସିଇଓଙ୍କ ଦ୍ୱାରସ୍ଥ ବିଜେଡି - VIOLATION OF MCC
ସେ ଆହୁରି ମଧ୍ୟ କହିଥିଲେ, '' ଏ ଦେଶର ଖଣିଜ ସଂପଦ, ଖଣି ଖାଦାନ, ଆଦିବାସୀଙ୍କ ସଂସ୍କୃତିର ସୁରକ୍ଷା ପାଇଁ ରାହୁଲ ଗାନ୍ଧୀ କନ୍ୟାକୁମାରୀରୁ କାଶ୍ମୀର ଯାଏ ପଦଯାତ୍ରା କରିଛନ୍ତି । ରାୟଗଡାରେ ୫୨ ପ୍ରତିଶତ ଅନୁସୂଚିତ ଜନଜାତିର ଲୋକ ଥିବା ବେଳେ ୧୮ ପ୍ରତିଶତ ଅନୁସୂଚିତ ଜାତିର ଲୋକ ଅଛନ୍ତି । ଏହି ଆଦିବାସୀଙ୍କ ଉନ୍ନତି ପାଇଁ କଂଗ୍ରେସ ସରକାର ଫରେଷ୍ଟ ଆକ୍ଟ ଓ ପେସା ଆକ୍ଟ ଆଣିଥିଲେ । ଯାହାକୁ ଆଜି ଯାଏ ରାଜ୍ୟ ସରକାର ଲାଗୁ କରିନାହାଁନ୍ତି । ଫଳରେ ଆଦିବାସୀମାନେ ସେମାନଙ୍କର ହକ୍ ପାଇବାରୁ ବଞ୍ଚିତ ହେଉଛନ୍ତି । ମୋଦି ସରକାରଙ୍କ ଭଳି ମିଥ୍ୟ ଗ୍ୟାରେଣ୍ଟି ଦିଏ ନାହିଁ କଂଗ୍ରେସ । ମୋଦି ସରକାର ପ୍ରତିବର୍ଷ ୨ କୋଟି ଯୁବକଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଦଶ ବର୍ଷ ମଧ୍ୟରେ ସେ କେତେ ନିଯୁକ୍ତି ଦେଇଛନ୍ତି ? କଂଗ୍ରେସ ସରକାର ଆସିଲେ ଘରୋଇ ବିଦ୍ୟୁତ୍ ଗ୍ରାହକଙ୍କୁ ୨୦୦ୟୁନିଟ୍ ଯାଏ ବିଦ୍ୟୁତ୍ ବିଲ ଛାଡ, ୫ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା, ବେକାରୀ ଭତା ମାସକୁ ୩ ହଜାର ଟଙ୍କା, ମାସକୁ ୫୦୦ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ଯୋଗାଣ, ୨୫ ଲକ୍ଷ ଟଙ୍କା ଯାଏ ସ୍ୱାସ୍ଥ୍ୟବୀମା ମାଧ୍ୟମରେ ମାଗଣା ଚିକିତ୍ସା, ବାର୍ଦ୍ଧକ୍ୟ, ବିଧବା ଓ ବିକଳାଙ୍ଗ ଭତା ମାସିକ ୨ ହଜାର ଟଙ୍କା ପ୍ରଦାନ କରାଯିବ । ରାହୁଲଙ୍କ ଏହି ଗ୍ୟାରେଣ୍ଟି ବଳରେ ତେଲେଙ୍ଗାନାରେ କଂଗ୍ରେସ ସରକାର ଗଠନ କରିଛି । ସରକାର ଆସିବାର ତିନି ମାସ ମଧ୍ୟରେ ଆମେ ବହୁ ଗ୍ୟାରେଣ୍ଟି ପୂରଣ କରିଛୁ । ଓଡିଶାରେ କଂଗ୍ରେସ ସରକାର ଆସିଲେ ସେ ସବୁ ଗ୍ୟାରେଣ୍ଟି ଖୁବଶୀଘ୍ର ପୂରଣ କରାଯିବ ''
ଏହି ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲ୍ଲକା, ପିସିସି ସାଧାରଣ ସଂପାଦକ ଦୁର୍ଗାପ୍ରସାଦ ପଣ୍ଡା, ଡ.ବିଶ୍ୱରଂଜନ ମହାନ୍ତି, ଏଆଇସିସି ପ୍ରବକ୍ତା କବିତା ଶର୍ମା, ରାୟଗଡା କଂଗ୍ରେସ ପ୍ରାର୍ଥୀ ଆପଲାସ୍ୱାମୀ କାଡ୍ରାକା ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ରାୟଗଡା