ଭୁବନେଶ୍ବର: ବିଧାନସଭା ସରିଛି, ହେଲେ ଆନ୍ଦୋଳନକାରୀଙ୍କ ବିକ୍ଷୋଭ ସରିନାହିଁ । ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଥିବା ବିଭିନ୍ନ ସଂଗଠନମାନ ଏବେ ମଧ୍ୟ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି । ଏହାରି ମଧ୍ୟରେ ସରକାରଙ୍କ ସହ ଆଲୋଚନା ବିଫଳ ହେବା ସହ କୌଣସି ନିଷ୍କର୍ଷ ମଧ୍ୟ ବାହାରିଲା ନାହିଁ । ତେବେ ଆଗକୁ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି କହିଛନ୍ତି ବିଭିନ୍ନ ଆନ୍ଦୋଳନକାରୀ ସଂଗଠନ । କିଛି ସଂଘ ଚାକିରିକୁ ନିୟମିତ କରିବାକୁ ଦାବି କରୁଥିବା ବେଳେ ଆଉ କେଉଁ ସଂଘ ଚାକିରି ପାଇବା ପାଇଁ ଦାବି କରୁଛନ୍ତି । କିଏ ଦରମା ବୃଦ୍ଧି ପାଇଁ ଦାବି କରୁଥିବାବେଳେ କିଏ ପେନସନ୍ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରୁଛନ୍ତି ।
ଏହାରି ମଧ୍ୟରେ ଅନେକ ଦୀର୍ଘଦିନରୁ ଧାରଣାରେ ବସି ରହିଥିଲେ ମଧ୍ୟ କୌଣସି ସଫଳତା ମିଳିନାହିଁ । ନା ସରକାର କର୍ଣ୍ଣପାତ କରୁଛନ୍ତି, ନା ଭାଗ୍ୟ ସାଥ୍ ଦେଉଛି । ଆଉ କିଏ ଅହୋରାତ୍ର ଧାରଣା ଦେଉଛନ୍ତି ତ ଆଉ କିଏ ଆମରଣ ଅନଶନରେ ରହି ବିକ୍ଷୋଭ କରୁଛନ୍ତି । ବିଧାନସଭା ସରିବା ପରେ ପରେ ପିଏମ୍ଜି ଶାନ୍ତ ପଡ଼ିବା ଦେଖାଯାଇଥାଏ । କିନ୍ତୁ ଏଥର ପିଏମ୍ଜି ବିଧାନସଭା ଅଧିବେଶନ ପରେ ମଧ୍ୟ ଆନ୍ଦୋଳନକାରୀଙ୍କ କବଳରେ ରହିଛି । ଏବେବି ଅନେକ ଆଶାୟୀଙ୍କ ଆଶା ରହିଛି ଯେ, ସରକାର ସେମାନଙ୍କ କଥା ଶୁଣିବେ ଓ ଦାବି ପୂରଣ କରିବେ । ଏପଟେ ଓଷ୍ଟା ପକ୍ଷରୁ କୁହାଯାଇଛି ଯେ, ସେମାନେ 12 ଦଫା ଦାବି ନେଇ ରାଜ୍ୟରେ ଦୀର୍ଘ ଦିନ ଧରି ଆନ୍ଦୋଳନ କରି ଆସୁଛନ୍ତି । ହେଲେ ସରକାରଙ୍କ ନିକଟରେ ସବୁ କିଛି ବିଫଳ । ପ୍ରାୟ 20 ହଜାରରୁ ଅଧିକ ଶିକ୍ଷକ ଦାବି ପୂରଣ ହେବା ନେଇ ଆଶା ରଖିଛନ୍ତି । ଅନେକ ସମୟରେ ସରକାରଙ୍କଠାରୁ ବାରମ୍ବାର ପ୍ରତିଶ୍ରୁତି ମିଳିଛି । ହେଲେ ସବୁକିଛି ପରବର୍ତ୍ତୀ ସମୟରେ ବିଫଳ ହୋଇଛି ।