ଭୁବନେଶ୍ବର: କାଲିଠୁ ରାଜ୍ୟରେ ବଢିବ ଶୀତ । ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା । ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବର୍ତ୍ତମାନ ରାଜ୍ୟକୁ ଉତ୍ତର-ପୂର୍ବ ଦିଗରୁ ପବନ ପ୍ରବାହିତ ହେଉଥିବା ବେଳେ ଉପକୂଳ ଓଡ଼ିଶାରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ଆର୍ଦ୍ରତା ରହୁଛି ।ଏହାର ପ୍ରଭାବରେ ତାପମାତ୍ରା ସ୍ବାଭାବିକ କିମ୍ବା ୧ ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହୁଛି । ଏହାସହ ଆର୍ଦ୍ରତା ପାଇଁ ରାତି ତାପମାତ୍ରା ମଧ୍ୟ କମୁନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
କମିବ ତାପମାତ୍ରା:
ବାତ୍ୟା ଦାନାର ପ୍ରଭାବରେ ଏବେ ବି ଉପକୂଳ ଓଡ଼ିଶାରେ ରାତିରେ ଗରମ ଅନୁଭୁତ ହେଉଛି କିନ୍ତୁ ଆସନ୍ତାକାଲି ଠାରୁ ପବନର ଦିଗ ପରିବର୍ତ୍ତନ ହେବ । ବିଶେଷ କରି ଉତ୍ତର ଦିଗରୁ ରାଜ୍ୟକୁ ଥଣ୍ଡା ପବନ ପ୍ରବାହ ବଢିବ । ଫଳରେ ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ଆକଳନ କରାଯାଇଛି । ବିଶେଷ କରି ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ଦେବଗଡ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ଜାଡ ବଢିବ ।
ଉପକୂଳ ଓଡ଼ିଶାରେ ଦୁଇ ସପ୍ତାହ ପରେ ଶୀତ:
୧୫ ତାରିଖରୁ ୨୧ ତାରିଖ ମଧ୍ୟରେ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ୧୨ ରୁ ୧୪ ଡିଗ୍ରୀକୁ ଖସିଆସିବ । ଏହାସହ ସଂଲଗ୍ନ ଜିଲ୍ଲାଗୁଡିକରେ ସର୍ବନିମ୍ନ ତାପମାତ୍ରା ୧୪ ରୁ ୧୮ ଡିଗ୍ରୀ ମଧ୍ୟରେ ରହିବ । ପରବର୍ତ୍ତୀ ସପ୍ତାହ ୨୨ ରୁ ୨୮ନଭେମ୍ବର ମଧ୍ୟରେ ପଶ୍ଚିମ ଜିଲ୍ଲାଗୁଡ଼ିକରେ ତାପମାତ୍ରା ଆହୁରି ଖସିବ । ପରେ ଦକ୍ଷିଣ ଓଡ଼ିଶାର ଜିଲ୍ଲାମାନଙ୍କରେ ଶୀତ ବଢିବ । ଉପକୂଳ ଓଡ଼ିଶାରେ ଦୁଇ ସପ୍ତାହ ପରେ ତାପମାତ୍ରା କମିବା ସହ ଜାଡ ବଢିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
କିଛି ସ୍ଥାନରେ ବର୍ଷା !
ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ୩୩.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ପାହାଡିଆ ଅଞ୍ଚଳ ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୧୩.୪ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ୨୧.୯ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କଟକରେ ୨୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର ।
ଇଟିଭି ଭାରତ, ଭୁବନେଶ୍ବର