ଖୋର୍ଦ୍ଧା: ତାପଙ୍ଗରେ ରିଲ୍ସ କରିବା ବେଳେ ବୁଡିଯାଇ ନିଖୋଜ ହୋଇଥିବା ଯୁବକ ଓମଙ୍କୁ ଏପର୍ଯ୍ୟନ୍ତ ଠାବ କରାଯାଇପାରିନି । ସମୟ ଗଡ଼ିବା ସହ ସଂଶୟ ବଢୁଛି, ସେପଟେ ନୀଳ ଜଳରାଶିରେ ବୁଡି ବୁଡି ନୟାନ୍ତ ହେଲେଣି ଅଗ୍ନିଶମ, ଓଡ୍ରାଫ ଓ ଆଇଏନଏସ ଚିଲିକା ନାଭାଲ କମାଣ୍ଡର ସ୍ୱତନ୍ତ୍ର ପ୍ରଶିକ୍ଷିତ ବୁଡାଳି । ସୋମବାର ପୂର୍ବାହ୍ନରୁ ଆସି ଗୁରୁବାର ହେଲାଣି କିନ୍ତୁ ବୁଡ଼ିଥିବା ଓମଙ୍କ ପତା ମିଳୁନି । ଶେଷରେ ଆଜି ଏନଆଇଟି ରାଉରକେଲା ଦ୍ୱାରା ପ୍ରସ୍ତୁତ ‘ରୋବଟ’ ଓମଙ୍କୁ ଖୋଜିବା ପାଇଁ ଲାଗିବ । ଏହି ରୋବଟ ଏବେ ବୁଡାଳିଙ୍କ ଅଣ୍ଡର ଓ୍ବାଟର ଅପରେସନରେ ନିୟୋଜିତ ହୋଇଛି ।
ତାପଙ୍ଗ ନିକଟର ଥିବା ବଡ଼ସାଉଁଳି ଖଣିକୁ ସାଙ୍ଗଙ୍କ ସହ ଆସି ନିଖୋଜ ଥିବା ଓମ ପ୍ରକାଶ ରଥଙ୍କୁ ନୀଳ ଜଳରାଶିରେ ଖୋଜିବା କାମରେ ଲାଗିଛନ୍ତି 45 କର୍ମଚାରୀ । ପ୍ରଥମେ ଖୋର୍ଦ୍ଧା ଅଗ୍ନିଶମ ବାହିନୀ ଓ ପରେ କଟକ ଅଗ୍ନିଶମ ବାହିନୀ ନିରାଶ ହେବାପରେ ଢେଙ୍କାନାଳର ଓଡ୍ରାଫ ଟିମ ସହାୟତରେ ଖୋଜା ଚାଲିଲା । ୱାଟର କ୍ୟାମେରା ସହ ଅଗ୍ନିଶମ ଓ ଓଡ୍ରାଫର 6 ବୁଡାଳି ପାଣି ଭିତରକୁ ଯାଇ ଖୋଜିଲେ କିନ୍ତୁ ପାଣିର ଗଭୀରତା ପ୍ରାୟ ଦୁଇଶହ ଫୁଟ ଅନୁମାନ କରାଯାଉଥିବା ବେଳେ ଏମାନେ କେବଳ 40 ରୁ 50ଫୁଟ ଭିତରକୁ ଯାଇ ନିରାଶ ହୋଇ ଫେରିଥିଲେ ।
ଗତକାଲି ବୁଧବାର ଏହି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ ନୌସେନାର 7ଜଣ ସ୍ୱତନ୍ତ୍ର ବୁଡାଳିଙ୍କ ସହ 9 ଜଣିଆ ଟିମ । ଦୀର୍ଘ ସମୟ ପାଣିରେ ବୁଡି ଖୋଜି ଖୋଜି ନୟାନ୍ତ ହୋଇ ସେ ମଧ୍ୟ ନିରାଶ ହୋଇଛନ୍ତି । ବୁଡାଳିଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ପାଣିରେ 50 ଫୁଟ ପର୍ଯ୍ୟନ୍ତ ଯିବା ପରେ ପାଣି ମାତ୍ରାଧିକ ଥଣ୍ଡା ରହିଛି । ସେହିପରି ଭିତରେ ବଡ଼ ବଡ଼ ପଥର ସହ ସୁଡ଼ଙ୍ଗ ଭଳି ହୋଇଛି ଏବଂ ପାଣିରେ ଗଭୀରତା ମଧ୍ୟ ବହୁ ଅଧିକ । ସେହିପରି ବିଶେଷଜ୍ଞଙ୍କ ମତ ଅନୁସାରେ ପାଣିର ତାପମାତ୍ରା କମ ଥିବାରୁ ଶରୀର ବାହାରକୁ ଆସିବାକୁ ଅଧିକ ସମୟ ଲାଗୁଛି । ସେପଟେ ଆଜି ସକାଳୁ ଏନଆଇଟି ରାଉରକେଲାରୁ ଆସିଥିବା ସ୍ୱତନ୍ତ୍ର ରୋବଟ ପାଣିରେ ପଶି ଓମଙ୍କୁ ଖୋଜିବା କାମରେ ନିୟୋଜିତ ହୋଇଛି ।