ବୌଦ୍ଧ:ଅପହଞ୍ଚ ସରକାରୀ ଯୋଜନା, ଦୁର୍ଦ୍ଦିନରେ କଟୁଛି ଜୀବନ । ନାଁ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଅଛି ନାଁ ଖାଇବାକୁ ଦୁଇ ମୁଠା ଖାଦ୍ୟ । ସତେ ଯେପରି ମନେ ହେଉଛି ସରକାରଙ୍କ ମାଳ ମାଳ ଯୋଜନା ଏଠାରେ ବାଟବଣା ହୋଇ ପଡ଼ିଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ତଳସରଡା ପଞ୍ଚାୟତ ସିଦ୍ଧପୁର ଗ୍ରାମରେ । ଏହି ଗ୍ରାମର ସତ୍ୟଭାମା ନାମକ ଜଣେ ମହିଳା ନିଜର ଏକମାତ୍ର ନାବାଳିକା ଝିଅକୁ ନେଇ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳ କାଟୁଛନ୍ତି ।
କେବଳ ସେତିକି ନୁହେଁ ଗାଁର ପ୍ରାୟ ପରିବାର ଦୟନୀୟ ଅବସ୍ଥାରେ ବଞ୍ଚୁଥିବା ଦେଖିବାକୁ ମିଳିଛି । ସତ୍ୟଭାମା ଏବଂ ଅନେକ ଗରିବ ଶ୍ରେଣୀର ଲୋକେ ଝାଟିମାଟି ଘରେ ଦିନ କାଟୁ ଥିବାବେଳେ ଭୋକ ଉପାସରେ କଟୁଛି ଜୀବନ । ତେବେ ହିତାଧିକାରୀମାନେ ସମସ୍ତ ସମସ୍ୟା ଦୂର କରିବା ପାଇଁ ବାରମ୍ବାର ପ୍ରଶାସନ ପଖରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ।
ସତ୍ୟଭାମା ନିଜ ଝିଅ ସହିତ ବିକାଶର ଅନ୍ଧକାର ମଧ୍ୟରେ ବଞ୍ଚିବାର ରାହା ଖୋଜୁଥିବା ବେଳେ ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନ୍ ସେମାନଙ୍କ ପାଇଁ ଅପହଞ୍ଚ ହୋଇ ରହିଛି । ଦୁଇ ଓଳା ଦୁଇ ମୁଠା ଅନ୍ନ ପାଇଁ ସଂଘର୍ଷ କରୁଛନ୍ତି ସତ୍ୟଭାମା । ତେବେ ନିର୍ବାଚନ ଆସିଲେ ସତ୍ୟଭାମାଙ୍କ ଭଳି ଆହୁରି ଅନେକଙ୍କୁ ପ୍ରତିଶୃତିରେ ପୋତି ପକାଉଛନ୍ତି ରାଜନୈତିକ ଦଳର ନେତା । କିନ୍ତୁ ଭୋଟ ସରିଲେ ପୁଣି ଯେଉଁ ଦୁଃଖକୁ ସେହି ଦୁଃଖ । ତେଣୁ ଚଳିତ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି ଉକ୍ତ ପରିବାର । ଏ ସମ୍ପର୍କରେ ସତ୍ୟଭାମା ଏକାଧିକ ଥର ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି । ଏପରିକି ସତ୍ୟଭାମାଙ୍କ ଭଳି ଦୁଃଖରେ ଭାଙ୍ଗି ପଡି ଶେଷରେ ଜୀବନ ହାରି ଦେବାକୁ ମଧ୍ୟ ଚେତାବନୀ ଦେଇଛନ୍ତି । ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।