କନ୍ଧମାଳ:ଫୁଲବାଣୀ ଜେଲରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ମୃତକ ହେଉଛନ୍ତି ଫିରିଙ୍ଗିଆ ଡିମିରିଗୁଡ଼ା ଗାଁର ଅଭିରାମ ଦିଗାଲ ବୋଲି ଜଣାପଡିଛି। ତେବେ ଜେଲରେ ତାଙ୍କୁ ପିଟିପିଟି ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିବା ସହ ଆଜି ଜିଲ୍ଲାର ମେଡିକାଲ ଛକଠାରେ ରାସ୍ତାରୋକ କରିଛନ୍ତି ମୃତକଙ୍କ ପରିବାର ସମେତ ଶତାଧିକ ଗ୍ରାମବାସୀ । ଫଳରେ ସାଧାରଣ ଲୋକଙ୍କ ଯାତାୟତରେ ବାଧାପ୍ରାପ୍ତ ହୋଇଛି ।
ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଦିନ ସ୍ଥାନୀୟ ମଣ୍ଡଳ କାରାଗାରରେ ଥିବା ବିଚାରାଧୀନ କଏଦୀ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡିମିରିଗୁଡା ଗ୍ରାମର ଅଭିରାମ ଦିଗାଲ ଅସୁସ୍ଥ ହୋଇ ପଡିଥିଲେ । ଏନେଇ ତାଙ୍କୁ ଅବସ୍ଥାରେ ଜେଲ କର୍ତ୍ତୃପକ୍ଷ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେଣୁ ଜେଲରେ ମାଡ଼ ମାରି ଶାରୀରିକ ନିର୍ଯାତନା ଦିଆଯିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏନେଇ ମୃତକଙ୍କ ଭାଇ ସ୍ଥାନୀୟ ଟାଉନ ଥାନାରେ ଏତଲା ଦେଇଛନ୍ତି। ଏଥିସହ ରାସ୍ତା ଅବରୋଧ କରି ଦୋଷୀ ଜେଲ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ବହିଷ୍କାର ସହ ମୃତକଙ୍କ ପରିବାରକୁ 50 ଲକ୍ଷ ଟଙ୍କା ର କ୍ଷତିପୂରଣ ଦାବି କରିଛନ୍ତି ପରିବାର ଲୋକେ।