ବାଲେଶ୍ବର: ଗୋଟିଏ ଜମି ହେଲେ ମାଲିକ ଦୁଇ ଜଣ । ଗୋଟିଏ ଜମିକୁ ନେଇ ୨ ଜଣଙ୍କ ମଧ୍ୟରେ ଆରମ୍ଭ ହୋଇଛି ଟଣା ଓଟରା । ଜଣେ କହୁଛନ୍ତି ୧୯୬୮ ମସିହାରୁ ଜମି ପଟ୍ଟା ପାଇଁ ଚେଷ୍ଟା କରୁଥିବା ବେଳେ ଅନ୍ୟଜଣେ ଜମି ପଟ୍ଟା ପାଇଥିବା କହୁଛନ୍ତି । ହେଲେ ତାଙ୍କ ନାମରେ ଜମି ନଥିବା ସବ ରେଜିଷ୍ଟ୍ରେର ଅଫିସରୁ ଡିଲିଟ ହୋଇଯାଇଛି । ଜଣେ ଅନ୍ୟ ଜଣଙ୍କୁ ଇଙ୍ଗିତ କରୁଥିବା ବେଳେ ସରକାରୀ ଅଧିକାରୀଙ୍କ ଭୁଲ ପାଇଁ ଏବେ ଦୁଇଜଣଙ୍କ ମାମଲା କୋର୍ଟରେ ବିଚାରଧୀନ ଅବସ୍ଥାରେ ରହିଥିବା ଅଭିଯୋଗ ହୋଇଛି । ତେବେ ଏମିତି ଅଭିଯୋଗ ଆସିଛି ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରୁ ।
ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା:
ଜମି ନାମଜାରୀ ନକରିବାରୁ ସୋର ତହସିଲ ଆଗରେ ଧାରଣା । ୧୯୬୮ ମସିହାରେ ପିତାମ୍ବର ସେଠୀ ସୋର ତହସିଲ ଅଧିନ ବ୍ରାହ୍ମଣସାହି ମୌଜାରେ ୭୮ ଡିସମିଲ ଜାଗା କିଣିଥିଲେ । ମାତ୍ର ସେତେ ବେଳେ ନାମଜାରୀ ହୋଇପାରିନଥିବା ବେଳେ ସେ ଏହି ଜମିକୁ ଦଖଲକୁ ନେଇ ଚାଷ କରୁଥିଲେ । ବର୍ତ୍ତମାନ ନାମଜାରୀ ପାଇଁ ଆବେଦନ କରିବାରୁ ଉକ୍ତ ୭୪ ଡିସମିଲ ଜାଗାରୁ ତାଙ୍କ ନାମରେ ୨୦ ଡିସମିଲ ଥିବା ବେଳେ ୫୪ ଡିସମିଲ ଜାଗା ନିରୂପମା ସାହୁଙ୍କ ନାଁରେ ଥିବା ଜାଣିବାକୁ ପାଇଥିଲେ । ଏନେଇ ସେ ବିଭାଗୀୟ ଅଧିକାରୀମାନଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସୋର ତହସିଲଦାର ଉଦେଶ୍ୟ ମୂଳକ ଭାବରେ ତାଙ୍କୁ ପଟ୍ଟା ଦେଉନଥିବା ଅଭିଯୋଗ କରି ପରିବାର ସହ ସୋର ତହସିଲ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି । ଅନ୍ୟପଟେ ନିରୂପମା ସାହୁ ୨୦୧୪ରେ କିଣିଥିବା ଉକ୍ତ ଜମିର ୫୮ ଡିସମିଲ ଜାଗାର କାଗଜପତ୍ର ନେଇ ସୋର ସବରେଜିଷ୍ଟର କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଜମି ବିବାଦକୁ ନେଇ ଦୁଇ ପରିବାର ଅନଶନରେ ବସିଥିବା ବେଳେ ଗୋଟିଏ ପରିବାର ସୋର ତହସିଲ ସମ୍ମୁଖରେ ପରିବାର ସହ ବସିଥିବା ବେଳେ ଅନ୍ୟ ଜଣେ ସବରେଜିଷ୍ଟରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସି ପ୍ରତିବାଦ କରିଛନ୍ତି ।
କ'ଣ କହୁଛନ୍ତି ଜମି କିଣିଥିବା ବ୍ୟକ୍ତି :
ଜମି ବିବାଦକୁ ନେଇ ୨୦୧୪ରେ ଜମି କିଣିଥିବା ନିରୂପମା ମିଶ୍ର କହିଛନ୍ତି, "ମୁଁ ୨୦୧୪ ମସିହାରେ ଜମି କିଣିଥିଲି । ନାମଜାରୀ କରି ପଟ୍ଟା ପାଇବା ପରେ ଜମିରେ ଖୁଣ୍ଟ ପୋତିଛି । ବର୍ତ୍ତମାନ ଆଉଜଣେ ଲୋକ କହୁଛନ୍ତି ଯେ, ଜମି ମୋର ମୁଁ ୧୯୬୮ ମସିହାରେ କିଣିଥିଲି । ସବରେଜିଷ୍ଟ୍ରାର କିଛି କହୁ ନାହାନ୍ତି । କହୁଛନ୍ତି ଡିଲିଟ ହେଇଯାଇଛି କିଛି ଦେଖାଉନାହିଁ । ଡିଲିଟ କଲା କିଏ ? ଆଉ ହେଲା କେମିତି ?। ଏତେଦିନ ପରେ ସେ ଲୋକ ଆସିକି କହୁଛନ୍ତି ଯେ, ଏ ଜମି ହେଉଛି ଆମର । ହେଲେ ଆଜିଯାଏଁ ଏହି ଜମିର ମୁଁ ଖଜଣା ଦେଉଛି ।"
ଆମରଣ ଅନଶନରେ ଅଭିଯୋଗକାରୀ:
ଅନ୍ୟପଟେ ଉକ୍ତ ଜମିକୁ ୧୯୬୮ ମସିହାରେ ବାପାଙ୍କ ନାଁରେ ଥିବା ଦାବି କରି ଆମରଣ ଅନଶନରେ ବସିଥିବା ପିତାମ୍ବର ସେଠୀ କହିଛନ୍ତି, "ମୋ ବାପା ବ୍ରାହ୍ମଣସାହି ମୋୖଜାର ଏକ ଜମିକୁ ୧୯୬୮ ମସିହାରେ କିଣିଥିଲେ । ଆମେ ସେ ଜମିକୁ ଅଦ୍ୟାବଧି ଚାଷ କରୁ଼ଛୁ, ଦଖଲରେ ଅଛୁ । କିନ୍ତୁ ୨୦୧୪ ମସିହାରେ ନିରୂପମା ସାହୁ ନାମକ ଜଣେ ମହିଳା ଜାଲ ଦଲିଲ ପ୍ରସ୍ତୁତ କରିକି ତାଙ୍କ ନାଁରେ ରେକର୍ଡ କରିନେଇଛନ୍ତି । ଆମେ ଉପଜିଲ୍ଲାପାଳଙ୍କ କୋର୍ଟରେ ଏନେଇ ଏକ ଅପିଲ କରିବା ପରେ ତାହା ତହସିଲଦାରଙ୍କ କୋର୍ଟକୁ ଆସିଥିଲା । ତହସିଲଦାର ଚିଠି ମାଧ୍ୟମରେ ଉପନିବନ୍ଧକଙ୍କୁ ଜଣାଇବା ପରେ ସେ କହିଥିଲେ ଯେ, ସେମିତି କିଛି ଦଲିଲ ନିରୂପମା ସାହୁଙ୍କ ନାଁରେ ହୋଇନାହିଁ । ତହସିଲଦାର ସେସବୁ ନ ଶୁଣିକି ନିରୂପମା ସାହୁ ନାଁରେ ପଟ୍ଟା ପ୍ରଦାନ କରିଛନ୍ତି । ଆମେ ଆମର ଜମିର ପଟ୍ଟା ପାଇ ପାରୁନାହୁଁ । ଯିଏ ନିରୂପମା ସାହୁଙ୍କୁ ସେ ଜମି ବିକ୍ରି କରିଛନ୍ତି ସେଭଳି ଲୋକ ସେ ମୌଜାରେ ନାହାନ୍ତି । ଠକେଇ କରି ଆମ ଜମି ତାଙ୍କ ନାଁରେ ରେକର୍ଡ କରି ନେଇ ଯାଇଛନ୍ତି । ଯେଉଁଯାଏ ଆମକୁ ପଟ୍ଟା ନ ମିଳିଛି ଏବଂ ନିରୂପମା ସାହୁଙ୍କୁ ଜାଲ ଉପାୟରେ ପଟ୍ଟା ଦେଇଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେଇଛି ସେତେଦିନ ଯାଏଁ ଆମେ ଆମରଣ ଅନଶନରେ ବସିବୁ।"
ଡିଲିଟ ହୋଇଯାଇଛି ଆଇଡି!:
ଏହି ବିବାଦକୁ ନେଇ ଉପନିବନ୍ଧକ ମାଧୁରୀ ବେହେରା କହିଛନ୍ତି, "ପୂର୍ବରୁ ଅଭିଯୋଗ ଅନୁସାରେ ଯେଉଁ ଆଇଡିରେ ମୋତେ ତାହାର ସ୍ଥିତି ମଗାଯାଇଥିଲା ସେତେବେଳେ ସେହି ଆଇଡି ନମ୍ବର ନଥିଲା । ଆମେ ବର୍ତ୍ତମାନ ଅନଲାଇନ ଷ୍ଟାଟସ ଦେଖି ପାରୁଛୁ । କିନ୍ତୁ ଯାହା ଅଫଲାଇନ ହୋଇଛି ତାକୁ ଦେଖିବା ପାଇଁ ମୋତେ ସମୟ ଦରକାର । ଅନଲାଇନରେ କିଛିଦିନ ପୂର୍ବରୁ ଦେଖାଉଥିଲା ଯେ, ଆଇଡି ଡିଲିଟ ହୋଇଯାଇଛି । ତଦନ୍ତ ପାଉଁ ଆମକୁ କିଛି ସମୟ ଦରକାର । ନିଶ୍ଚୟ ଏହା ଭିତରେ କିଛି ଦୁର୍ନୀତି ହୋଇଛି । ନହେଲେ ଏମିତି ଅଭିଯୋଗ ଆସିନଥାନ୍ତା ।"
ବିଚାରାଧୀନ ଅବସ୍ଥାରେ ମାମଲା:
୨୦୧୪ରେ ସୋର ତହସିଲରେ ଯେଉଁ ଦଲିଲ ଓ ପଟ୍ଟା ମିଳିଥିଲା ତାହା କ'ଣ ଥିଲା ବୋଲି ସୋର ତହସିଲଦାର ସେକ୍ ସାଗିର ନିଜର ପ୍ରତିକ୍ରିୟାରେ କହିଛନ୍ତି, "୧୯/୦୩/୨୦୧୪ରେ ସୋର ତହସିଲରେ ଗୋଟେ ଦଲିଲ ନିରୂପମା ସାହୁ ଯିଏ ୫୮ ଡ଼ିସିମିଲ ଜମି କିଣିଥିଲା, ଏହାକୁ ନେଇ ୨୦୧୫ ମସିହାରେ ଏକ ନାମଜାରୀ କେସ ହେଲା । ତତ୍କାଳୀନ ତହସିଲଦାର ସବୁ ପ୍ରକ୍ରିୟା ପରେ ନିରୂପମା ସାହୁଙ୍କୁ ୫୪ ଡ଼ିସିମିଲର ପଟ୍ଟା ପ୍ରଦାନ କଲେ । ଏହାରି ଭିତରେ ୨ ଜଣ ଯାକ କୋର୍ଟରେ ମାମଲା କରିଛନ୍ତି । ଏହା ଏବେ ବିଚାରାଧୀନ ଅବସ୍ଥାରେ ଅଛି ।"
ଏହା ମଧ୍ୟ ପଢ଼ନ୍ତୁ...ଜମି ଅଧିଗ୍ରହଣକୁ ବିରୋଧ, ଜିଲ୍ଲାପାଳ ଅଫିସ ଘେରାଉ କଲେ ଗ୍ରାମବାସୀ ଏହା ମଧ୍ୟ ପଢ଼ନ୍ତୁ...ଜଳ-ଜମି ଓ ଜଙ୍ଗଲକୁ ବଞ୍ଚାଇବାକୁ ରାଜରାସ୍ତାରେ ଗର୍ଜିଲେ ଆଦିବାସୀ |
ଦୁର୍ନୀତି ଅଭିଯୋଗ:
ଅନ୍ୟପଟେ ନିରୂପମା ସାହୁଙ୍କ ଓକିଲ ଶଶାଙ୍କ ଶେଖର ପଣ୍ଡା ଏହି ମାମଲାରେ ମୁହଁ ଖୋଲିବା ସହ ସୋର ଉପନିବନ୍ଧକ କାର୍ଯ୍ୟାଳୟରେ ଦୁର୍ନୀତି ଚାଲୁଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି, "ନିରୂପମା ସାହୁ ଜାଗା କିଣିବା ପରେ ଦଲିଲ କରିଥିଲେ । ସେ ଟିକେଟ ମଧ୍ୟ ପାଇଛନ୍ତି, ନାମଜାରୀ କରି ପଟ୍ଟା ପାଇଛନ୍ତି । ପଟ୍ଟା ପାଇବା ପରେ ସେ ଖଜଣା ଦେଉଛନ୍ତି । ଏହା ଭିତରେ ସେ ଜାଗା ବିକିବା ପାଇଁ ଇସି ବାହାର କଲେ । ହେଲେ ସେଥିରେ କିଣାବିକା ଦେଖାଉ ନାହିଁ । ଅଧିକାରୀଙ୍କୁ ଏନେଇ ପଚରା ଉଚରା ପରେ ସେ କହିଥିଲେ ଦଲିଲ ହେବାର କିଛି ମାସ ପରେ ଡିଲିଟ ହେଇଯାଇଛି । ଫି ଡିପୋଜିଟ ହୋଇ ନଥିବାରୁ ଡିଲିଟ ହୋଇଛି ବୋଲି କହିଥିଲେ । ଯଦି ଫି ଡିପୋଜିଟ ହୋଇନାହିଁ ତେବେ ତାଙ୍କୁ ଟିକେଟ ମିଳିଲା କେମିତି ? ଦଲିଲ ମିଳିଲା କେମିତି ?। ଯଦି ୧୦ ବର୍ଷ ଜଣେ ଜଗା ଉପରେ ଦଖଲ ରହିବା ପରେ ଏମିତି ସବୁ ହେଉଛି ତାହେଲେ ସାଧାରଣ ଲୋକେ ନ୍ୟାୟ ପାଇବେ କେମିତି । ଏହି ଘଟଣାରେ କିଏ କିଏ ସାମିଲ ଅଛନ୍ତି, ସେ ଫି ପଇସା କିଏ ହଡ଼ପ କରିଛି, ସେ ବିଷୟରେ ତଦନ୍ତ କରାଯାଉ ।"
ଇଟିଭି ଭାରତ, ବାଲେଶ୍ବର