ଭୁବନେଶ୍ବର:ରାଜ୍ୟରେ ଆରମ୍ଭ ହେଲା ସୁଗମ୍ୟ ଯାତ୍ରାର ଶୁଭାରମ୍ଭ । ମେଡିକାଲ ସହ ସରକାରୀ କାର୍ଯ୍ୟାଳୟରେ ସୁରୁଖୁରୁରେ ପହଞ୍ଚିବେ ଦିବ୍ୟାଙ୍ଗ । ସମଗ୍ର ଭାରତରେ ବିଭିନ୍ନ ରାଜ୍ୟଗୁଡିକରେ ସୁଗମ୍ୟ ଯାତ୍ରାର ଶୁଭାରମ୍ଭ କରାଯାଇଛି । ସେହି କ୍ରମରେ ଓଡ଼ିଶାରେ ଆଜି ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ କାର୍ଯ୍ୟାଳୟ ପରିସରରେ ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଦ୍ଵାରା ଏହି ଯାତ୍ରାର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମଟି ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ତଥା SVNIRTARର ମିଳିତ ସହଯୋଗରେ ଆରମ୍ଭ କରାଯାଇଛି ।
ସୁଗମ୍ୟ ଯାତ୍ରା ଉଦ୍ଦେଶ୍ୟ:
ରାଜ୍ୟର ୩୦ଟି ଜିଲ୍ଲାରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ,ଶିକ୍ଷାନୁଷ୍ଠାନ,ସିନେମା ଘର, ଡାକ୍ତରଖାନା, ବଡ଼ ବ୍ୟବସାୟ ଗୃହ, ପାର୍କ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ “ସୁଗମ୍ୟ ଯାତ୍ରା” କରିବା ପାଇଁ ପଦକ୍ଷେପ ନିଆଯାଇଛି । ଏହି ଯାତ୍ରାର ଉଦ୍ଦେଶ୍ୟ ହେଉଛି, ଏହିପରି କୋଠା ଗୁଡିକରେ PwDର ଉପଲବ୍ଧତା ବୈଶିଷ୍ଟ୍ୟ ଉପରେ RPwD ଅଧିନିୟମ, 2016ରେ ଦିଆଯାଇଥିବା ବ୍ୟବସ୍ଥା ବିଷୟରେ ଜନସଚେତନତା ସୃଷ୍ଟି କରିବା ଏବଂ ପରବର୍ତ୍ତୀ ସମୟରେ ସମ୍ପୃକ୍ତ ଅଧିକାରୀଙ୍କ ଦ୍ବାରା ଅସୁବିଧାର ଉପଯୁକ୍ତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଇବା । ପ୍ରତ୍ୟେକ ଜିଲ୍ଲାରେ ଦୁଇ ଦିନ ପାଇଁ “ସୁଗମ୍ୟ ଯାତ୍ରା”ଯୋଜନା କରାଯାଇଛି । ଜିଲ୍ଲା ମୁଖ୍ୟକାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡିକୁ ଆଚ୍ଛାଦନ କରିବା ପାଇଁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (DSSO)ଙ୍କ ନେତୃତ୍ୱରେ ୨ରୁ ୩ଟି ଟିମ୍ ଗଠନ କରାଯାଇଛି । ଏଭଳି ସମଗ୍ର ରାଜ୍ୟରେ ପ୍ରାୟ ୭୦ ଟି ଟିମ୍ ଗଠନ କରାଯାଇଛି ।