ଭୁବନେଶ୍ବର: ରାଜ୍ୟ ନଗର ଉନ୍ନୟନ ସଂସ୍ଥା (SUDA)ର ୨୩ତମ ଗଭର୍ଣ୍ଣିଂ ବଡି ବୈଠକ ଅନୁଷ୍ଠିତ ହୋଇଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨୫୫.୪୬ ଲକ୍ଷ ଟଙ୍କାର ବଜେଟ ଅନୁମୋଦନ ହୋଇଛି । ଏହାସହ ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ଗଭର୍ଣ୍ଣିଂ ବଡି ବୈଠକରେ ସୁଡା ପକ୍ଷରୁ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଛି । ଏହାସହ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଗୁରୁତ୍ବ ଉପରେ ଆଲୋକପାତ କରାଯାଇଛି । ସହରାଞ୍ଚଳର ସ୍ଥାନୀୟ ସଂସ୍ଥାଗୁଡ଼ିକରେ ଏକ ଦୃଢ଼ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରାଯାଇଥିଲା । ମୁକ୍ତା ଯୋଜନା ଅଧୀନରେ ପ୍ରକଳ୍ପ କାର୍ଯ୍ୟକାରିତାରେ ନିୟୋଜିତ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଦିଆଯାଉଥିବା ପ୍ରଶିକ୍ଷଣ ଉପରେ ଆଲୋଚନା ହୋଇଛି । ୩୦ ଜିଲ୍ଲାରେ ୧୨ଟି ଟିମ ୧୯,୭୨୦ ଗୋଷ୍ଠୀର ପ୍ରତିନିଧିତ୍ବ କରୁଥିବା ଏମଏସଜିର ୫୯,୧୬୦ ଜଣ ସଦସ୍ୟଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି । ଓଡିଶା ସହରାଞ୍ଚଳର ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଏମଏସଜି ଗୋଷ୍ଠୀ ସହଯୋଗୀଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ବ୍ୟାପକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଗ୍ରହଣ ଉପରେ ବୈଠକରେ ଆଲୋଚନା ହୋଇଛି ।