ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ରାଜ୍ୟକୁ ମିଳିବ 'ସୁଭଦ୍ରା' ଭେଟି।ଓଡ଼ିଶା ସରକାରଙ୍କ ଦ୍ୱାରା ଘୋଷିତ 'ସୁଭଦ୍ରା' ଯୋଜନା ସେପ୍ଟେମ୍ବର ୧୭ ତାରିଖରେ ଆରମ୍ଭ ହେବ । ଜନ୍ମଦିନରେ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ଏହି ଯୋଜନାର ଶୁଭାରମ୍ଭ କରିବେ । ଦିଲ୍ଲୀରେ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୁଭଦ୍ରା ଯୋଜନାରେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର କ୍ୟାସ ଭାଉଚର ଯୋଗାଇ ଦିଆଯିବ । ୨ ବର୍ଷ ମଧ୍ୟରେ ସେମାନେ ଏହାକୁ ଖର୍ଚ୍ଚ କରିପାରିବେ ।
ରାଜ୍ୟରେ ପ୍ରାୟ ୨୦ ଦିନ ହେଲା କାର୍ଯ୍ୟ ଆରମ୍ଭ କରିଛି ବିଜେପି ସରକାର । ନିର୍ବାଚନ ସମୟରେ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି ପୂରଣ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ମୋହନ ସରକାର । ସେଥିରୁ ସବୁଠାରୁ ଅଧିକ ଚର୍ଚ୍ଚିତ ଯୋଜନା ହେଉଛି 'ସୁଭଦ୍ରା' । ମୋହନ ସରକାର ପ୍ରତିଶ୍ରୁତି ଭିତରେ ଅଧିକ ଚର୍ଚ୍ଚାରେ ଥିବା 'ସୁଭଦ୍ରା' ଯୋଜନା ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ମହିଳାଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତିକରଣ ଏବଂ ଆର୍ଥିକ ସହାୟତା ଯୋଗାଇବା ପାଇଁ ଘୋଷଣା ହୋଇଥିବା ଏହି ଯୋଜନା ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଅର୍ଥାତ୍ ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ଆରମ୍ଭ ହେବାକୁ ଯାଉଛି ।