ଓଡିଶା

odisha

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛାତ୍ରଛାତ୍ରୀ, ପ୍ରଦାନ କଲେ ଗିନିଜ ବୁକ୍ ରେକର୍ଡ ଫଳକ

By ETV Bharat Odisha Team

Published : Feb 6, 2024, 2:46 PM IST

Students Meet Odisha CM: ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ । ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡର ଫଳକ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ,

Students Meet Odisha CM
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛାତ୍ରଛାତ୍ରୀ

ଭୁବନେଶ୍ବର: ମୋ କଥା ମୋ କାହାଣୀ ଲେଖି ଗିନିଜ ବୁକ ଅଫ ୱର୍ଲ୍ଡ ରେକର୍ଡ କରିଥିବା ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଓଡ଼ିଶା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସୋମବାର ଦିନ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ରେକର୍ଡର ଫଳକ ପ୍ରଦାନ କରିଛନ୍ତି । ଏଥି ସହିତ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ ବିଦ୍ୟାଳୟସ୍ତରରେ ଅନୁଷ୍ଠିତ ହୋଇଥିବା ସାହିତ୍ୟ ଓ ସୃଜନଶୀଳତା ଉତ୍ସବରେ ସେମାନେ ନିଜେ ଲେଖିଥିବା ପୁସ୍ତକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିଲେ ।

ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ଭାଷା ଏବଂ ସାହିତ୍ୟ ରଚନା ପ୍ରତି ଆକୃଷ୍ଟ କରିବା ପାଇଁ ବିଦ୍ୟାଳୟ ସ୍ତରରେ ଭାଷା ସାହିତ୍ୟ ଏବଂ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ସାମିଲ ହୋଇ ଛାତ୍ରଛାତ୍ରୀମାନେ 'ମୋ କଥା ମୋ କାହାଣୀ' ମାଧ୍ୟମରେ ଗଳ୍ପ ଏବଂ କବିତା ରଚନା କରିଥିଲେ । ଗତ ଶୁକ୍ରବାର ଏହି ପୁସ୍ତକର ହସ୍ତଲିଖିତ ତଥ୍ୟକୁ ସାମାଜିକ ଗଣମାଧ୍ୟମ ଫେସବୁକରେ ଅପଲୋଡ଼ କରାଯାଇଥିଲା । ଏକ ଘଣ୍ଟା ମଧ୍ୟରେ ସର୍ବାଧିକ ସଂଖ୍ୟାରେ ଅପଲୋଡ କରି ଗିନିଜ ବୁକ ଅଫ ୱର୍ଲ୍ଡ ରେକର୍ଡ ସୃଷ୍ଟି କରିଥିଲେ ଛାତ୍ରଛାତ୍ରୀ । ଗିନିଜ ବୁକ ସଂସ୍ଥାର ବରିଷ୍ଠ ବିଚାରପତି ସ୍ବପ୍ନିଲ ଡଙ୍ଗରିକର ଛାତ୍ରଛାତ୍ରୀମାନଙ୍କୁ ଏହି ରେକର୍ଡର ମାନ୍ୟତା ପ୍ରଦାନ କରିବା ସହିତ ଫଳକ ମାଧ୍ୟମରେ ସମ୍ମାନିତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ୱାର୍ଲଡ ରେକର୍ଡ କଲେ ଛାତ୍ରଛାତ୍ରୀ, ୧ ଘଣ୍ଟାରେ ସର୍ବାଧିକ ଓଡ଼ିଆ ହସ୍ତଲିଖନ ଅନଲାଇନରେ ଅପଲୋଡ


ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ଏହି ରେକର୍ଡ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ ସେମାନଙ୍କ ଭବିଷ୍ୟତର ଲକ୍ଷ୍ୟ ବିଷୟରେ ପଚାରି ବୁଝିଥିଲେ । ଭବିଷ୍ୟତରେ କିପରି ଜଣେ ଜଣେ ଭଲ ମଣିଷ ହେବେ ସେଥିପାଇଁ ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହ ଉପହାର ଦେଇ ଉତ୍ସାହିତ କରିଥିଲେ । ଏହି ସମୟରେ ମୋ ସ୍କୁଲର ଅଧ୍ୟକ୍ଷା ସୁସ୍ମିତା ବାଗଚୀ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ଵସ୍ଥି ଏସ୍ ଉପସ୍ଥିତ ଥିଲେ ।

ଗତ ୨ ତାରିଖରେ ଓଡ଼ିଶାର ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ସୃଷ୍ଟି କରିଥିଲେ ବିଶ୍ୱ ରେକର୍ଡ଼ । ପ୍ରଥମ ବିଶ୍ୱ ଓଡି଼ଆ ଭାଷା ସମ୍ମିଳନୀ ଉଦ୍ଦେଶ୍ୟରେ ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀ ସାହିତ୍ୟ ସୃଜନୀ କ୍ଲବ ମାଧ୍ୟମରେ ‘ମୋ କଥା ମୋ କହାଣୀ’ ପୁସ୍ତକ ରଚନା କରିଥିଲେ । ଶୁକ୍ରବାର ଦିନ ଏହି ପୁସ୍ତକର ତଥ୍ୟକୁ ସାମାଜିକ ଗଣମାଧ୍ୟମ ଫେସବୁକରେ ଏକ ଘଣ୍ଟା ମଧ୍ୟରେ ଅପଲୋଡ କରି ଗିନିଜ ବୁକ ଅଫ ୱାଲ୍ଡ ରେକର୍ଡ଼ ସୃଷ୍ଟି କରିଥିଲେ । ଗିନିଜ ବୁକ ଅଫ ୱାଲ୍ଡ ରେକର୍ଡ଼ର ଅଧିକାରୀ ଏହି ରେକର୍ଡ଼ ଘୋଷଣା କରିଥିଲେ । ପୂର୍ବରୁ ୫୪୦୮ଟି ପୁସ୍ତକର ତଥ୍ୟ ୧ ନଭେମ୍ବର ୨୦୨୧ ରେ ଅନଲାଇନରେ ଅପଲୋଡ କରି ନମାମୀ ଗଙ୍ଗେ ଏହି ରେକର୍ଡ ସୃଷ୍ଟି କରିଥିବା ବେଳେ ଓଡ଼ିଶାର ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମୋ ସ୍କୁଲ ଉଦ୍ୟମରେ ଏହି ରେକର୍ଡ଼ ଭାଙ୍ଗିବାରେ ସକ୍ଷମ ହୋଇଛନ୍ତି । ଛାତ୍ରଛାତ୍ରୀଙ୍କ ଭାଷା ସାହିତ୍ୟ ଓ ସୃଜନଶୀଳତାର ବିକାଶ ପାଇଁ ସାହାଯ୍ୟ ସୃଜନୀ ଶିକ୍ଷାର୍ଥୀ କ୍ଲବ ମାଧ୍ୟମରେ ବିଦ୍ୟାଳୟସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details