ଓଡିଶା

odisha

ETV Bharat / state

ଭୋକର ଜ୍ବାଳା ଆଗରେ ହାର ମାନିଛି ଗ୍ରୀଷ୍ମ ତାତି - Street vendors struggle - STREET VENDORS STRUGGLE

Heat wave in Bhubaneswar: ଖରାରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ । ହେଲେ ପେଟର ଜ୍ବାଳା ଆଉ ପରିବାର ପୋଷିବା ଲାଗି ଟାଣ ଖରାକୁ ନାହିଁ ଖାତିର । ମୁଣ୍ଡ ଫଟା ଖରାରେ ବି ରାସ୍ତା କଡରେ ମେଲିଛନ୍ତି ରୋଜଗାରର ପସରା । କାହିଁକି ନା ଖରା ବାହାରେ ନଖଟିଲେ ଉପାସ ରହିବାକୁ ପଡିବ । ରାସ୍ତାକଡ ବ୍ୟବସାୟୀଙ୍କ ସଂଘର୍ଷକୁ ନେଇ ପଢନ୍ତୁ ଏ ରିପୋର୍ଟ ।

Heat wave in Bhubaneswar
Heat wave in Bhubaneswar

By ETV Bharat Odisha Team

Published : Apr 6, 2024, 12:58 PM IST

Updated : Apr 6, 2024, 1:17 PM IST

Heat wave in Bhubaneswar

ଭୁବନେଶ୍ବର:ନିର୍ଘାତ ଖରା...ଆକାଶରୁ ଯେମିତି ଝରୁଛି ନିଆଁ ଝୁଲ । ଦିନ ତ ଦିନ ସକାଳୁ ଦିନକୁ ବାହାରକୁ ବାହାରିଲେ ମୁଣ୍ଡ ଝାଇଁ ଝାଇଁ କରିଦେଉଛି । ଦିନରେ ଘରୁ ନବାହାରିବାକୁ ଚେତାଇ ଦେଇଛି ପାଣିପାଗ ବିଭାଗ । କିନ୍ତୁ ଘରୁ ବାହାରକୁ ପାଦ ନକାଢିଲେ ପରିବାର ରହିବେ ଭୋକରେ । ଭୋକ ଜ୍ବାଳା ଆଗରେ ଏ ଖରା ତାତି କିଛି ନୁହେଁ ଯେମିତି ସେମାନଙ୍କ ପାଇଁ । ସେ 40 ଡିଗ୍ରୀ ହେଉ କି 45 ଡିଗ୍ରୀ ତାପମାତ୍ରା । ଖରା ତରାକୁ ଖାତିର ନକରି ରାସ୍ତାରେ ରୋଜଗାରର ପସରା ମେଲିଦିଏ ବେପାରୀ । ପ୍ରତ୍ୟେକ ଦିନ ଯେମିତି ଭୋକ ଆଉ ପାଉଣା ଲାଗି ଖରା ସହ କରିବାକୁ ପଡ଼ୁଛି ପ୍ରତିଦ୍ୱନ୍ଦିତା । ଏ ଦୃଶ୍ୟ କେବଳ ରାଜଧାନୀ ଭୁବନେଶ୍ବରରେ ନୁହେଁ... କେଉଁଠି ବି ଯାଆନ୍ତୁ ରାସ୍ତାକଡ ବ୍ୟବସାୟୀମାନେ ଖରାକୁ ଖାତିର୍‌ ନକରି କରୁଛନ୍ତି ବେପାର ।

ପ୍ରତିଦିନ ଡ଼ହ ଡ଼ହ ଖରା ବେଳରେ ରାସ୍ତା ଉପରେ ବେପାର କରିଥାନ୍ତି । ନିଜ ଜୀବନକୁ ବିପଦରେ ପକାଇ ପେଟ ପାଇଁ ଦି ପଇସା ରୋଜଗାର କରିବାକୁ ଆଗେଇ ଆସିଥାନ୍ତି ଏହି ବ୍ୟବସାୟୀ । ଏମାନେ ଦୈନିକ ଭାବରେ ୫୦୦ ଟଙ୍କାରୁ ୭୦୦ ଟଙ୍କା ରୋଜଗାର କରିଥାନ୍ତି । ସକାଳ ସମୟରୁ ବେପାର ଆରମ୍ଭ କରନ୍ତି ସଂନ୍ଧ୍ୟା ପର୍ଯ୍ୟନ୍ତ । ଏହି ଅସହ୍ୟ ଗରମରେ ଦେହ ହାତ ପୋଡ଼ିଯାଉଥିଲେ ମଧ୍ୟ କିଛି ରୋଜଗାର ଆଶାରେ ବେପାର କରିଥାନ୍ତି । ଯାହା ରୋଜଗାର ହେବ ସେଥିରେ ଘର ଚଳାଉଛନ୍ତି ।

ଏନେଇ ଜଣେ ଦହିବରା ବ୍ୟବସାୟୀ କହିଛନ୍ତି, ‘ଭୁବନେଶ୍ୱରରେ ପାଖାପାଖି ଦୀର୍ଘ ବର୍ଷ ଧରି ଆଲୁଦମ୍ ଦହିବରା ବିକ୍ରି କରି ଆସୁଛି । ନୟାଗଡ଼ରୁ ଆସି ଭୁବନେଶ୍ବରରେ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ କଷ୍ଟ କରିଚାଲିଛି । ପରିବାର ବର୍ଗଙ୍କୁ ନେଇ ଭୁବନେଶ୍ଵରରେ ରହୁଛି । ବର୍ତ୍ତମାନ ସମୟରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରୋଜଗାର ହେବା ଆଶାରେ ରାଜଧାନୀର ବିଭିନ୍ନ ସ୍ଥାନ ବୁଲି କରି ବେପାର କରୁଛି । ଅନେକ ସମୟରେ ମଧ୍ୟ ଶରୀର ଅସୁସ୍ଥ ଲାଗେ ତଥାପି କାମ କରିବାକୁ ପଡୁଛି । ଏପଟେ ଯଦି ରୋଜଗାର ନ ହେବ ସେପଟେ ଚୁଲି ଜଳିବ ନାହିଁ ।’

ଏହା ମଧ୍ୟ ପଢନ୍ତୁ-ଜଳୁଛି ଭୁବନେଶ୍ୱର: ଦେଶରେ ଦ୍ବିତୀୟ ଉତ୍ତପ୍ତ ସହର, ଏସିଆରେ ଷଷ୍ଠ

ସେହିପରି ଅନ୍ୟପଟେ ଆଉ ଜଣେ ବେପାରୀ କହିଛନ୍ତି ଯେ, ଖରା ଦିନରେ ବିଶେଷ ଭାବରେ ଲୋକମାନେ ଆଖୁରସ ପିଇଥାନ୍ତି । ବର୍ତ୍ତମାନ ସମୟରେ ଖରା ଅତ୍ୟଧିକ ହେଉଛି । କିନ୍ତୁ ଏହି ସମୟରେ ରୋଜଗାର ନ କଲେ ଚାଲିବା ପାଇଁ କଷ୍ଟକର ହୋଇପଡ଼ିବ ବୋଲି କହିଛନ୍ତି । ପ୍ରକାଶ ଥାଉକି, ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଭୁବନେଶ୍ୱରର ତାପମାତ୍ରା ଦିନ ୨ଟା ପରେ ୪୩.୨ ଡିଗ୍ରୀ ଛୁଇଁ ରେକର୍ଡ କରୁଛି । ତେବେ ଆସନ୍ତା ୭ ଏବଂ ୮ ରେ ବର୍ଷା ସହ ତାତିରୁ ମିଳିବ ଆଶ୍ଵସ୍ତି । ବିଜୁଳି ଘଡ଼ଘଡି଼ ବର୍ଷା ସହ ଭାରି ବର୍ଷା ହେବାର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ବର୍ଷାର ଅଧିକ ସମ୍ଭାବନା ରହିଛି । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କୁଆପଥର ବର୍ଷାର ସମ୍ଭାବନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 6, 2024, 1:17 PM IST

ABOUT THE AUTHOR

...view details