ପାରଳାଖେମୁଣ୍ଡି:ଗଜପତି ପୋଲିସକୁ ମିଳିଛି ବଡ ସଫଳତା । ଏକାଧିକ ବାଇକ ସହ ଜଣେ ବାଇକ୍ ଚୋର ଗ୍ୟାଙ୍ଗର କିଙ୍ଗପିନକୁ ପୋଲିସ ଗିରଫ କରିଛି । ଗିରଫ ଯୁବକ ଜଣକ ହେଲେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ପଲାସା ଥାନା ଅନ୍ତର୍ଗତ ରାମିରି ଅଞ୍ଚଳର ରଘୁନାଥମ । ତାହା ପାଖରୁ ୧୯ଟି ନାମିଦାମୀ ଚୋରା ବାଇକକୁ ଜବତ କରିଛି ପୋଲିସ ।
ଅନ୍ତଃରାଜ୍ୟ ବାଇକ୍ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ:
ଅନ୍ତଃରାଜ୍ୟ ବାଇକ୍ ଚୋର ଗ୍ୟାଙ୍ଗର କିଙ୍ଗପିନ ରଘୁନାଥମକୁ ଗିରଫ କରିଛି ପୋଲିସ । ଓଡ଼ିଶା ଆନ୍ଧ୍ରପ୍ରଦେଶ ଉଭୟ ରାଜ୍ୟରୁ ଚୋରି ହୋଇଥିବା ବାଇକ୍ ମଧ୍ୟରେ ରହିଛି ୭ଟି ରୋୟାଲ ଏନଫିଲ୍ଡ , ଗୋଟିଏ କେଟିଏମ୍, ୬ଟି ବଜାଜ ପଲସର୍, ଦୁଇଟି ଆପାଚି, ୩ଟି ୟାମାହା କମ୍ପାନୀର ଦାମୀ ମଟର ସାଇକଲ । ଏସବୁ ଗାଡ଼ିକୁ ଆନ୍ଧ୍ର ଓ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଚୋରି କରି ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଲୁଚାଇ ରଖି ବିକ୍ରି ପାଇଁ ଯୋଜନା କରୁଥିଲେ । ହେଲେ ଚୋରା ବାଇକ୍ ବିକ୍ରି ପୂର୍ବରୁ ପୋଲିସ୍ ମାଡ଼ି ବସିଲା । ଏହି ମାମଲାରେ ଜଣେ ଗିରଫ ହୋଇଥିବାବେଳେ ଆଉ ଜଣେ ଫେରାର ରହିଥିବା ଜଣାପଡ଼ିଛି ।
ବାଇକ୍ ଚୋରି ଗ୍ୟାଙ୍ଗର ଆନ୍ଧ୍ର ଲିଙ୍କ୍:
ଜବତ ବାଇକ ମଧ୍ୟରୁ ୫ଟିର କୌଣସି ନମ୍ବର ନଥିବାବେଳେ ଗୋଟିଏ ବାଇକର ଡୁପ୍ଲିକେଟ ନମ୍ବର ରହିଛି । ୧୧ଟି ଆନ୍ଧ୍ରର ଓ ଦୁଇଟି ଓଡ଼ିଶାର ବାଇକ ରହିଥିବା ପୋଲିସ୍ ସୂଚନା ଦେଇଛି । ଆହୁରି ଅନେକ ଚୋରି ବାଇକ ମଧ୍ୟ ଅନ୍ୟ କୌଣସି ସ୍ଥାନରେ ଲୁଚାଇ ରଖାଯାଇଛି । ଫେରାର ଅଭିଯୁକ୍ତ ଏହାକୁ ରଖିଥିବାରୁ ପୋଲିସ ତାକୁ ଖୋଜିବା ସହ ଚୋରି ବାଇକ ଠାବ କରିବାକୁ ଯୋଜନା କରୁଥିବା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁନୀଲ କୁମାର ମହାନ୍ତି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।