ଭୁବନେଶ୍ବର: ରାଜ୍ୟରେ ଖରା ସହ ଅସ୍ୱାଭାବିକ ଗରମର ଅନୁଭୂତି ହେଲାଣି । ଜାନୁଆରୀ ଶେଷରେ ବି ଟାଇଁ ଟାଇଁ ଖରା । କାରଣ ବଢିଲା ଦିନ ସହ ରାତିର ତାପମାତ୍ରା । ସ୍ବାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହୋଇଛି । ଆସନ୍ତା ୫ ଦିନ ପରେ ଆହୁରି ବଢିବ ତାପମାତ୍ରା । ଅଧିକାଂଶ ଜିଲ୍ଲାରେ ସ୍ବାଭାବିକ ଠାରୁ ୪ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାତି ।
ଆଗାମୀ ୭ ଦିନ ଯାଏ ଶୁଖିଲା ପାଗ:
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି," ଗତ ୨୪ ଘଣ୍ଟା ମଧ୍ୟରେ କିଛି କିଛି ସ୍ଥାନରେ ଘନ କୁହୁଡି ଦେଖା ଦେଇଛି । ଆଗାମୀ ୭ ଦିନ ଯାଏ ପାଗ ଶୁଖିଲା ରହିବା ସହ ତାପମାତ୍ରା ବୃଦ୍ଧି ହେବ । ବର୍ଷାର କୌଣସି ସମ୍ଭାବନା ନାହିଁ । ବିଶେଷ କରି ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡିଶାରେ ବଢିବ ଦିନ ତାପମାତ୍ରା । ଉପକୂଳ ଓଡିଶାରେ ଅହେତୁକ ବଢିବ ରାତିର ତାପମାତ୍ରା । ମେଘମୁକ୍ତ ଆକାଶ ସହ ପବନର ଉତ୍ତରାୟଣ ଗତିକୁ ନେଇ ମଧ୍ୟ ବୃଦ୍ଧି ହେବ ତାପମାତ୍ରା । "
୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ:
ସେପଟେ ଆହୁରି ୪୮ ଘଣ୍ଟା ଘନ କୁହୁଡି କରିବ ଅସ୍ତବ୍ୟସ୍ତ । ୨୪ ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡି ନେଇ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ । ବାଲେଶ୍ୱର, ଭଦ୍ରକ, ଯାଜପୁର କେନ୍ଦ୍ରାପଡା, କଟକ, ଜଗତସିଂହପୁର, କେନ୍ଦୁଝର ,ଅନୁଗୋଳ, ଢେଙ୍କାନାଳ ଓ ଗଜପତି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।
ଆସନ୍ତାକାଲି ପାଇଁ ୱାର୍ଣ୍ଣଂ:
ଆସନ୍ତାକାଲି ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ବିଭାଗ । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ ଓ ଜଗତସିଂହପୁରରେ ଘନ କୁହୁଡି ସତର୍କତା ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୫୦ ମିଟର ତଳକୁ ଖସିବ ଦୃଶ୍ୟମାନ ଦୂରତା ଏବଂ କିଛି ସ୍ଥାନରେ ଜିରୋ ଭିଜିବିଲିଟି ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ସତର୍କତାର ସହ ଗାଡି ଚାଳନା ପାଇଁ ପରାମର୍ଶ ଦେଇଛି ବିଭାଗ । ସେହିପରି ୨ ତାରିଖରେ ଉପକୂଳ ଓଡ଼ିଶାରେ କିଛି ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବ ।
ଏହା ମଧ୍ୟ ପଢନ୍ତୁ...କଲବଲ କରିବ ଖରା, ଘନକୁହୁଡି ପାଇଁ ୧୯ ଜିଲ୍ଲାକୁ ୱାର୍ଣ୍ଣିିଂ - IMD ODISHA WEATHER UPDATE ଏହା ମଧ୍ୟ ପଢନ୍ତୁ...ଦୁଇ ଦିନ ପରେ ରାଜ୍ୟରେ ଟାଇଁ ଟାଇଁ ଖରା, ଜଳିବ ଉପକୂଳ ଓଡିଶା - WEATHER UPDATE |
କେଉଁଠି କେତେ ତାପମାତ୍ରା:
ଗତ ୨୪ ଘଣ୍ଟାରେ ତାପମାତ୍ରା ୪ ରୁ ୬ ଡିଗ୍ରୀ ଯାଏ ହ୍ରାସ ପାଇଥିବାବେଳେ ସମତଳ ଅଞ୍ଚଳର ଫୁଲବାଣୀରେ ୧୪.୦ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ପାହାଡିଆ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା କୋରାପୁଟ ଜିଲ୍ଲାରେ ୧୧ ଡିଗ୍ରୀ ଏବଂ ଜି ଉଦୟଗିରିରେ ୧୦.୬ ଡିଗ୍ରୀ ରେକର୍ଡ କରାଯାଇଛି । ସର୍ବାଧିକ ତାପମାତ୍ରା ସମ୍ବଲପୁର ଓ ଝାରସୁଗୁଡ଼ାରେ ୩୩.୪ ଡିଗ୍ରୀ ସହ ଭୁବନେଶ୍ୱରରେ ୩୦.୭ ଓ କଟକରେ ୨୯.୮ ଡିଗ୍ରୀ ରେକର୍ଡ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର