ଭୁବନେଶ୍ବର: ଦାୟିତ୍ବ ଗ୍ରହଣ କଲେ ନବ ନିଯୁକ୍ତ ରାଜ୍ୟ ନିର୍ବାଚନ ଅୟୋଗ । ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମଧୁସୂଦନ ପାଢ଼ୀ ଆଜି ରାଜ୍ୟ ନିର୍ବାଚନ ଅୟୋଗ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ରାଜ୍ୟର ଅଷ୍ଟମ ନିର୍ବାଚନ ଆୟୋଗ ଭାବେ ସେ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ସହ ଅଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଆସନ୍ତା ପୌର ଓ ପଞ୍ଚାୟତ ନିର୍ବାଚନ ସୁରୁଖୁରୁରେ ପରିଚାଳନା କରିବା ବଡ଼ ଦାୟିତ୍ୱ ବୋଲି ସେ କହିଛନ୍ତି ।
'ତୃଣମୂଳ ସ୍ତରରେ ଗଣତନ୍ତ୍ର ପ୍ରତିଷ୍ଠା ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦାୟିତ୍ୱ'
ରାଜ୍ୟ ନିର୍ବାଚନ ଆୟୋଗ ଭାବେ ଦାଇତ୍ୱ ନେଇଛନ୍ତି ପୂର୍ବତନ ପ୍ରଶାସକ ମଧୁସୂଦନ ପାଢ଼ୀ । ଦାୟିତ୍ୱ ନେବା ପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ରାଜ୍ୟ ନିର୍ବାଚନ ଆୟୋଗ ମଧୁସୂଦନ ପାଢ଼ୀ କହିଛନ୍ତି, "ରାଜ୍ୟ ସରକାର ମୋତେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି । ଦାୟିତ୍ୱ ଠିକ ଭାବେ ତୁଲାଇବା ଲାଗି ସରକାର ଓ ଲୋକଙ୍କ ଅପେକ୍ଷା ରହିଛି । ମହାପ୍ରଭୁଙ୍କ ଆଶୀର୍ବାଦରୁ ଏହି ଦାୟିତ୍ୱ ସଠିକ ଭାବେ ତୁଲାଇ ପାରିବି ବୋଲି ଆଶା ରହିଛି । ନୂଆ କରି ଦାୟିତ୍ୱ ନେଇଛି, ଏହାକୁ ସୁଚାର ରୂପେ ପରିଚାଳନା ବଡ଼ ଆହ୍ବାନ ରହିବ । ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଅଛି । ଯେକୌଣସି ନିର୍ବାଚନ ସବୁବେଳେ ଆହ୍ୱାନ ନେଇ ଆସେ । ତୃଣମୂଳ ସ୍ତରରେ ଗଣତନ୍ତ୍ର ପ୍ରତିଷ୍ଠା କରିବା ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦାୟିତ୍ୱ ଅଧିକ ।"
'ସ୍ୱଚ୍ଛତା ଏବଂ ନିରପେକ୍ଷତାକୁ ଅଧିକ ଗୁରୁତ୍ବ':
ସେ ଆହୁରି ମଧ୍ୟ କହିଛନ୍ତି, "ସମସ୍ତ ନିର୍ବାଚନ ପୂର୍ବରୁ ପଞ୍ଚାୟତର ସୀମା ନିର୍ଦ୍ଧାରଣ ହୁଏ । ରାଜ୍ୟ ସରକାର ଯଦି ଚାହିଁବେ, କରିବେ । ଲୋକ ସଂଖ୍ୟା ଅନୁସାରେ ସୀମା ନିର୍ଦ୍ଧାରଣ ହୁଏ । ଏହା ଏକ ସ୍ୱାଭାବିକ ପ୍ରକ୍ରିୟା । ଏଥିରେ କିଛି ବଡ଼ କଥା ନାହିଁ । ରାଜନୈତିକ ବୟାନବାଜି, ଆଲୋଚନା ଏବଂ ପର୍ଯ୍ୟାଲୋଚନା ରହିବ । କିନ୍ତୁ ସେଥିରେ ଆମେ ପ୍ରଭାବିତ ହେବାର ନାହିଁ । ସାଧାରଣ ସମସ୍ୟା ରହିଲେ, ତାହାକୁ ଆମେ ଗୁରୁତ୍ୱର ସହ ନେବୁ । ସେ ଅନୁସାରେ ଆମର ପଦକ୍ଷେପ ରହିବ । ସ୍ୱଚ୍ଛତା, ନିରପେକ୍ଷତା ଓ ସୁଚାରୁରୂପେ କାର୍ଯ୍ୟ କରିବା ଲକ୍ଷ୍ୟ ରହିବ । 30 ବର୍ଷର ପ୍ରଶାସନିକ ଅଧିକାରୀ ଭାବେ ଉପ ଜିଲ୍ଲାପାଳ, ଜିଲ୍ଲାପାଳ, ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ନିର୍ବାଚନ ପରିଚାଳନା କରିଛି । ଅଧିକାରୀ ଭାବେ କାର୍ଯ୍ୟ କରିଛୁ କିନ୍ତୁ କମିଶନ ଭାବେ ଦାଇତ୍ୱ ଅଲଗା ।"
କଣ ରହିବ ବଡ଼ ଚ୍ୟାଲେଞ୍ଜ ?
2022 ପଞ୍ଚାୟତ ଓ ପୌର ନିର୍ବାଚନରେ ବ୍ୟାପକ ମାତ୍ରାରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା । ତେଣୁ ନୂଆ ଅୟୋଗଙ୍କ ଲାଗି ଶୃଙ୍ଖଳିତ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ବଡ଼ ଚ୍ୟାଲେଜିଂ ରହିବ । ବିଭିନ୍ନ ସ୍ଥାନରେ ଫାଙ୍କା ରହିଥିବା ସରପଞ୍ଚ, ସମିତିସଭ୍ୟ ଓ ଅନ୍ୟାନ୍ୟ ପଦବୀ ପୂରଣ ପାଇଁ ଉପନିର୍ବାଚନ ଆୟୋଜନ ମଧ୍ୟ ଚ୍ୟାଲେଞ୍ଜ ହେବ । ସେହିପରି ନୂଆ ଭୋଟରମାନଙ୍କୁ ନିର୍ବାଚନ ପାଇଁ ଆକୃଷ୍ଟ କରିବା ଆୟୋଗଙ୍କ ଲାଗି ବଡ଼ ଆହ୍ଵାନ ରହିବ । ଗତ ବର୍ଷ ଅଗଷ୍ଟ ମାସରୁ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲା । ରାଜ୍ୟ ସରକାର ନୂଆ କମିସନର ନିଯୁକ୍ତି ଦେବାରେ ବିଳମ୍ବ କରିବାରୁ ଆଦିତ୍ୟ ପୂର୍ବଭଳି କାର୍ଯ୍ୟ ଜାରି ରଖିଥିଲେ ।
ନବ ନିଯୁକ୍ତ ରାଜ୍ୟ ନିର୍ବାଚନ ଅୟୋଗଙ୍କ ସମ୍ପର୍କରେ କିଛି...
ଗତ 27 ତାରିଖରେ ରାଜ୍ୟ ସରକାର ପୂର୍ବତନ ଆଇଏଏସ ମଧୁସୂଦନ ପାଢ଼ୀଙ୍କୁ ରାଜ୍ୟ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତି ଦେଇଥିଲେ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । 1991 ବ୍ୟାଚର ଓଡିଶା କ୍ୟାଡରର ଆଇଏଏସ ଅଧିକାରୀ ହେଉଛନ୍ତି ମଧୁସୂଦନ ପାଢ଼ୀ । କନ୍ଧମାଳ ଜିଲ୍ଲାର ବାଲିଗୁଡାର ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ମୟୂରଭଞ୍ଜ ଜିଲ୍ଲାର ପ୍ରକଳ୍ପ ନିର୍ଦ୍ଦେଶ ଭାବେ କାର୍ଯ୍ୟ କରିଛନ୍ତି । ଏହା ପରେ ସେ କନ୍ଧମାଳ, ବଲାଙ୍ଗୀର, କୋରାପୁଟ ଓ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ବିଭିନ୍ନ ବିଭାଗର ନିର୍ଦ୍ଦେଶକ, ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରିଛନ୍ତି । ଗ୍ରାମ୍ୟ ଉନ୍ନୟନ, ସୂଚନା ଏବଂ ଲୋକ ସମ୍ପର୍କ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ଉଚ୍ଚଶିକ୍ଷା ବିଭାଗରେ କାର୍ଯ୍ୟ କରିଛନ୍ତି । ସେହିପରି ସେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର