ଭୁବନେଶ୍ବର/କଟକ:ସବୁ କଳ୍ପନା ଜଳ୍ପନା ଅନ୍ତ ଘଟିଲା । ଓଡିଶାର ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ପାଇଛନ୍ତି ପିତାମ୍ବର ଆଚାର୍ଯ୍ୟ । ରାଜ୍ୟପାଳ ପିତାମ୍ବର ଆଚାର୍ଯ୍ୟଙ୍କୁ ଓଡିଶାର ପରବର୍ତ୍ତୀ ଏଜି ଭାବେ ନିଯୁକ୍ତି ଦେଇଛନ୍ତି । ଏନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ମୋହନ ସରକାର ଆଜି ଏକ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି । ଆଡ଼ଭୋକେଟ ଜେନେରାଲ ବା ଏଜିଙ୍କୁ ନିଯୁକ୍ତି ଦେଇଛନ୍ତି । ପୂର୍ବ ଏଜି ଅଶୋକ ପରିଜାଙ୍କ ଇସ୍ତଫା ଦେବାର ପ୍ରାୟ 45 ଦିନ ପରେ ନୂଆ ଏଜି ନିଯୁକ୍ତ ହୋଇଛନ୍ତି । ଦୀର୍ଘ ଦିନ ହେଲା ଏହି ସାମ୍ବିଧାନିକ ପଦ ପୂରଣ ହୋଇନଥିବାରୁ ସବୁ ଆଡୁ ସମାଲୋଚନାର ସାମ୍ନା କରୁଥିଲେ ମୋହନ ସରକାର । ଏନେଇ ହାଇକୋର୍ଟ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ । ତେବେ ଆଜି ନୂଆ ଏଜିଙ୍କୁ ନିଯୁକ୍ତି ମିଳିଛି । ଆଜି ଏନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଏଜି ପଦରୁ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜା ଇସ୍ତଫା ଦେଇଥିଲେ । ଫଳରେ ଜୁନ 5ରେ ସରକାରୀ ଓକିଲ ଜ୍ୟୋତିପ୍ରକାଶ ପଟ୍ଟନାୟକଙ୍କୁ ଏହି ପଦର କାମଚଳା ଦାୟିତ୍ଵ ଦିଆଯାଇଥିଲା । ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ଏହି ସାମ୍ବିଧାନିକ ପଦ ଲାଗି ରେସରେ ଥିଲେ ।
ପିତାମ୍ବର ଆଚାର୍ଯ୍ୟ କିଏ ?
ପିତାମ୍ବର ଆଚାର୍ଯ୍ୟ ରାଜ୍ୟ ବିଜେପି ଉପସଭାପତି ଓ ମୁଖପାତ୍ର ଥିଲେ । 2019 ନିର୍ବାଚନରେ ସେ ହିଞ୍ଜିଳି ବିଧାନସଭା ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ବିଜେପି ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ପିତାମ୍ବର ଛାତ୍ର ଜୀବନରୁ ରାଜନୀତିରେ ପ୍ରବେଶ କରିଥିଲେ । 90 ଦଶକରେ ବିଜେବି କଲେଜରେ ଛାତ୍ର ସଂଗଠନର ସଭାପତି ଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନ ୟୁନିଭରସିଟି ଲ' କଲେଜରୁ LLBରେ ସ୍ନାତକ ହାସଲ କରିଛନ୍ତି । ପିତାମ୍ବର ରାଜନୀତି ବିଜ୍ଞାନରେ ମାଷ୍ଟର ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି । ନିଜର ବୃତ୍ତିଗତ ଜୀବନ ଜଣେ ସମ୍ବାଦିକ ଭାବରେ ଆରମ୍ଭ କରିଥିଲେ ପିତାମ୍ବର ଆଚାର୍ଯ୍ୟ । ତିନି ଦଶନ୍ଧି ଧରି ଓଡ଼ିଶା ହାଇକୋର୍ଟରେ ଜଣେ ଆଡଭୋକେଟ୍ ଭାବରେ ସଫଳତାର ସହ କାର୍ଯ୍ୟ କରିଛନ୍ତି ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ।
ଏଜିଙ୍କ କ୍ଷମତା ଓ କାର୍ଯ୍ୟ କଣ ?
ହାଇକୋର୍ଟରେ ଆଡଭୋକେଟ ଜେନେରାଲ ହେଉଛନ୍ତି ସରକାରଙ୍କ ପ୍ରତିନିଧି । ଏଜି ଏକ ସାମ୍ବିଧାନିକ ପଦ । ଆଇନଗତ ମାମଲାରେ ଏଜି ସରକାରଙ୍କ ପ୍ରମୁଖ ପରାମର୍ଶଦାତା । ଯଦି କୌଣସି ପ୍ରସଙ୍ଗରେ ହାଇକୋର୍ଟ ଜାଣିବାକୁ ଚାହିଁଥାନ୍ତି, ତେବେ ସେ ଆଡ଼ଭୋକେଟ ଜେନେରାଲଙ୍କୁ ପଚାରିଥାନ୍ତି । କୌଣସି ଆଇନ, ନିୟମ, ଅଧ୍ୟାଦେଶକୁ ଅସିଦ୍ଧ ଘୋଷଣା ପାଇଁ ମାମଲା ଦାୟର ହୋଇଥାଏ, ତେବେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଆଡଭୋକେଟ ଜେନେରାଲ ସ୍ପଷ୍ଟ କରିଥାନ୍ତି । କେଉଁ ମାମଲାରେ ରାଜ୍ୟ ସରକାର ଅପିଲ ଦାୟର କରିବେ, ପୁନର୍ବିଚାର ଆବେଦନ କରିବେ ବା ସୁପ୍ରିମକୋର୍ଟ ଯିବେ ସେ ନେଇ ଆଡଭୋକେଟ ଜେନେରାଲ ଆଇନଗତ ପରାମର୍ଶ ଦେଇଥାନ୍ତି । ବିଧାନସଭାରେ ମଧ୍ୟ ଆଡଭୋକେଟ ଜେନେରାଲଙ୍କ ବସିବା ଓ ବକ୍ତବ୍ୟ ରଖିବାର ଅଧିକାର ରହିଛି ।