କେନ୍ଦୁଝର:ଯୋଡ଼ା ଥାନା ପୋଲିସ ହେପାଜତରେ ଅଭିଯୁକ୍ତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା । କେନ୍ଦୁଝର ଏସପି ନୀତିନ କୁଶଳକରଙ୍କୁ ଭେଟିଲା ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ । ଏହି ହାଜତ ମୃତ୍ୟୁ ଘଟଣାର ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେପି । ମୃତକଙ୍କ ପରିବାରକୁ ୧ କୋଟି ଟଙ୍କାର କ୍ଷତିପୂରଣ ଦେବା ପାଇଁ ଦାବି କରିଛି ଦଳ ।ଏନେଇ ଗତକାଲି(ଗୁରୁବାର) ଦିନ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ଏସପିଙ୍କୁ ଦାବି ପତ୍ର ପ୍ରଦାନ କରିଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପିର ବରିଷ୍ଠ ନେତା ସତ୍ୟବ୍ରତ ପଣ୍ଡା ଓ ଚମ୍ପୁଆର ପୂର୍ବତନ ବିଧାୟକ ପ୍ରାର୍ଥୀ ମୁରଲୀ ମନୋହର ଶର୍ମା ସାମିଲ ହୋଇଥିଲେ ।
ସୂଚନାଯୋଗ୍ୟ, ଗତ (ସୋମବାର) ଦିନ ଦୀନେଶକୁ ଏକ ମାମଲାରେ ଯୋଡା ପୋଲିସ ଉଠାଇ ଆଣିଥିଲା । ଯୋଡ଼ା ଥାନା କେସ ନଂ ୧୪୧, ଦଫା ୩୭୬.ଏବଂ ୫୦୬ ଆଇପିସିରେ ତା' ନାଁରେ କେସ ରୁଜ୍ଜୁ ହୋଇଥିଲା ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି । ହେଲେ ଗତ ମଙ୍ଗଳବାର ସନ୍ଧ୍ୟାରେ ଦୀନେଶ ନାୟକକୁ ସଙ୍କଟାପନ୍ନ ଅବସ୍ଥାରେ ଟାଟା ହସ୍ପିଟାଲକୁ ନେଇଥିଲା ଯୋଡ଼ା ପୋଲିସ । ତେବେ ଟାଟା ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ପରୀକ୍ଷା କରି ଦୀନେଶଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ପରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ଯୋଡ଼ା ଥାନା ଏବଂ ଟାଟା ଷ୍ଟିଲ ଡାକ୍ତରଖାନାରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିଲା ।
ସେହିପରି କେନ୍ଦୁଝର ଏସପି ନୀତିନ କୁଶଳକର କହିଛନ୍ତି ଯେ,ଏହି ଘଟଣାର ତଦନ୍ତ ଜାରି ରହିଛି । ଜାତୀୟ ମାନବାଧିକାର ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଜଣେ SDPOଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଛି । ତେବେ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ରିପୋର୍ଟ NHRCଙ୍କୁ ପ୍ରଦାନ କରାଯିବ । ସେପଟେ ଥାନାଧିକାରୀଙ୍କ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି । କେଉଁ କାରଣରୁ ଅଭିଯୁକ୍ତ ଯୁବକଙ୍କ ମୃତ୍ୟୁ ହୋଇଛି ଏନେଇ ସ୍ପଷ୍ଟ କାରଣ ଜଣାପଡ଼ିନାହିଁ ।