ଭୁବନେଶ୍ବର: ଓଡିଶାରେ ମୌସୁମୀ ବାୟୁ ପହଁଞ୍ଚିଥିଲେ ସୁଦ୍ଧା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି, କିନ୍ତୁ ସମଗ୍ର ଓଡ଼ିଶାରେ ମୌସୁମୀ ବାୟୁ ଛୁଇଁ ନାହିଁ । ଫଳରେ ରାଜ୍ୟରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଅଂଶୁଘାତର ପ୍ରଭାବ ରାଜ୍ୟରେ ଦେଖିବାକୁ ମିଳିଛି । ରାଜ୍ୟରେ ଚଳିତ ବର୍ଷ ଏଯାବତ ଅଂଶୁଘାତରେ ୪୧ ଜଣଙ୍କ ମୃତ୍ୟୁ ଘଟିଛି । ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ବା ଏସଆରସି ସତ୍ୟବ୍ରତ ସାହୁ ଆଜି ସୂଚନା ଦେଇଛନ୍ତି । ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ବା ଏସଆରସି ସତ୍ୟବ୍ରତ ସାହୁ କହିଛନ୍ତି ଯେ, 'ଚଳିତ ବର୍ଷ ସାରା ଦେଶରେ ଅସ୍ବାଭାବିକ ଭାବେ ଅଂଶୁଘାତ ପରିସ୍ଥିତି ସୃଷ୍ଟି ହୋଇଥିଲା । ପଶ୍ଚିମ ଓ ମଧ୍ୟ ଓଡ଼ିଶାରେ ଏହାର ପ୍ରଭାବ ଅଧିକ ରହିଥିଲା ।
SRC On Sunstroke Deaths (ETV Bharat Odisha) ଗତ ୫ ବର୍ଷ ମଧ୍ୟରେ ସର୍ବାଧିକ ହିଟୱେଭ ଦିନ ଚଳିତ ବର୍ଷ ଅନୁଭୂତ ହୋଇଛି । ବର୍ତ୍ତମାନ ସୁଦ୍ଧା ୪୨ ଦିନ ହିଟ ୱେଭ ଦିନ ହୋଇଛି । ଏପ୍ରିଲ ମାସରେ ଲଗାତାର ଭାବେ ୧୭ ହିଟ ୱେଭ ଦିନ ହୋଇଥିଲା । ମେ ଓ ଜୁନ ମାସରେ ବାକି ୨୫ ଦିନ ହିଟ ୱେଭ ଦିନ ଥିଲା ।'
ଏହା ମଧ୍ୟ ପଢନ୍ତୁ...୨୦ତାରିଖ ଯାଏଁ ବଢ଼ିଲା ଖରା ଛୁଟି; ଛୁଟି ଘୁଞ୍ଚାଇବାକୁ ହୋଇଥିଲା ବିଭିନ୍ନ ମହଲରେ ଦାବି - OSSTA DEMAND TO EXTEND SUMMER BREAK
ଏସଆରସି ଅଧିକ ସୂଚନା ଦେଇ କହିଛନ୍ତି, " ବର୍ତ୍ତମାନ ସୁଦ୍ଧା ଅଂଶୁଘାତଜନିତ ମୃତ୍ୟୁ ନେଇ ୧୬୧ଟି ଅଭିଯୋଗ ଆସିଥିଲା । ସେଥି ମଧ୍ୟରୁ ୪୧ ଜଣଙ୍କ ମୃତ୍ୟୁ ଅଂଶୁଘାତ ଯୋଗୁଁ ହୋଇଛି । ଶବ ବ୍ୟବଚ୍ଛେଦ ଓ ତଦନ୍ତ ପରେ ଜିଲ୍ଲାପାଳମାନେ ଯେଉଁ ରିପୋର୍ଟ ଦେଇଛନ୍ତି । ସେହି ଆଧାରରେ ରିପୋର୍ଟ ପ୍ରକାଶ କରାଯାଇଛି । ସେହିପରି ବାକି କିଛି ସ୍ଥାନରୁ ରିପୋର୍ଟ ଆସିନାହିଁ । ଆସନ୍ତା ୩ରୁ ୪ ଦିନ ଏଭଳି ଅବସ୍ଥା ରହିବ । ଜିଲ୍ଲାପାଳଙ୍କୁ ଆମେ ସତର୍କ କରିଛୁ । ଚଳିତ ମାସ ଜୁନ ୩ ତାରିଖରୁ ଏପର୍ଯ୍ୟନ୍ତ ଆଉ ସେଭଳି ଅଂଶୁଘାତ ଜନିତ ଅଭିଯୋଗ ଆସିନାହିଁ । ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧୀନ ରହିଛି ।" ସୂଚନାଯୋଗ୍ୟ ଯେ ରାଜ୍ୟର ଉପକୂଳ ଓଡ଼ିଶାରେ ତାତି ଆହୁରି ତିନିରୁ ଚାରି ଦିନ କଲବଲ କରିବ । ସମ୍ପୂର୍ଣ୍ଣ ଓଡ଼ିଶାରେ ମୌସୁମୀ ଅଗ୍ରସର ହେବାକୁ ଆହୁରି ସମୟ ଲାଗିବ । ଆଗାମୀ ୫ ଦିନ ଯାଏଁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି ।
ଇଟିଭି ଭାରତ, ଭୁବନେଶ୍ବର