ଫଗୁ ଦଶମୀରେ ମହାପ୍ରଭୁଙ୍କର ସ୍ବତନ୍ତ୍ର ନୀତିକାନ୍ତି, କାଲି ଜଗନ୍ନାଥ ବଲ୍ଲଭ ମଠରେ ଫଗୁ ଲାଗି ପୁରୀ:ଶ୍ରୀମନ୍ଦିରରେ ଆଜି (ମଙ୍ଗଳବାର) ଫଗୁ ଦଶମୀ ପାଇଁ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ମଧ୍ୟରୁ ଦୋଳଯାତ୍ରା ଅନ୍ୟତମ ପ୍ରମୁଖ ଯାତ୍ରା ଥିବାରୁ ଶ୍ରୀକ୍ଷେତ୍ର ଏଥିଲାଗି ଉତ୍ସବମୁଖର ହୋଇଉଠିଛି । ଏହି ଅବସରରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳବେଦୀକୁ ଆସିବାର ପରମ୍ପରା ରହିଛି । ଏଥିସହ ମହାପ୍ରଭୁଙ୍କ ଦୋଳ ବିମାନକୁ ଦୋଳବେଦୀ ବାହାର ଓ ଭିତର ପାର୍ଶ୍ଵର ଚାରିପାଖରେ ପ୍ରଦକ୍ଷଣ କରାଯାଇଥାଏ । ଏହି ସ୍ବତନ୍ତ୍ର ନୀତିକୁ ସୁରୁଖୁରୁରେ ଶେଷ କରିବା ଲାଗି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବର୍ମା, ଟାଟା ଓ ଓବିସିସି ଜିଏମଙ୍କ ସହ ସମସ୍ତ କାର୍ଯ୍ୟର ସମୀକ୍ଷା କରିଛନ୍ତି ।
ଆସନ୍ତାକାଲି ଫାଲଗୁନ ଶୁକ୍ଳ ଏକାଦଶୀ ଅବସରରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ସ୍ବତନ୍ତ୍ର ବିମାନରେ ବସି ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିବେ । ସେଠାରେ ଅବିର ଓ ଫଗୁ ଲାଗି କରାଯିବ । ସେହିପରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚାଚେରୀ ବେଶ ସହ ଚାଚେରୀ ଭୋଗ ମଧ୍ୟ ଅନୁଷ୍ଠିତ ହେବ । ଆସନ୍ତା ୨୪ ତାରିଖରେ ମେଣ୍ଢା ପୋଡ଼ି ଓ ୨୫ ତାରିଖରେ ଦୋଳପୂର୍ଣ୍ଣିମା ଥିବାରୁ ଦୋଳବେଦୀରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ତେଣୁ ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଏହା ବି ପଢନ୍ତୁ- ବିଦ୍ୟୁତ ଖର୍ଚ୍ଚ ରୋକିବାକୁ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି, ପରିକ୍ରମା ମାର୍ଗରେ ବ୍ୟବହାର ହେବ ସୌର ଶକ୍ତି
ଏଥିସହ ମହାପ୍ରଭୁଙ୍କ ଦୋଳ ବିମାନକୁ ଦୋଳବେଦୀ ବାହାର ଓ ଭିତର ପାର୍ଶ୍ଵର ଚାରିପାଖରେ ପ୍ରଦକ୍ଷଣ କରାଯାଇଥାଏ । ତେବେ ଦୋଳ ବେଦୀରେ ଚାଲିଥିବା ସମସ୍ତ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବର୍ମା, ଟାଟା ଓ ଓବିସିସି ଜିଏମଙ୍କ ସହ ସମସ୍ତ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଭକ୍ତମାନେ ଯେଭଳି ସୁରୁଖୁରୁରେ ଏବଂ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ପ୍ରବଳ ଖରା ଓ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ପାନୀୟ ଜଳ, ସିଂହଦ୍ଵାର ନିକଟ ବ୍ୟାରିକେଡ଼ରେ ମ୍ୟାଟ୍ ମଧ୍ୟ ପକାଯାଇଥିବା ମୁଖ୍ୟ ପ୍ରଶାସକ କହିଛନ୍ତି ।
ଆସନ୍ତା ୨୫ ତାରିଖରେ ଦୋଳ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ସ୍ବତନ୍ତ୍ର ବିମାନରେ ବିଜେ କରି ଦୋଳବେଦୀରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ । ସେହିପରି ଦୋଳପୂର୍ଣ୍ଣିମା ଦିନ ଶ୍ରୀମନ୍ଦିରରେ ସକାଳ ଧୂପ ବଢ଼ିବା ପରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହେବାକୁ ଥିବାରୁ ଭକ୍ତମାନେ ଏହି ବେଶ ଦର୍ଶନ ପାଇଁ ବେଶ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।
ଇଟିଭି ଭାରତ, ପୁରୀ