କଟକ: ରାତି ପାହିଲେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ସମସ୍ତ ସ୍ତରରେ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଲାଣି । ହଜାର ହଜାର ଭକ୍ତ ପୁରୀ ଯିବେ ଆଉ ରଥ ଟାଣିବେ । ଭକ୍ତଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଅନେକ ବ୍ୟବସ୍ଥା କରିଛନ୍ତି । ବିଶେଷକରି ଟ୍ରେନ ଆଉ ବସରେ ଯେପରି ଭକ୍ତ ମାନେ ଯାଇପାରିବେ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହି କ୍ରମରେ ପୁରୀକୁ ଗଡିବ ହଜାରେରୁ ଅଧିକ ବସ । ରାଜ୍ୟର ବିଭିନ୍ନ ବସଷ୍ଟାଣ୍ଡ ଓ ଟର୍ମିନାଲରୁ ଯାତ୍ରୀ ନେଇ ବସ ଗୁଡିକ ପୁରୀ ଅଭିମୁଖେ ଯାତ୍ରା କରିବ । କେବଳ CNBTରୁ ଗଡିବ 150 ବସ । ଯାତ୍ରୀଙ୍କ ସୁବିଧା ପାଇଁ କଣ୍ଟ୍ରୋଲ ରୁମ ଖୋଲିବ ବୋଲି ବସ ମାଲିକ ସଂଘ କହିଛି । ସେହିପରି ଓଆରଏସ ସହ ପର୍ଯ୍ୟାପ୍ତ ପାନୀୟ ଜଳ ସହ ସବୁ ଯାତ୍ରୀଙ୍କ ପାଇଁ ବସରେ ଫାଷ୍ଟଏଡ଼ କିଟ ରହିବ ବୋଲି ବସ ବ୍ୟବସାୟୀ ସଂଘ କହିଛି ।
ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ଦେଖିବାକୁ ପୁରୀ ଯିବେ ଲକ୍ଷ ଲକ୍ଷ ଭକ୍ତ । ବିଶେଷକରି ଉଭୟ ବସ ଓ ଟ୍ରେନ ଯୋଗେ ପୁରୀ ଅଭିମୁଖେ ଯାତ୍ରା କରିବେ ଲକ୍ଷାଧିକ ଭକ୍ତ । ଭକ୍ତ ମାନେ ଯେପରି ଶୃଙ୍ଖଳାର ସହ ପୁରୀ ଯାତ୍ରା କରିବେ ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ଘରୋଇ ବସ ମାଲିକ ସଂଘ ବ୍ୟାପକ ବନ୍ଦୋବସ୍ତ କରିଛି । ରଥଯାତ୍ରା ପାଇଁ ରାଜ୍ୟର ବିଭିନ୍ନ ବସଷ୍ଟାଣ୍ଡ, ବସ ଟର୍ମିନାଲରୁ ଗଡିବ ହଜାରେରୁ ଅଧିକ ବସ । କେବଳ କଟକ ନେତାଜୀ ବସ ଟର୍ମିନାଲରୁ ଗଡିବ 150ଟି ବସ । ଯେଉଁଥିରେ 80 ଟି ନିୟମିତ ବସ ଥିବାବେଳେ 70 ଟି ସ୍ବତନ୍ତ୍ର ବସ ଯାତ୍ରୀ ନେଇ ପୁରୀ ଯିବ ।