ପୁରୀ: ଆଜି ଦେବସ୍ନାନ ପୂର୍ଣ୍ଣିମା । ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଆରମ୍ଭ ହୋଇଯାଇଛି ଜଗତର ନାଥ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନଯାତ୍ରା । ୧୦୮ କଳସ ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି। ଏହାପରେ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ । ସାଧାରଣତଃ ବର୍ଷରେ ଥରୁଟିଏ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କ ସହିତ ପ୍ରତ୍ୟକ୍ଷ ଶ୍ରୀଅଙ୍ଗ ଜଳସ୍ନାନ କରନ୍ତି । ବାକି ବର୍ଷ ସାରା ତାଙ୍କୁ ପ୍ରତିବିମ୍ବସ୍ନାନ କରାଯାଏ । ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ ।
ଆଜିର ନୀତିକାନ୍ତି:ପବିତ୍ର ସ୍ନାନଯାତ୍ରା ଅବସରରେ ଆଜି ଭୋର ସମୟରୁ ପୁରୀରେ ଆରମ୍ଭ ହୋଇଯାଇଛି ସ୍ୱତନ୍ତ୍ର ନୀତିକାନ୍ତି । ଭୋର ୪.୩୦ରେ ମଙ୍ଗଳାର୍ପଣ ପରେ ଡୋରଲାଗି ଓ ପୁଷ୍ପାଞ୍ଜଳୀ ହୋଇ ୫ଟାରୁ ୭ଟା ପର୍ଯ୍ୟନ୍ତ ପହଣ୍ଡି କରାଯାଇଛି। ଧାଡି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦୀରୁ ସ୍ନାନବେଦୀକୁ ଆସିଛନ୍ତି । ଏହାପରେ ୯ଟାରେ ମଙ୍ଗଳ ଆଳତି, ୯.୧୫ରେ ମଇଲମ ନୀତି, ୯.୨୫ରେ ତଡପ ଲାଗି ନୀତି, ୯.୪୫ରେ ଅଧର ପୋଛା, ୧୦.୨୦ରେ ଅବକାଶ, ୧୦.୩୦ରେ ରୋଷହୋମ, ୧୦.୫୫ରେ ସୂର୍ଯ୍ୟପୂଜା, ୧୧.୧୦ରେ ଦ୍ୱାରପାଳ ପୂଜା, ୧୧.୨୫ରେ ବେଶ ଶେଷ ନୀତି କରାଯିବ ।
ଏହାପରେ ୧୨.୨୦ରୁ ୧.୪୫ ମଧ୍ୟରେ ଜଳ ବିଜେ, ପୂଜା ଓ ସ୍ନାନ ନୀତି କରାଯିବ । ୨.୫୦ରେ ମଇଲମ, ମେକାପ ସର୍ବାଙ୍ଗ, ନୂଆଲୁଗା ଲାଗି ବେଶ କରାଯିବ । ଏହାପରେ ଅପରାହ୍ନ ୩ଟା ସମୟରେ ଛେରା ପହଁରା ନୀତି କରାଯିବ ।
ଛେରା ପହଁରା ନୀତି ପରେ ୩.୪୦ରେ ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଏହାପରେ ୪ଟାରେ ମହନ୍ତ ଶାଢୀବନ୍ଧା, ୫.୪୫ରୁ ୭.୨୦ ଘଣ୍ଟଛତା ସକାଳ ଧୂପ ନୀତି କରାଯିବ । ଏହାମଧ୍ୟରେ ସନ୍ଧ୍ୟା ୬.୩୦ରେ ଦକ୍ଷିଣିଘର ଭୋଗ, ସନ୍ଧ୍ୟା ୭.୩୦ରୁ ୧୦.୩୦ ମଧ୍ୟରେ ସାହାଣମେଲା, ରାତି ୧୧ଟାରେ ହାତୀବେଶ ମଇଲମ, ୧୧.୧୦ ପୁଷ୍ପାଞ୍ଜଳୀ ଓ ଡୋରଲାଗି , ୧୧.୩୦ରୁ ୨ଟା ମଧ୍ୟରେ ବାହୁଡା ପହଣ୍ଡି ଓ ଶେଷରେ ରାତି ୨.୩୦ରେ ସୁନା ଚିତା ଓ ରାହୁରେଖା ମଇଲମ ନୀତି ଅନୁଷ୍ଠିତ ହେବ ।
ଆଜିର ଟ୍ରାଫିକ କଟକଣା:ପବିତ୍ର ସ୍ନାନଯାତ୍ରା ଅବସରରେ ଜନସମୁଦ୍ର ପାଲଟିଛି ବଡଦାଣ୍ଡ । ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଆସିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ ନିୟମ ପରିବର୍ତ୍ତନ କରାଯାଇଛି ।