ଭୁବନେଶ୍ବର: ଓଡିଶାରେ ପହଁଚିଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ୍ ସନ୍ମୁଗରତ୍ନମ । ସିଙ୍ଗାପୁରର ରାଷ୍ଟ୍ରପତି ଥର୍ମନ ସନ୍ମୁଗରତ୍ନମଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବା ପରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି । ସିଙ୍ଗାପୁରର ରାଷ୍ଟ୍ରପତିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବାଗତ କରିଛନ୍ତି ।
ଦୁଇଦିନିଆ ଓଡ଼ିଶା ଗସ୍ତରେ ସିଙ୍ଗାପୁର ରାଷ୍ଟ୍ରପତି:
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ୍ ସନ୍ମୁଗରତ୍ନମ । ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ତାଙ୍କୁ ସ୍ବାଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଉପସ୍ଥିତ ଥିଲେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ ଡିଜି ୱାଇବି ଖୁରାନିଆ, ପୋଲିସ କମିଶନର ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା ।
ମଞ୍ଚେଶ୍ୱରସ୍ଥିତ ୱାର୍ଲ୍ଡ ସ୍କିଲ ସେଣ୍ଟରରେ ସିଙ୍ଗାପୁର ରାଷ୍ଟ୍ରପତି:
ମଞ୍ଚେଶ୍ୱରସ୍ଥିତ ୱାର୍ଲ୍ଡ ସ୍କିଲ ସେଣ୍ଟରରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି।ଏଥି ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କନକ ବର୍ଦ୍ଧନ ସିଂହଦେଓ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଅଛନ୍ତି ।
ଓଡ଼ିଶା-ସିଙ୍ଗାପୁର ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ MOU:
ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ୍ ସନ୍ମୁଗରତ୍ନମଙ୍କ ସହିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଓଡ଼ିଶା ଆସିଛନ୍ତି । ଓଡ଼ିଶା ଏବଂ ସିଙ୍ଗାପୁର ମଧ୍ୟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା ହେବା ସହ ବୁଝାମଣା ପତ୍ର ସ୍ବାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି । ଏହାସହ ସିଙ୍ଗାପୁର ରାଷ୍ଟ୍ରପତି, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ସାକ୍ଷାତ ଆଲୋଚନା କରିବେ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀକହିଛନ୍ତି, "ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନ୍ମୁଗରତ୍ନମ ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ମୁଁ ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରିଛି । ଦୁଇ ଦିନିଆ ଗସ୍ତ ସମୟରେ ସିଙ୍ଗାପୁର ରାଷ୍ଟ୍ରପତି ଭୁବନେଶ୍ୱରର world skill ସେଣ୍ଟର ବୁଲି ଦେଖିବା ସହ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ପରିଦର୍ଶନ କରିବେ । ମୁଁ ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଗଣ, ବରିଷ୍ଠ ଅ ଧିକାରୀ ସିଙ୍ଗାପୁର ସହ ସମ୍ପର୍କ ସୁଦୃଢ କରିବା ନେଇ ଆଲୋଚନା କରିବୁ । ବିଭିନ୍ନ ପର୍ଯ୍ୟାୟରେ ଦୁଇ ଦିନ ଧରି ଆଲୋଚନା ଚାଲିବ।"