ଓଡିଶା

odisha

ETV Bharat / state

ଆସନ୍ତାକାଲିଠୁ ଖୋଲିବ ପ୍ରକୃତିପ୍ରେମୀଙ୍କ ଭୂସ୍ବର୍ଗ ଶିମିଳିପାଳ, ଏଥର ଏହି ନୂଆ ବ୍ୟବସ୍ଥା

ଖୋଲିବ ସୁନ୍ଦରୀ ‘ଶିମିଳିପାଳ’ । ଓ୍ବାଇଲ୍ଡ ଲାଇଫ ଆଡଭେନଚର ସହ ପ୍ରାକୃତିକ ସୌନ୍ଦର୍ଯ୍ୟର ଭିନ୍ନ ଅନୁଭୂତି ପାଇବେ ପର୍ଯ୍ୟଟକ ଓ ପ୍ରକୃତିପ୍ରେମୀ । କଣ ରହିଛି ଏଥର ସ୍ବତନ୍ତ୍ର ବ୍ୟବସ୍ଥା, ଜାଣନ୍ତୁ

By ETV Bharat Odisha Team

Published : 4 hours ago

ଆସନ୍ତାକାଲିଠୁ ଖୋଲିବ ପର୍ଯ୍ୟଟକଙ୍କ ଭୂସ୍ବର୍ଗ ଶିମିଳିପାଳ
ଆସନ୍ତାକାଲିଠୁ ଖୋଲିବ ପର୍ଯ୍ୟଟକଙ୍କ ଭୂସ୍ବର୍ଗ ଶିମିଳିପାଳ (ETV Bharat Odisha)

ରାଇରଙ୍ଗପୁର (ମୟୂରଭଞ୍ଜ):କେବଳ ଦେଶ ନୁହେଁ, ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ଓଡିଶାକୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥିବା ମୟୂରଭଞ୍ଜ ଜିଲ୍ଲାର ‘ଶିମିଳିପାଳ ଜାତୀୟ ଉଦ୍ୟାନ’ ହେଉଛି ଏସିଆ ମହାଦେଶର ଦ୍ବିତୀୟ ସର୍ବବୃହତ ଜୈବମଣ୍ଡଳ । ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ବିବିଧତାର ଗନ୍ତାଘର ଶିମିଳିପାଳ ଜାତୀୟ ଉଦ୍ୟାନ ହେଉଛି ବିଶ୍ବବ୍ୟାପୀ ପ୍ରକୃତିପ୍ରେମୀଙ୍କ ଭୂସ୍ବର୍ଗ । କିଛି ଦିନ ବନ୍ଦ ରହିବା ପରେ ଆସନ୍ତକାଲି (ଅକ୍ଟୋବର 10 ତାରିଖ) ପର୍ଯ୍ୟଟକଙ୍କ ପାଇଁ ଏହି ଜାତୀୟ ପୁଣି ଥରେ ଖୋଲିବାକୁ ଯାଉଛି । ଏନେଇ ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

  • ଦୁଇଟି ଏଣ୍ଟ୍ରି ପଏଣ୍ଟରେ ପର୍ଯ୍ୟଟକଙ୍କୁ କରାଯିବ ସ୍ବାଗତ :-

ଅଭ୍ୟୟାରଣ୍ୟ ଖୋଲିବା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଦୁଇଟି ପ୍ରବେଶ ପଥ ଯଥା, ବାରିପଦା ପିଠାବଟା ଗେଟ୍ ଓ ଯଶିପୁର ସ୍ଥିତ କାଳିକାପ୍ରସାଦ ଗେଟରେ ପର୍ଯ୍ୟଟକମାନଙ୍କୁ ସ୍ବାଗତ କରାଯିବ । ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ୍ୟପ୍ରାଣୀ ସଂରକ୍ଷକ ଡଃ.ପ୍ରକାଶ ଚାନ୍ଦ ଗୋଗିନେନୀ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ପ୍ରତ୍ୟେକ ଦିନ ବାରିପଦା ପିଠାବଟା ଗେଟ୍ ଦେଇ ୨୫ଟି ଗାଡି ଓ ଯଶିପୁର କାଳିକାପ୍ରସାଦ ଗେଟ୍ ଦେଇ ୩୫ଟି ଗାଡି ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିବ ବୋଲି ସ୍ଥିର କରାଯାଇଛି ।

ଆସନ୍ତାକାଲିଠୁ ଖୋଲିବ ପ୍ରକୃତିପ୍ରେମୀଙ୍କ ଭୂସ୍ବର୍ଗ ଶିମିଳିପାଳ, ଏଥର ଏହି ନୂଆ ବ୍ୟବସ୍ଥା (ETV Bharat Odisha)
  • ସକାଳ ୬ ଟାରୁ ପୂର୍ବାହ୍ନ ୯ଟା ମଧ୍ୟରେ ବୁକିଂ:

ସର୍ବପ୍ରଥମେ ଦୁଇଟି ଗେଟରେ ପ୍ରବେଶ ପାଇଁ ସକାଳ ୬ ଟାରୁ ୯ଟା ପର୍ଯ୍ୟନ୍ତ ବୁକିଂ କାଉଣ୍ଟରରୁ ଅନୁମତିପତ୍ର ନେଇ ଶିମିଳିପାଳ ପ୍ରବେଶ କରିବେ ପର୍ଯ୍ୟଟକ । ଏଥିପାଇଁ ପ୍ରତି ପର୍ଯ୍ୟଟକଙ୍କ ପାଇଁ ନିର୍ଦ୍ଦିଷ୍ଟ ପରିମାଣର ଦେୟ ମଧ୍ୟ ଧାର୍ଯ୍ୟ ହୋଇଛି । ତେବେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ପର୍ଯ୍ୟଟକମାନେ ପ୍ଲାଷ୍ଟିକ ସାମଗ୍ରୀ, ଆମିଷ ଖାଦ୍ୟ, ମାଚିସ, ଲାଇଟର, ମାଦକ ଦ୍ରବ୍ୟ ଆଦି ସାମଗ୍ରୀ ନେଇ ପାରିବେନାହିଁ । ଏସବୁ ଉପରେ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି ।

ଆସନ୍ତାକାଲିଠୁ ଖୋଲିବ ପ୍ରକୃତିପ୍ରେମୀଙ୍କ ଭୂସ୍ବର୍ଗ ଶିମିଳିପାଳ (ETV Bharat Odisha)
  • ରାତ୍ରିଯାପନ ପାଇଁ କରିପାରିବେ ଅଗ୍ରୀମ ଅନ-ଲାଇନ ବୁକିଂ

ପର୍ଯ୍ୟଟକମାନେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ଯାତ୍ରୀ ନିବାସଗୁଡିକରେ ରାତ୍ରୀଯାପନ ପାଇଁ www.ecotourism.com ୱେବସାଇଟରେ ଅଗ୍ରୀମ ବୁକିଂ କରିବାର ସୁବିଧା ମଧ୍ୟ ରହିଛି । ଗାଇଡଲାଇନ ଅନୁଯାୟୀ, ଶିମିଳିପାଳ ବୁଲିବା ପାଇଁ ପର୍ଯ୍ୟଟକମାନେ ପ୍ରତି ଗାଡ଼ିରେ ଜଣେ ଗାଇଡକୁ ସାଥିରେ ନେଇଯିବାର ନିୟମ ରହିଛି । ଏଥି ସହିତ ଅପରାହ୍ନ ୩ଟା ସମୟ ପୂର୍ବରୁ ଯୋରନ୍ଦା ଓ ବରେହିପାଣି, ୪ ଘଟିକା ସମୟ ପୂର୍ବରୁ ଚହଲା ଏବଂ ସନ୍ଧ୍ୟା ୫ଟା ସମୟ ପୂର୍ବରୁ ଗେଟ୍ ବାହାରକୁ ଫେରିଯିବା ପାଇଁ ନିର୍ଦ୍ଦେଶାବଳି ରହିଛି । କୌଣସି କାରଣରୁ ଅଭୟାରଣ୍ୟରେ ଗାଡ଼ି ଖରାପ ହେଲେ ପର୍ଯ୍ୟଟକମାନଙ୍କୁ ବାରିପଦା ଓ ଯଶିପୁର ବସଷ୍ଟାଣ୍ଡକୁ ସ୍ଥାନାନ୍ତରିତ କରିବା ପାଇଁ ୪ ହଜାର ଟଙ୍କା ଜମା କରିବାକୁ ନିୟମ ରହିଛି ।

ଆସନ୍ତାକାଲିଠୁ ଖୋଲିବ ପ୍ରକୃତିପ୍ରେମୀଙ୍କ ଭୂସ୍ବର୍ଗ ଶିମିଳିପାଳ (ETV Bharat Odisha)
  • ରହିଛି ଓ୍ବାଇଲ୍ଡ ଲାଇଫ ଆଡଭେନଚର ବ୍ୟବସ୍ଥା:-

ଚଳିତ ବର୍ଷ ଶିମିଳିପାଳ କର୍ତ୍ତୃପକ୍ଷ ଦୁଃସାହାସିକ କ୍ରୀଡା, ମାଉଣ୍ଟେନ ସାଇକେଲିଂ, ନେଚର ଗେମିଂ ଓ ଜଙ୍ଗଲ ସଫାରୀ ଭଳି କିଛି ନୂତନ ଜିନିଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ କରିଛନ୍ତି । ସେହିପରି ଯେଉଁ ପର୍ଯ୍ୟଟକମାନେ ରାତ୍ରି ରହଣି ପାଇଁ ବୁକିଂ କରିଥିବେ ସେମାନେ ବରେହିପାଣି, ଗୁଡଗୁଡିଆ, ଜାମୁଆଣି, କୁମାରୀ, ରାମତୀର୍ଥ ଆଦି ସ୍ଥାନରେ ରହିପାରିବେ । କୁମାରୀ ଗାଁ ନିକଟରେ ବାଉଁଶ କୁଟୀର ବ୍ୟବସ୍ଥା ମଧ୍ୟ ହୋଇଛି । ଶିମିଳିପାଳ ଅଭୟାରଣ୍ୟ ବୁଲିବାକୁ ପର୍ଯ୍ୟଟକଙ୍କ ପାଇଁ ମିନିବସର ମଧ୍ୟ ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକମାନେ ସୁରକ୍ଷିତ ଭାବରେ କିପରି ଅତି ନିକଟରୁ ବନ୍ୟଜନ୍ତୁମାନଙ୍କୁ ଦେଖିପାରିବେ, ସେନେଇ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଉଛି ।

ପ୍ରକୃତିପ୍ରେମୀଙ୍କ ଭୂସ୍ବର୍ଗ ଶିମିଳିପାଳ (ETV Bharat Odisha)
  • ଜୈବ ବିବିଧତାର ଗନ୍ତାଘର ଶିମିଳିପାଳ

ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ । ଶିମିଳିପାଳ ଜୈବମଣ୍ଡଳର କ୍ଷେତ୍ରଫଳ ହେଉଛି ୨,୭୫୦ ବର୍ଗ କିମି । ତନ୍ମଧ୍ୟରୁ ୩୦୩ ବର୍ଗ କିମି ହେଉଛି ଆଭ୍ୟନ୍ତରୀଣ ଅଞ୍ଚଳ ଯାହାକି ଭାରତର ଏକ ପ୍ରସିଦ୍ଧ ଅଭୟାରଣ୍ୟ, ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ଜାତୀୟ ଉଦ୍ୟାନ ଭାବେ ଖ୍ୟାତି ଲାଭ କରିଛି ।ସବୁଜ ବନାନୀ, ନଭଶ୍ଚୁମ୍ବୀ ପର୍ବତ, ଭାସମାନ ମେଘମାଳା ଓ କଳ କଳ ନାଦ କରି ବୋହି ଯାଉଥିବା ଝରଣା ଏଠାରେ ଏକ ମନୋରମ ପରିବେଶ ସୃଷ୍ଟି କରିଥାଏ । ଏଠାରେ ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ ଓ ଉଦ୍ଭିଦ ଦେଖିବାକୁ ମିଳେ । ସେଥିମଧ୍ୟରୁ ୧,୦୭୬ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୨୩୧ ପ୍ରଜାତିର ପକ୍ଷୀ, ୨୯ ପ୍ରଜାତିର ସରୀସୃପ ରହିଛନ୍ତି ।

ପ୍ରକୃତିପ୍ରେମୀଙ୍କ ଭୂସ୍ବର୍ଗ ଶିମିଳିପାଳ (ETV Bharat Odisha)
  • ଶିମିଳିପାଳର ନଦୀ, ଜଳପ୍ରପାତ ଓ ପର୍ବତ ଶୃଙ୍ଗ

ସମୁଦ୍ର ପତ୍ତନଠାରୁ ଶିମିଳିପାଳର ହାରାହାରି ଉଚ୍ଚତା ହେଉଛି ୯ଶହ ମିଟର । ଏଠାରେ ବିଭିନ୍ନ ପ୍ରକାରର ବୃକ୍ଷ ଦେଖାଯାଏ । ଶାଳ, ପିଆଶାଳ, ଶାଗୁଆନ, ଶିଶୁ, ଶିମିଳି, ମହୁଲ, ଆମ୍ବ, ପଣସ ଇତ୍ୟାଦି ବୃକ୍ଷ ଏହି କ୍ଷେତ୍ରୀୟ ଅଭୟାରଣ୍ୟର ଭିନ୍ନ ଆକର୍ଷଣ । ସୁଉଚ୍ଚ ପର୍ବତ ଶିଖରଗୁଡିକ ଯଥା ଖୈରିବୁରୁ (୧୧୭୮ ମି.) ଓ ମେଘାସନୀ (୧୧୫୮ ମିିଟର) ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥାଏ । ବିଭିନ୍ନ ନଦୀଗୁଡିକ ମଧ୍ୟରେ ବୁଢ଼ାବଳଙ୍ଗ, ଖଇରୀ, ସାଳନ୍ଦୀ, ପଳପଳା ଇତ୍ୟାଦି ଶିମିଳିପାଳରୁ ଉତ୍ପନ୍ନ ହୋଇଛନ୍ତି । ବରେହିପାଣି (୪୦୦ ମିଟର), ଯୋରନ୍ଦା ଜଳପ୍ରପାତ (୧୫୦ ମିଟର), ଉସକୀ, ଦେବକୁଣ୍ଡ ଓ ସୀତାକୁଣ୍ଡ ଜଳପ୍ରପାତର ଦୃଶ୍ୟ ଅତୀବ ମନୋରମ ଓ ପ୍ରକୃତୀପ୍ରେମୀଙ୍କୁ ଆକୃଷ୍ଟ କରିଥାଏ ।

ପ୍ରକୃତିପ୍ରେମୀଙ୍କ ଭୂସ୍ବର୍ଗ ଶିମିଳିପାଳ (ETV Bharat Odisha)

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details