ଓଡିଶା

odisha

ETV Bharat / state

କିନ୍ନରଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ଲକ୍ଷ୍ୟ, ଶୌଚାଳୟରେ ହେବ ସାଇନ୍‌ଏଜ୍‌ ବ୍ୟବସ୍ଥା - Signage For Transgender - SIGNAGE FOR TRANSGENDER

Toilet System For Transgender: ସାର୍ବଜନୀନ ଶୌଚାଳୟ ବ୍ୟବହାର କରିବେ କିନ୍ନର । ଏଣିକି ଆଉ ଶୌଚାଳୟ ପାଇଁ କିନ୍ନରଙ୍କୁ ହେବାକୁ ପଡିବନି ନିର୍ଯାତନାର ଶିକାର । ଶୌଚାଳୟରେ କିନ୍ନରଙ୍କ ପାଇଁ ହେବ ସାଇନ୍‌ଏଜ୍‌ । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

By ETV Bharat Odisha Team

Published : Jun 25, 2024, 1:38 PM IST

ଭୁବନେଶ୍ୱର:ଏଣିକି ଶୌଚାଳୟରେ କିନ୍ନରଙ୍କ ପାଇଁ ସାଇନ୍‌ଏଜ୍‌ । ଗୃହ ଏବଂ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ସମସ୍ତ କାର୍ଯ୍ୟାଳୟ ଏବଂ ରାଜ୍ୟର ବିଭିନ୍ନ ପୌରପାଳିକା ଅଧୀନରେ ଥିବା ସମସ୍ତ ଗୋଷ୍ଠୀ ଶୌଚାଳୟରେ ଏକ ‘ଲିଙ୍ଗ ନିରପେକ୍ଷ ଏବଂ ସାର୍ବଜନୀନ ଶୌଚାଳୟ’ ବ୍ୟବସ୍ଥା କରିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ଲିଙ୍ଗଗତ ସମାନତା ଏବଂ ସମସ୍ତଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା ଉପଲବ୍ଧ କରାଇବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଏହି ବ୍ୟବସ୍ଥା ଦ୍ୱାରା ଲିଙ୍ଗଗତ ନିର୍ବିଶେଷରେ ସମସ୍ତେ ଶୌଚାଳୟ ବ୍ୟବହାର କରିପାରିବେ । ଶୌଚାଳୟରେ ଲାଗିଥିବା ସାଇନ୍‌ଏଜ୍‌ରେ ସେମାନଙ୍କ ସମ୍ପର୍କରେ କୌଣସି ସୂଚନା ନ ଥିବାରୁ ବିଭିନ୍ନ ସମୟରେ କିନ୍ନରମାନେ ଶୌଚାଳୟ ବ୍ୟବହାର କଲା ବେଳେ ନିର୍ଯାତନାର ଶିକାର ହୋଇଥାନ୍ତି । ଏହାକୁ ଦୃଷ୍ଟିରେ ରଖି ଏଭଳି ବ୍ୟବସ୍ଥା ଲାଗୁ କରାଯାଇଥିବା ନେଇ ବିଭାଗ ପକ୍ଷରୁ କୁହାଯାଇଛି । ରାଜ୍ୟର ସମସ୍ତ ପୌରସଂସ୍ଥା ସମେତ ଅନ୍ୟ ଅଧୀନସ୍ଥ କାର୍ଯ୍ୟାଳୟଗୁଡ଼ିକ ଆସନ୍ତା ଏକ ମାସ ମଧ୍ୟରେ ଏହାକୁ ଲାଗୁ କରିବେ ବୋଲି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଜି. ମାଥିଭାତନନ୍ ଆଶା ପ୍ରକଟ କରିଛନ୍ତି ।

ଏଥିରେ ଗୋଷ୍ଠୀ ଶୌଚାଳୟକୁ କିଛି ନିର୍ଦ୍ଦେଶନାମା ଦିଆଯାଇଛି, ସେଗୁଡ଼ିକ ହେଲା ବର୍ତ୍ତମାନ ଦିବ୍ୟାଙ୍ଗ (ପିଡବ୍ଲୁଡି)ଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟ ୟୁନିଟ୍‌କୁ ଲିଙ୍ଗ ନିରପେକ୍ଷ ଏବଂ ସାର୍ବଜନୀନ ଶୌଚାଳୟ ଭାବେ ଚିହ୍ନିତ କରାଯାଉ । ଯେଉଁଠାରେ ଦିବ୍ୟାଙ୍ଗ ପାଇଁ ଏକ ସ୍ୱତନ୍ତ୍ର ଟଏଲେଟ୍ ୟୁନିଟ୍ ରଖାଯାଇ ନାହିଁ । ସେଠାରେ ଅତିକମରେ ଗୋଟିଏ ଟଏଲେଟ୍ ୟୁନିଟ୍ ଲିଙ୍ଗ-ନିରପେକ୍ଷ ଏବଂ ସାର୍ବଜନୀନ ଶୌଚାଳୟ ଭାବରେ ଚିହ୍ନିତ ହେବା ଉଚିତ । ଏହାସହ ପରିବର୍ତ୍ତିତ ସାଇନ୍‌ଏଜ୍ ଲଗାଇବାକୁ କୁହାଯାଇଛି । ଯେଉଁଠାରେ ପର୍ଯ୍ୟପ୍ତ ସ୍ଥାନ ରହିଛି ସେଠାରେ ଏକ ନୂତନ ଲିଙ୍ଗ-ନିରପେକ୍ଷ ଏବଂ ସାର୍ବଜନୀନ ଶୌଚାଳୟ ପ୍ରତିଷ୍ଠା କରିବାକୁ କୁହାଯାଇଛି ।

ଅନ୍ୟପକ୍ଷରେ ଏଭଳି ପରିବର୍ତ୍ତନ କଲା ବେଳେ ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ଶୌଚାଳୟକୁ ଯେପରି ଲିଙ୍ଗ-ନିରପେକ୍ଷ ଏବଂ ସାର୍ବଜନୀନ ଶୌଚାଳୟରେ ପରିବର୍ତ୍ତନ କରା ନ ଯାଏ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି । ତେବେ ଏଭଳି ପଦକ୍ଷେପ କେବଳ ଯେ, ସମାଜରେ ସମସ୍ତଙ୍କ ଭାଗୀଦାରିତାକୁ ବଢାଇବ ତାହା ନୁହେଁ ବରଂ ମାନବାଧିକାର ରକ୍ଷା ଦିଗରେ ଏକ ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି । ଏହାସହ ଏକ ମଣିଷର ସମ୍ମାନଜନକ ଜୀବନଧାରଣକୁ ପ୍ରୋତ୍ସାହନ ଦେଉଛି । ତେବେ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ ପ୍ରତ୍ୟେକ କିନ୍ନରଙ୍କ ପାଇଁ ଏହି ଶୌଚାଳୟ ବଧ୍ୟତାମୂଳକ ନୁହେଁ । ଟ୍ରାନ୍ସ-ମେନ୍ ଏବଂ ଟ୍ରାନ୍ସ-ଓମେନ୍ କିନ୍ନରମାନେ ଲିଙ୍ଗ ଭିତ୍ତିରେ ଶୌଚାଳୟକୁ ବ୍ୟବହାର କରିପାରିବେ ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details