ସୁବର୍ଣ୍ଣପୁର: ସହରରେ ମୃତଦେହ ପାଇଁ କାଠର ଅଭାବକୁ ଦୂର କରିବାରେ ଆଗେଇ ଆସିଛି ଦଧୀବାମନ ସଂଘ । ସହରର ଘୋଡାଘାଟ ପଡାର 31 ଜଣ ସ୍ବେଚ୍ଛାସେବୀ ମୃତଦେହ ପାଇଁ କାଠ ଯୋଗାଇ ଦେବା ପାଇଁ ପ୍ରଶଂସନୀୟ ଉଦ୍ୟମ କରିଛନ୍ତି । ଏହି ଐତିହାସିକ ସହରରେ ବର୍ଷର ଅଧିକାଂଶ ସମୟରେ ମୃତଦେହ ସଂସ୍କାର କରିବା ପାଇଁ କାଠର ଅଭାବ ଦେଖାଦେଉଛି । ସହରର ଉଭୟ ବାବା ରାମେଶ୍ବରଙ୍କ ପୀଠ ଓ ଗୋକର୍ଣ୍ଣେଶ୍ବର ପୀଠରେ ରହିଥିବା ସ୍ବର୍ଗଦ୍ବାରରେ ମୃତଦେହ ପାଇଁ କାଠର ଅଭାବ ଦେଖା ଦେଇଥାଏ । ଖାଲି ସହର କାହିଁକି ଗ୍ରାମାଞ୍ଚଳରୁ ଲୋକେ ବାବା ରାମେଶ୍ବରଙ୍କ ପୀଠର ତ୍ରୀବେଣୀ ସଂଗମରେ ମୃତଦେହ ସଂସ୍କାର ପାଇଁ ଦୌଡି ଆସନ୍ତି । ହେଲେ ମୃତଦେହ ସଂସ୍କାର ପାଇଁ ଜାଳେଣୀ କାଠର ଅଭାବ ଯୋଗୁଁ ଲୋକେ ଉଭୟ ସ୍ବର୍ଗଦ୍ବାରରୁ ମୁହଁ ଫେରେଇ ନେଉଥିଲେ ।
ଏହି ପାବନ ପୀଠର ସ୍ବର୍ଗଦ୍ବାରରେ ମୃତଦେହ ସଂସ୍କାର କଲେ କୋଟି ଜନ୍ମର ପାପ ଧୋଇ ହୋଇ ପୂଣ୍ୟ ମିଳେ ବୋଲି ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ବିଶ୍ବାସ ରହିଛି । ତେବେ ମୃତଦେହ ସଂସ୍କାର ପାଇଁ ଲୋକେ ରାମେଶ୍ବର ପୀଠର ସ୍ବର୍ଗଦ୍ବାର ଉପରେ ବେଶୀ ନିର୍ଭର କରନ୍ତି । ହେଲେ ମୃତଦେହ ସଂସ୍କାର ପାଇଁ ଜାଳେଣୀ କାଠର ଅଭାବ ଯୋଗୁଁ ଲୋକେ ଉଭୟ ସ୍ବର୍ଗଦ୍ବାରରୁ ମୁହଁ ଫେରେଇ ନେଉଥିବା ବେଳେ ସହରବାସୀ ବି ବେଶ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସହରବାସୀ ବାରମ୍ବାର ସଦର ପୌର ପରିଷଦ ଓ ବନ ବିଭାଗକୁ କାଠ ଯୋଗାଇ ଦେବା ପାଇଁ କହି କହି ନିରାଶ ହେବା ପରେ ଦଧିବାମନ ସଂଘ ନିଜ ପ୍ରୟାସରେ ମୃତଦେହ ପାଇଁ କାଠ ଯୋଗାଇ ଦେଉଛି । ସ୍ବେଚ୍ଛାସେବୀ ବ୍ରଜଗୋପାଳ ପୂଜାରୀ ସ୍ବେଚ୍ଛାସେବୀମାନଙ୍କୁ ଏକତ୍ରୀତ କରି ସଂଘ ଗଠନ କରିବା ସହିତ ଦାନ ଅର୍ଥରେ କାଠ ଗୋଦାମ କରାଯାଇଛି ।