ରାଇରଙ୍ଗପୁର: ଜଙ୍ଗଲ ଜମିକୁ ନେଇ ଖଣ୍ଡଯୁଦ୍ଧ । ରଣକ୍ଷେତ୍ର ପାଲଟିଲା ଗାଁ । 2 ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ସଂଘର୍ଷରେ ଉଭୟ ଗୋଷ୍ଠୀର ୮ ଜଣ ଗୁରୁତର ଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି । ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିବା ବେଳେ 144 ଧାରା ଲାଗୁ କରାଯାଇଛି । ଏଭଳି ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ମହୁଲଡ଼ିହା ଥାନା ଚାନ୍ଦିଖମଣ ଗ୍ରାମରେ ।
Group Clash Over Jungle Land Dispute (ETV Bharat Odisha) ସୂଚନା ଅନୁସାରେ, ଠାକୁରମୁଣ୍ଡା ବ୍ଲକ ମହୁଲଡ଼ିହା ଥାନା କେଶଡ଼ିହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚାନ୍ଦିଖମଣ ଜଙ୍ଗଲକୁ ସଫା କରି ବହୁ ବର୍ଷ ପୂର୍ବରୁ କିଛି ଲୋକ ଗ୍ରାମ ସ୍ଥାପନ କରି ରହି ଆସୁଥିଲେ । କିଛି ବର୍ଷ ପୂର୍ବରୁ ବିଭିନ୍ନ ସ୍ଥାନରୁ ଲୋକେ ଆସି ଚାନ୍ଦିଖମଣ ଗ୍ରାମ ନିକଟରେ ଜଙ୍ଗଲ ସଫା କରି ଘର କରିବା ସହ ଅସ୍ଥାୟୀ ଭାବରେ ପାଲ ଟାଣି ରହିଥିଲେ । ପୂର୍ବରୁ ଥିବା ଲୋକଙ୍କ ସହିତ ନୂଆ ଆସିଥିବା ଲୋକମାନଙ୍କ ମଧ୍ୟରେ ଜଙ୍ଗଲ ଜମିକୁ ନେଇ ପୂର୍ବରୁ ବିବାଦ ଲାଗି ରହିଥିଲା । ବିବାଦ ଯୋଗୁଁ ଜଙ୍ଗଲ ଜମି ଚିହ୍ନଟ ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇ ଗତ ମାସ ୨୮ ତାରିଖ ଦିନ ଗ୍ରାମକୁ ଯାଉଥିବା ବେଳେ ରାସ୍ତାରେ ଗୋଟିଏ ଗୋଷ୍ଠୀ ଏହାକୁ ବିରୋଧ କରିଥିଲା । ସେଦିନ ଜଙ୍ଗଲ ଜମି ମାପ ନକରିପାରି ପ୍ରଶାସନ ଫେରି ଆସିଥିଲା ।
ଏପଟେ ଗତକାଲି (ଶନିବାର) ଏହି ଜମିକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ନୂଆ ବସ୍ତି ଓ ପୁରୁଣା ବସ୍ତିର ଶତାଧିକ ଲୋକେ ମାରଣାସ୍ତ୍ର ସହ ଠେଙ୍ଗା ବାଡ଼ି ଧରି ଉଭୟେ ଉଭୟଙ୍କ ଉପରେ ଆକ୍ରମଣ କରିଥିଲେ । ଗଣ୍ଡଗୋଳ ସମୟ ମଧ୍ୟରେ ଉଭୟ ଗୋଷ୍ଠୀର ପ୍ରାୟ ୫୦୦ରୁ ଊର୍ଦ୍ଧ୍ବ ଲୋକେ ଘଟଣାସ୍ଥଳରେ ଏକତ୍ରିତ ହୋଇ ଗଣ୍ଡଗୋଳ କରିଥିବାର ସୂଚନା ମିଳିଛି । ସେପଟେ ସଂଘର୍ଷରେ ଉଭୟ ଗୋଷ୍ଠୀର ୮ ଜଣ ଗୁରୁତର ଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତ ଓ ଗୁରୁତରଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଚମ୍ପାଝର ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ...ଜମି ବିବାଦ ଆଗରେ ସମ୍ପର୍କ ତୁଚ୍ଛ, ଦାଦାକୁ ହାଣି ହତ୍ୟା କଲା ପୁତୁରା - Murder Over Land Dispute
ଗୋଷ୍ଠୀ ସଂଘର୍ଷ ପରେ ଉଭୟ ଗୋଷ୍ଠୀର ଲୋକେ ଆଜି ଠାକୁରମୁଣ୍ଡା-ଉଦଳା ରାସ୍ତାକୁ ପୃଥକ ସ୍ଥାନରେ ଦୀର୍ଘ ୪ ଘଣ୍ଟା ଧରି ରାସ୍ତାରୋକ କରିଥିଲେ । ଖବର ପାଇ ଘଟଣାସ୍ଥଳକୁ ଠାକୁରମୁଣ୍ଡା ବିଡ଼ିଓ ସ୍ବପ୍ନେଶ୍ବର ବେହେରା, କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର, କରଞ୍ଜିଆ ଥାନା ଅଧିକାରୀ, ମହୁଲଡ଼ିହା ଥାନା ଅଧିକାରୀ, ଠାକୁରମୁଣ୍ଡା ଥାନା ଅଧିକାରିଣୀ ସାବିତ୍ରୀ ଦଳେଇ ସମେତ ପୋଲିସ ଫୋର୍ସ ପହଞ୍ଚିଛି ଥିଲେ । ରାସ୍ତାରୋକ କରିଥିବା ଉଭୟ ଗୋଷ୍ଠୀଙ୍କ ସହିତ ଆଲୋଚନା କରିଥିଲେ । ଆଲୋଚନାରେ ଆସନ୍ତା ୧୩ ତାରିଖ ପରେ ଗ୍ରାମରେ ବିବାଦୀୟ ଜମିକୁ ରାଜସ୍ୱ ବିଭାଗ ଦ୍ଵାରା ମାପ କରାଯିବାକୁ ନିଷ୍ପତ୍ତି ପରେ ଉଭୟ ପକ୍ଷଙ୍କ ଦ୍ଵାରା କରାଯାଇଥିବା ରାସ୍ତା ରୋକ ହଟିଥିଲା । ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଥିବା କାରଣରୁ ଗାଁରେ ୧୪୪ ଧାରା ଜାରି କରିଛନ୍ତି କରଞ୍ଜିଆ ଉପଜିଲ୍ଲାପାଳ । ପୁଣି ଗଣ୍ଡଗୋଳ ହେବା ଆଶଙ୍କା କରି ଗ୍ରାମରେ ପୋଲିସ ମୁତୟନ କରାଯାଇଛି ।
ଇଟିଭି ଭାରତ, ମୟୂରଭଞ୍ଜ