ନିମାପଡା: ସରକାରଙ୍କ ମାଳ ମାଳ ଯୋଜନା । ହେଲେ ଏବେବି ପଲିଥିନ ତଳେ କଟୁଛି ଜୀବନ । ପ୍ରଶାସନର ପ୍ରତିଶ୍ରୁତି ପାଣିର ଗାର ଭଳି ଉଭେଇ ଯାଉଛି । କେବେ ମିଳିବ ମୁଣ୍ଡ ଗୁଞ୍ଜିବାକୁ ଘର ଓ ପିଇବା ପାଇଁ ପାନୀୟ ଜଳ, ଅପେକ୍ଷାରେ ପୁରୀ ଜିଲ୍ଲା ଦଶମାଣ ଗ୍ରାମର ୨୫ ପରିବାର ।
ପଲିଥିନ ତଳେ ୨୫ ପରିବାର:
ପୁରୀ ଜିଲ୍ଲା ଗୋପ ବ୍ଲକର ନଗଡା ଭାବେ ପରିଚିତ ବନ୍ତଳିଗ୍ରାମ ପଞ୍ଚାୟତର ଦଶମାଣ ଗ୍ରାମ । ପାଖାପାଖି ୨୫ ପରିବାର ଏହି ଗାଁରେ ବସବାସ କରନ୍ତି । ଜନସଂଖ୍ୟା ପାଖାପାଖି ୧୦୦ । ହେଲେ ବର୍ଷ ବର୍ଷ ଧରି ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଏହି ଗ୍ରାମର ଲୋକେ । ଗ୍ରାମର ୨ ପରିବାରକୁ ବାଦ ଦେଲେ ଅନ୍ୟ ସମସ୍ତ ପରିବାର ଏବେବି ପଲିଥିନ ତଳେ ଜୀବନ କାଟୁଛନ୍ତି । ସରକାରଙ୍କ ଆବାସ ଯୋଜନା ଏପର୍ଯ୍ୟନ୍ତ ଏଠାରେ ପହଞ୍ଚିପାରିନି । ଏହି ପରିବାରଗୁଡିକର ରୋଜଗାର କହିଲେ, ହାତଗଣତି କେତୋଟି ଲୋକେ ପର ଜମି ଚାଷ କରି ଚଳୁଛନ୍ତି ।
ଗୋପର ନଗଡା ଦଶମାଣ ଗାଁ:
ପୁରୁଷ ଠାରୁ ଆରମ୍ଭ କରି ମହିଳା ପର୍ଯ୍ୟନ୍ତ ସମସ୍ତେ ଦିନମଜୁରିଆ ଭାବରେ କାର୍ଯ୍ୟ କରନ୍ତି । ପୁଷ୍ଟିଯୁକ୍ତ ଖାଦ୍ୟ ସେମାନଙ୍କ ପିଲାଛୁଆଙ୍କ ନିମନ୍ତେ ସ୍ବପ୍ନ ! ସେଥିପାଇଁ କେତେକ ଏହାକୁ ଗୋପ ବ୍ଲକ୍ର ନଗଡ଼ା କୁହନ୍ତି ।
ଅନ୍ୟପଟେ ବର୍ତ୍ତମାନ ଗୋପ ବ୍ଲକ୍ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିମନ୍ତେ ହିତାଧିକାରୀ ଚୟନ ଚାଲିଛି । ଗତ ସପ୍ତାହରେ ଏହି ଗ୍ରାମକୁ ଗୋପ ବିଡିଓଙ୍କ ନିର୍ଦ୍ଦେଶକ୍ରମେ ଏଡିଇଓ ସଂଜୟ କୁମାର ସେନାପତି ତଦନ୍ତ କରିଛନ୍ତି । ଏଠିକାର ସମସ୍ତ ପରିବାରଙ୍କୁ ଆବାସ ଯୋଜନାରେ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି । ହେଲେ ବାରମ୍ବାର ପ୍ରତିଶ୍ରୁତି ପାଇ ନିରାଶ ହୋଇଥିବା ଏହି ଗ୍ରାମର ଲୋକେ ଏଥର ବି ପ୍ରଶାସନର ପ୍ରତିଶ୍ରୁତିକୁ ଭରସା କରିପାରୁନାହାନ୍ତି ।
କଣ କହୁଛନ୍ତି ଗ୍ରାମବାସୀ:
ଏନେଇ ଦଶମାଣ ଗ୍ରାମବାସୀ ରମେଶ ଭୋଇକହିଛନ୍ତି, "୧୯୯୯ ମସିହା ଠାରୁ ଘର ଦ୍ଵାର ସବୁ ଭାଙ୍ଗିଲାଣି । ସେବେ ସରକାର ଯାହା ସାହାଯ୍ୟ କରିଥିଲେ କିଛି ପାଇଲୁ ନାହିଁ । ବିଜେଡି ସରକାର ଆଜି ପର୍ଯ୍ୟନ୍ତ ଥିଲେ । ଫନିରେ ସବୁ ଭାଙ୍ଗିରୁଜି ଗଲା । ଆସିକି ସବୁ ଦେଖିକି ଗଲେ କହିଲେ ଘର ମିଳିବ କିନ୍ତୁ କିଛି ମିଳିଲା ନାହିଁ । ତାପରେ ନୂଆ ସରକାର ଆସିଲେ ସବୁ ପରିବର୍ତ୍ତନ ହେବ ବୋଲି ଭାବିଛୁ । ନୂଆ ସରକାର ପରିବର୍ତ୍ତନ କରିବେ ବୋଲି ଆମେ ଆଶା ବାନ୍ଧି କି ରହିଛୁ, ଘର ମିଳିବ ବୋଲି ଆଶା ରହିଛି । ଯଦି ନୂଆ ସରକାର ଘର ନ ଦେବେ ତେବେ ଭଗବାନ ଆମର ଭରସା । ପାନୀୟ ଜଳ ବି ପାଉନୁ । ଗାଁରେ ସ୍କୁଲ ନାହିଁ । ସରକାରଙ୍କୁ ନିବେଦନ କରିବୁ ଯେ ଆମର ଘର ଦ୍ଵାର ନାହିଁ ଘର ଦିଅନ୍ତୁ, ପାଣି ମୁନ୍ଦେ ଦିଅନ୍ତୁ ।"
ଆଉଜଣେଗ୍ରାମବାସୀ ମନୋଜ ଭୋଇ କହିଛନ୍ତି," ଆମେ ବହୁତ ଆଗରୁ ପ୍ରଥମରୁ ଚାଳ ଘରେ ଅଛୁ ଆଜି ପର୍ଯ୍ୟନ୍ତ କିଛି ପାଇପାରିଲୁ ନାହିଁ । ଫନି ବାତ୍ୟାରେ ଘର ଦ୍ଵାର ସବୁ ଭାଙ୍ଗି ଗଲା । ଆମେ ଟଙ୍କାଟିଏ ବି ପାଇଲୁନି । ବହୁତ ଥର ଗୋପ ବ୍ଲକରୁ ଆସୁଛନ୍ତି ସର୍ଭେ କରିଛନ୍ତି ଦେଖିଛନ୍ତି । କୁଡିଆ ଭିତରୁ ସବୁ ଜିନିଷ ପତ୍ର ଫଟୋ ଉଠାଇ ନେଇଛନ୍ତି ତଥାପି ଆମର ଆଜି ପର୍ଯ୍ୟନ୍ତ ଟଙ୍କାଟେ ପାଇପାରିଲୁ ନାହିଁ । ସେମିତି ପଲିଥିନ ବାନ୍ଧି କରି ରହିଛୁ । ନୂଆ ସରକାର ଆସିଛନ୍ତି ଯଦି ଆମ କଥା ବୁଝିବେ ତେବେ ଭଲ ଲାଗିବ । ଘର ଦ୍ଵାର ପାଣି ସୁବିଧା ରାସ୍ତା ଘାଟ କରିଦେଲେ ସେଥିରେ ଆମେ ଖୁସି ହେବୁ ।"
ଗ୍ରାମବାସୀ କାହ୍ନୁ ଭୋଇ କହିଛନ୍ତି",ନିଜ ଜୀବନ ବଞ୍ଚାଇବାକୁ ହେଲେ ଯାହା ତ କିଛି ଉପାୟ କରି ଆମେ ଅଛୁ । ସରକାରଙ୍କୁ ଆପତ୍ତି ଅଭିଯୋଗ କରିବା ଭିତରେ କୌଣସି ସାହାଯ୍ୟ ସହାନୁଭୂତି ପାରିଲୁ ନାହିଁ । ନିଜ ଭାଗ୍ୟକୁ ନେଇ ଅଛୁ । ଆମେ ଭୋଟ ଦେଲୁ ସରକାର ପ୍ରତଶ୍ରୁତି ଦେଲେ । ପାଣି ବି ଠିକ ସେ ମିଳୁନି । ପାଣି ପାଇପରେ ପାଣି ଚାରି ଦିନ ଆସିଲେ ୧୫ ଦିନ ବନ୍ଦ ।"