ଭବାନୀପାଟଣା:ଜଳବନ୍ଦୀ ଇଲାକାଡିପଥେରିଆ ଆତଙ୍କ । ମ୍ୟାଲେରିଆ, ହଇଜା ଭଳି ବିଭିନ୍ନ ସଂକ୍ରମିତ ରୋଗ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ପରିଚିତ । ଏବେ ଡିପଥେରିଆ ନାମକ ଆଉ ଏକ ଘାତକ ସଂକ୍ରମଣରେ ସଂକ୍ରମିତ ଦୁର୍ଗମ ଅଞ୍ଚଳ ଭୟରେ ଥରୁଛି । ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳ ପୋଡାପଦର ପଞ୍ଚାୟତରେ ବର୍ତ୍ତମାନ ଏହି ରୋଗ ବ୍ୟାପିବାରେ ଲାଗିଛି । ଯେଉଁଥରେ ଆକ୍ରାନ୍ତ ହୋଇ ଜଣେ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ପଡୋଶୀ ଜିଲ୍ଲା ରାୟଗଡ଼ା କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତର ମୁନୁଷପଦର ଗାଁରୁ ଏହି ରୋଗ ପୋଡାପଦର ପଞ୍ଚାୟତର ସରାପାସ ଗାଁକୁ ସଂକ୍ରମିତ ହୋଇଛି । ଭୌଗୋଳିକ ସ୍ଥିତିକୁ ଦେଖିଲେ କାଶୀପୁର ବ୍ଲକ ମୁନୁଷପଦର ଗାଁସୀମାକୁ ଲାଗିକି ରହିଛି ସରାପାସ ଗାଁ । ସୀମାନ୍ତ ଅଞ୍ଚଳ ହୋଇଥିବାରୁ ଏହି ଗାଁକୁ ଡିପଥେରିଆ ବ୍ୟାପି ଥିବା ସନ୍ଦେହ କରାଯାଉଛି ।ଏଭଳି ସୂଚନା ପାଇଲା ପରେ କଳାହାଣ୍ଡି ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ତତ୍ପରତା ଦେଖାଇଥିବା ବେଳେ ଉଦବେଗ ପ୍ରକାଶ କରିଛି ।
ସେପଟେ ସ୍ଥିତି ଅନୁଧ୍ୟାନ ପାଇଁ ଏକ ସ୍ଵତନ୍ତ୍ର ଡାକ୍ତରୀ ଟିମ୍ ପଠାଯାଇଛି । ସେଠାରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ପରେ ଗତ ମଙ୍ଗଳବାର ଭବାନୀପାଟଣାରୁ ବିଶେଷଜ୍ଞ ଟିମ୍ ସହିତ ପ୍ରଭାବିତ ଗାଁରେ ପହଞ୍ଚିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତରୀ ଟିମ୍ । ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳର ସେଇ ଗାଁକୁ ଯାଇ ପହଞ୍ଚି ଆକ୍ରାନ୍ତଙ୍କୁ ଚିହ୍ନଟ କରିଛନ୍ତି । ସେମାନଙ୍କ ମଧ୍ୟରୁ ସରାପାସ୍ ଗାଁରୁ ୪ ଜଣ ଏବଂ ଭୁରରୁରି ଟେମେରାରୁ ଜଣେ ଶିଶୁ ଆକ୍ରାନ୍ତ ଥିବା ଜଣା ପଡ଼ିଥିଲା । ଏହାପରେ ପ୍ରାଥମିକ ଚିକିତ୍ସା ସହ ସମସ୍ତ ଆକ୍ରାନ୍ତଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ଦୁଇଟି ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଛି ।