ପୁରୀ: ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲିବା ନେଇ ଦାବି ଜୋର ଧରିଛି । ଏନେଇ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି ବରିଷ୍ଠ ସେବାୟତ । ଶ୍ରୀମନ୍ଦିର ଚାରି ଦ୍ୱାର ଭକ୍ତଙ୍କ ପାଇଁ ତୁରନ୍ତ ଖୋଲାଯାଉ । ଭକ୍ତଙ୍କ ଧାର୍ମିକ ଅଧିକାରରୁ ପ୍ରଶାସନ ବଞ୍ଚିତ ନକରୁ । ତୁରନ୍ତ ଜଗନ୍ନାଥପ୍ରେମୀ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବାକୁ ଦାବି କରିଛନ୍ତି ବରିଷ୍ଠ ସେବାୟତ ଦାମୋଦର ମହାସୁଆର । ନହେଲେ ସେ ଖୁବଶୀଘ୍ର ଆମରଣ ଅନଶନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି । ଚଳିତ ବର୍ଷର ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଏହି ଦାବି ଉଠାଇଛନ୍ତି ବରିଷ୍ଠ ସେବାୟତ ଦାମୋଦର ମହାସୁଆର ।
ବରିଷ୍ଠ ସେବାୟତ ଦାମୋଦର ମହାସୁଆର କହିଛନ୍ତି, "ରାଜ୍ୟ ସରକାର ଶ୍ରୀମନ୍ଦିର ଚାରି ଦ୍ୱାର ନଖୋଲିବା ଅତି ଦୁଃଖଦାୟକ । ଏହାଦ୍ବାରା ଭକ୍ତଙ୍କ ଧାର୍ମିକ ଅଧିକାର କ୍ଷୁର୍ଣ୍ଣ ହେଉଛି । ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ, ଶ୍ରୀ ମନ୍ଦିର ଚାରି ଦ୍ଵାର ହେଉଛି ଧର୍ମ, ଅର୍ଥ, କାମ ଓ ମୋକ୍ଷର ଦ୍ୱାର । ଭକ୍ତମାନେ ବିଭିନ୍ନ ମାନସିକ ନେଇ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ହେଲେ ଚାରି ଦ୍ୱାର ବନ୍ଦ କରାଯାଇ କେବଳ ସିଂହଦ୍ୱାର ଭକ୍ତଙ୍କ ପାଇଁ ଖୋଲା ରହିବା ଭକ୍ତଙ୍କ ଧାର୍ମିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି । ଏହାବ୍ୟତୀତ ଶ୍ରୀମନ୍ଦିର ଚାରି ଦ୍ଵାର ପ୍ରବେଶ କଟକଣା ଯୋଗୁଁ ଭକ୍ତମାନେ ବହୁତ ହଇରାଣ ହେଉଛନ୍ତି । ଘଣ୍ଟା ଘଣ୍ଟା ଧରି ଲାଇନରେ ରହୁଛନ୍ତି ଭକ୍ତ । ଏହାଦ୍ବାରା ବରିଷ୍ଠ ନାଗରିକ, ମହିଳା ଓ ଶିଶୁମାନେ ବେଶ ଅସୁବିଧାର ସମ୍ମୁଖୀନ ଭୋଗୁଛନ୍ତି । ସେହିପରି ଶ୍ରୀମନ୍ଦିର ଚାରି ଦ୍ୱାର ପ୍ରବେଶ କଟକଣା ଯୋଗୁ ଭକ୍ତ ଆର୍ଥିକ ଶୋଷଣ କରାଯାଉଛି ।"