ଓଡିଶା

odisha

ETV Bharat / state

ଗଲା କ୍ଷମତା, ହଟିଲା ସୁରକ୍ଷା ବ୍ୟବସ୍ଥା: ପାଣ୍ଡିଆନଙ୍କ ଘର ଆଗରେ ଆଉ ନାହିଁ ବ୍ୟାରିକେଡ୍ - Barricades Removed

Barricades Removed: ରାଜନୀତିରୁ ଦୂରେଇବାକୁ ଘୋଷଣା କରିଥିବା ଭିକେ ପାଣ୍ଡିଆନଙ୍କ ଘର ଆଗରୁ ହଟିଛି ବ୍ୟାରିକେଡ୍ । ବିଜେଡି ସରକାର ଥିବାବେଳେ କେଉଁ ସବୁ ସୁରକ୍ଷା ବ୍ୟବସ୍ଥା ଏଠାରେ ରହିଥିଲା ଜାଣନ୍ତୁ ।

By ETV Bharat Odisha Team

Published : Jun 10, 2024, 4:49 PM IST

Barricades Removed
Barricades Removed (ETV Bharat Odisha)

ଭୁବନେଶ୍ବର: କୁହାଯାଏ କ୍ଷମତା କ୍ଷଣ ସ୍ଥାୟୀ । ସବୁଦିନେ ରହେନାହିଁ । ଯେତେବେଳେ ଯାଏ ତାହା ସୁଦ୍ଧମୂଳ ସହ ଯାଏ । କଥାଟି ପ୍ରଶାସକରୁ ନେତା ହୋଇ ଏବେ ନିଜକୁ ରାଜନୀତିରୁ ଦୁରେଇ ନେବାକୁ ଘୋଷଣା କରିଥିବା ଭିକେ ପାଣ୍ଡିଆନଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ । ବିଜେଡି ସରକାରରୁ ଯିବା ପରେ ଏବେ ହଟିଯାଇଛି ପାଣ୍ଡିଆନଙ୍କ ଘର ଆଗରୁ ସୁରକ୍ଷା ବ୍ୟବସ୍ଥା । ବିନା କଟକଣାରେ ଯିବା ଆସିବା କରୁଛନ୍ତି ଜନସାଧାରଣ । ଭୁବନେଶ୍ୱର ୟୁନିଟ-6ରେ ଥିବା କ୍ୱାର୍ଟର ନଂ VIR-7 ଆଗରେ କରାଯାଇଥିବା ବ୍ୟାରିକେଡ ହଟାଇ ଦିଆଯାଇଛି । ପ୍ରଶାସକରୁ ରାଜନୀତି, ଆଉ ଏବେ ରାଜନୀତିରୁ ଦୂରେଇବାକୁ ଘୋଷଣା କରିଥିବା ଭିକେ ପାଣ୍ଡିଆନଙ୍କ ଘର ଆଗରୁ ହଟିଛି ବ୍ୟାରିକେଡ୍ । ଆଉ ସୁରକ୍ଷା ବ୍ୟବସ୍ଥା ଉଠିଯାଇଛି । 2018 ଫେବୃଆରୀ ମାସରୁ ପାଣ୍ଡିଆନଙ୍କ ଘର ଆଗରେ ଥିବା ସୁରକ୍ଷା ବ୍ୟବସ୍ଥା ହଟିଛି ।

Barricades Removed (ETV Bharat Odisha)

ଦିନେ ଥିଲା ପୋଲିସ ଛାଉଣୀ, ଏବେ ଖାଁ ଖାଁ:ବିଜେଡି ସରକାର ସମୟରେ ପାଣ୍ଡିଆନଙ୍କ ଘର ଆଗରେ ଲାଗିଥିବା ବ୍ୟାରିକେଡ ହଟିଛି । କଡା ସୁରକ୍ଷା ବଳୟ ଭିତରେ ରହିଥିଲା ତାଙ୍କ ବାସଭବନ । ଏହାସହ ଏକାଧିକ ସୁରକ୍ଷା କର୍ମୀ ମଧ୍ୟ ନିୟୋଜିତ ରହୁଥିଲେ । ହେଲେ ବିଜେଡି ସରକାର କ୍ଷମତାରୁ ଯିବା ପରେ ତାଙ୍କ ଘର ଆଗରୁ ଏସବୁ ସୁବିଧାକୁ ହଟାଇ ନିଆଯାଇଛି । ବ୍ୟାରିକେଡକୁ ରାତିଅଧିଆ ହଟାଇ ନିଆଯାଇଛି । ଭିକେ ପାଣ୍ଡିଆନ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଥିବାବେଳେ ବିଜେପି କର୍ମୀ ତାଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାପରେ ଏଭଳି ବ୍ୟାରିକେଡ ଓ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ସୁରକ୍ଷାକର୍ମୀ ରାତିଦିନ ଜଗି ରହୁଥିଲେ । ପ୍ରତିଦିନ ଏଠାରେ 3ଟି ସିଫ୍ଟରେ ପୋଲିସ କର୍ମୀ ଡ୍ୟୁଟି କରୁଥିଲେ । କିନ୍ତୁ 4 ତାରିଖରେ ଫଳାଫଳ ଘୋଷଣା ପରେ ଏଠାରେ ନିୟୋଜିତ ସୁରକ୍ଷା କର୍ମୀଙ୍କ ସଂଖ୍ୟା ଧୀରେ ଧୀରେ କମିଥିଲା । ଯେଉଁଠି 24 ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଥିଲା, ଏବେ ସେଠାରେ ଶୂନଶାନ । ସୁରକ୍ଷା କର୍ମୀଙ୍କ ଲାଗି ହୋଇଥିବା ସ୍ଥାୟୀ ଘର ବନ୍ଦ ହୋଇଛି । ରାସ୍ତାରେ ଯାଉଥିବା ଲୋକଙ୍କୁ ଗୋଟିଏ ମିନିଟ ଠିଆ ହେବାକୁ ଅନୁମତି ମିଳୁନଥିବାବେଳେ ଏବେ ସବୁ ଖାଁ ଖାଁ ।

ଭୁବନେଶ୍ୱର କ୍ଳବରୁ କ୍ୟାପିଟାଲ ହସ୍ପିଟାଲ ରାସ୍ତା ଭିଭିଆଇପି ରାସ୍ତା ଭାବେ ପରିଚିତ । ରାସ୍ତାର ଉଭୟ ପାର୍ଶ୍ଵରେ ରହିଛି ସରକାରୀ ଆବାସିକ କାର୍ଯ୍ୟାଳୟ । ମନ୍ତ୍ରୀ, ବିଭିନ୍ନ ଦଳର ବିଧାୟକ, ନେତା, ଅଫିସରଙ୍କ ଆବାସିକ ଘର ରହିଛି । ହସ୍ପିଟାଲକୁ ସଂଯୋଗ କରୁଥିବା ଏହି ରାସ୍ତାରେ ସର୍ବସାଧାରଣ ଅନ୍ୟାୟସ ଯିବା ଆସିବା କରୁଥିଲେ । କିନ୍ତୁ ଗତ କିଛି ବର୍ଷ ହେବ ଏହି ରାସ୍ତାରେ ଯିବାଆସିବାରେ କଟକଣା ଲାଗିଥିଲା । ରାସ୍ତାରେ ଥିବା କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ବସିପାରିବ ନାହିଁ । ଗାଡି ପାର୍କିଂ କିମ୍ବା ରଖିପାରିବ ନାହିଁ । ଏକାଧିକ ବ୍ୟକ୍ତି ସାଙ୍ଗ ହୋଇ ଚାଲି ଚାଲି ଯାଇପାରିବ ନାହିଁ । ଫଟୋ ଉଠାଇପାରିବ ନାହିଁ । ଫୋନରେ କଥା ହୋଇଯାଇପାରିବ ନାହିଁ । ଏହି ରାସ୍ତାରେ ଥିବା କ୍ୱାର୍ଟର ନଂ ଭିଆଇଆର 7ର 200 ମିଟର ପରିଧି ମଧ୍ୟରେ ଏହି ସବୁ କଟକଣା ଲାଗୁ ହୋଇଥିଲା ।

ଏହା ବି ପଢନ୍ତୁ...ରାଜନୀତିରୁ ସନ୍ନ୍ୟାସ ନେଲେ ପାଣ୍ଡିଆନ; ବିଜେଡି ପରାଜୟ ପାଇଁ ମାଗିଲେ କ୍ଷମା

ସେହିପରି ଏହି ରାସ୍ତାରେ ଦୁଇ ଥାକିଆ ବ୍ୟାରିକେଡ୍ ବ୍ୟବସ୍ଥା ହୋଇଥିଲା । ଗୋଟିଏ ବାଉଁଶ ଓ କାଠର ବ୍ୟାରିକେଡ୍ ଥିଲା । ଏହା ପରେ ଅଧିକ ସୁରକ୍ଷା ଲାଗି ଷ୍ଟିଲ ବ୍ୟାରିକେଡ୍ କରାଗଲା । ଯାହା ରାସ୍ତାର ଗୋଟିଏ ପାର୍ଶ୍ବରୁ ଅପରପାର୍ଶ୍ବକୁ ସଂଯୋଗ କରିଥିଲା । ଏହି ବ୍ୟାରିକେଡ୍ ଲାଗି କ୍ୱାର୍ଟରକୁ କଣା କରି ରାସ୍ତାର ଉଭୟ ପାର୍ଶ୍ଵକୁ ସଂଯୋଗ କରାଯାଇଥିଲା । ବ୍ୟାରିକେଡକୁ ରାତିରେ ତାଲା ପକାଇ ଦିଆଯାଉଥିବା ନେଇ ଅଭିଯୋଗ ଆସିଥିଲା । ସେହି ରାସ୍ତାରେ ରୋଗୀ ଓ ସାଧାରଣ ଲୋକ ଯିବା ଆସିବାରେ ଅଭିଯୋଗ ହେବା ପରେ ରାସ୍ତାରେ ତାଲା ପଡିବା ବନ୍ଦ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details