ଓଡିଶା

odisha

By ETV Bharat Odisha Team

Published : Jul 23, 2024, 7:18 AM IST

ETV Bharat / state

ମୋହନ ସରକାର ଆସିବା ପରେ ସମ୍ବଲପୁର ଜିଲ୍ଲା ବିଜେପିରେ ଫାଟ, ପଦାରେ ପଡିଲା ଜୟନାରାୟଣ ଓ ଗିରିଶ ବିବାଦ - SAMBALPUR BJP DISPUTE

SAMBALPUR BJP DISPUTE: ବିଧାୟକ ଜୟନାରାୟଣଙ୍କୁ ଟକ୍କର ଦେଲେ ବିଜେପି ଜିଲ୍ଲା ସଭାପତି ଗିରିଶ ପଟେଲ । ସମାନ୍ତରଳ ଭାବେ ଖୋଲିଲେ ଜିଲ୍ଲା କାର୍ଯ୍ୟାଳୟ । ଅଧିକ ପଢନ୍ତୁ

SECOND BJP PARTY OFFICE OPENED IN SAMBALPUR
SECOND BJP PARTY OFFICE OPENED IN SAMBALPUR (ETV Bharat Odisha)

ସମ୍ବଲପୁର: ସମ୍ବଲପୁର ହେଉଛି ପଶ୍ଚିମ ଓଡିଶାର ପ୍ରମୁଖ ବିଧାନସଭା ସିଟ୍ । ତେବେ ଏହାକୁ ବିଜେପି ଗଡ଼ ବୋଲି ବିବେଚନା କରାଯାଏ । କାରଣ ଏଠାରେ ବିଜେପିର ଜୟନାରାୟଣ ମିଶ୍ର 5 ଥର ବିଧାୟକ ଭାବେ ନିର୍ବାଚନ ଜିତିଛନ୍ତି । ତେବେ ବର୍ତ୍ତମାନ ସମ୍ବଲପୁର ଜିଲ୍ଲା ବିଜେପିରେ ଫାଟ ଦେଖିବାକୁ ମିଳିଛି । ନିର୍ବାଚନ ପୂର୍ବରୁ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲଙ୍କ ମଧ୍ୟରେ ଫାଟ ଥିବା ଜଣା ପଡୁଥିଲେ ମଧ୍ୟ ଏହା ଦଳୀୟ ପ୍ରସଙ୍ଗ ଥିଲା ।

SECOND BJP PARTY OFFICE OPENED IN SAMBALPUR (ETV Bharat Odisha)

ବର୍ତ୍ତମାନ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲଙ୍କ ମଧ୍ୟ ରେ ଥିବା କଳହ ପଦାରେ ପଡିଯାଇଛି । କାରଣ ବର୍ତ୍ତମାନ ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ଏକ ପ୍ରକାର ଚେଲେଞ୍ଜ କରି ସମାନ୍ତରାଲ ଭାବେ ଆଉ ଏକ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଖୋଲି ନିଜ ସଂଗଠନର ଶକ୍ତି ପ୍ରଦର୍ଶନ କରିଛନ୍ତି । ତେବେ ଜୟ ନାରାୟଣ ଓ ଗିରିଶ ମଧ୍ୟରେ ସୃଷ୍ଟି ହୋଇଥିବା ଏହି ବିବାଦ ସମ୍ବଲପୁର ଜିଲ୍ଲା ବିଜେପି ପାଇଁ ଶୁଭଙ୍କର ନୁହେଁ ବୋଲି ରାଜନୀତି ସମୀକ୍ଷକ ମତ ପ୍ରକାଶ କରିଛନ୍ତି ।

ଏବେ ସମ୍ବଲପୁର ସହରରେ 2ଟି ଜିଲ୍ଲା ବିଜେପି କାର୍ଯ୍ୟାଳୟ । ସମ୍ବଲପୁର ସହରର କଚେରୀ ରାସ୍ତାରେ ଜିଲ୍ଲା ବିଜେପିର ଏକ ବଡ଼ କାର୍ଯ୍ୟାଳୟ ଥିବାବେଳେ ଗତ କାଲି ସମ୍ବଲପୁର ସହରର ମୁନିସିପାଲିଟି ଛକରୁ ଗୋଲ ବଜାର ରାସ୍ତାରେ ଆଉ ଏକ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଖୋଲିଛନ୍ତି ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲ । ଗତକାଲି ରାତିରେ ବିଧିବଦ୍ଧ ପୂଜାର୍ଚନା ପରେ ସେ ଏହି କାର୍ଯ୍ୟାଳୟ ଖୋଲିଛନ୍ତି । ଏହି ନୂତନ ବିଜେପି କାର୍ଯ୍ୟାଳୟର ଉଦଘାଟନୀ କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲା ବିଜେପି ବହୁ ନେତାବୃନ୍ଦ ସାମିଲ ହୋଇଥିଲେ । ଏହାକୁ ଜିଲ୍ଲା ବିଜେପି କାର୍ଯ୍ୟାଳୟ କହୁଛନ୍ତି ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲ ।

ସେ କହିଛନ୍ତି,"ପ୍ରତ୍ୟେକ ଦିନ ସକାଳ 9 ଟାରୁ 11 ପର୍ଯ୍ୟନ୍ତ ସେ ଏଠାରେ ବସିବେ ଓ ଲୋକଙ୍କ ଅଭିଯୋଗ ଶୁଣିବେ । ବର୍ତ୍ତମାନ ଡବଲ ଇଞ୍ଜିନ ସରକାର ଆସିଥିବା ଯୋଗୁଁ ସରକାରଙ୍କ ଦାୟିତ୍ବ ଓ ଲୋକଙ୍କ ଭରସା ବଢ଼ି ଯାଇଛି । ତେଣୁ ଏହି କାର୍ଯ୍ୟାଳୟ ଖୋଲା ଯାଇଛି । ଜିଲ୍ଲା ର ସଂଗଠନ ଓ ରାଜ୍ୟ ସରକାର ମଧ୍ୟରେ ଏହି କାର୍ଯ୍ୟାଳୟ ସମ୍ୱନ୍ମୟ ରକ୍ଷା କରିବାର କାମ କରିବ । ତେବେ ଜିଲ୍ଲାରେ ଦ୍ଵିତୀୟ କାର୍ଯ୍ୟାଳୟ ଖୋଲିବାର କାରଣ ସମ୍ପର୍କରେ ପଚରା ଯିବାରୁ ଜିଲ୍ଲା ବିଜେପି ସଭାପତି କହିଛନ୍ତି,"ଦୁଃଖର ବିଷୟ ବିଗତ ଦିନରେ ଏମିତି ଏକ ଘଟଣା ଘଟିଗଲା ଯାହା ପାଇଁ ମୁଁ ଏହି କାର୍ଯ୍ୟାଳୟ ଖୋଲିବାକୁ ବାଧ୍ୟ ହେଲି l "

ଏହା ମଧ୍ୟ ପଢନ୍ତୁ...ସରୋଜ ହେଲେ ସରକାରୀ ଦଳର ମୁଖ୍ୟ ସଚେତକ, ଗୋବିନ୍ଦ ଉପମୁଖ୍ୟ ସଚେତକ



ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ସମ୍ବଲପୁରର କଚେରୀ ଛକ ସ୍ଥିତ ଜିଲ୍ଲା ବିଜେପିର କାର୍ଯ୍ୟାଳୟରେ ଥିବା ଜିଲ୍ଲା ସଭାପତିଙ୍କ ଚେମ୍ବରରେ କେତେକ କାର୍ଯ୍ୟକର୍ତା ତାଲା ମାରି ଦେଇଥିଲେ । ସେତେବେଳେ ସମ୍ବଲପୁର ବିଧାୟକ ଜୟ ନାରୟଣ ମିଶ୍ର ନିଜର ପ୍ରତିକ୍ରିୟା ରଖି କହିଥିଲେ ଯେ, ଜିଲ୍ଲା ବିଜେପି ସଭାପତି ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ କରିଛନ୍ତି l ଏଥିପାଇଁ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦଳକୁ ଅବଗତ କରାଯାଇଛି ବୋଲି l

ସେହିଦିନ ଠାରୁ ଜୟ ନାରାୟଣ ମିଶ୍ର ଓ ଗିରିଶ ପଟେଲଙ୍କ ମଧ୍ୟରେ ଥିବା ତିକ୍ତତା ରାଜନୈତିକ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିଲା l ସବୁଠାରୁ ବଡ଼ କଥା ହେଲା କଚେରୀ ରାସ୍ତାରେ ଥିବା ବିଜେପିର ପୁରୁଣା କାର୍ଯ୍ୟାଳୟ ଯେଉଁଠି ଜୟ ନାରାୟଣ ମିଶ୍ରଙ୍କ ଚେମ୍ବର ରହିଛି ସେଠାରେ ଲାଗିଥିବା ହୋର୍ଡିଙ୍ଗରେ ଗିରିଶ ପଟେଲଙ୍କ ଫଟୋ ନଥିବାବେଳେ ଜିଲ୍ଲା ସଭାପତି ଗିରିଶ ପଟେଲଙ୍କ ଦ୍ୱାରା ନୂତନ ଭାବେ ଖୋଲାଯାଇଥିବା ବିଜେପି କାର୍ଯ୍ୟାଳୟରେ ବିଧାୟକ ଜୟନାରାୟଣ ମିଶ୍ରଙ୍କ ଫଟୋ ନାହିଁ ଯାହା ଜିଲ୍ଲା ବିଜେପିର ଅନ୍ତରକଳହକୁ ପଦାରେ ପକେଇ ଦେଇଛି ।



ଏନେଇ ରାଜନୀତି ସମୀକ୍ଷକ ଶିବ ପ୍ରାସାଦ ମେହେର କହିଛନ୍ତି," ସମ୍ବଲପୁର ବିଜେପିର ଗଡ଼ ଅଟେ । ଗତ ନିର୍ବାଚନ ରେ ସମ୍ବଲପୁର ବିଧାୟକ ପଦ ର ଟିକେଟ ପାଇଁ ଏକାଧିକ ପ୍ରାର୍ଥୀ ବାହାରି ବାରୁ ଏମିତି ଟଣା ଓଟରା ଆରମ୍ବ ହୋଇଛି । ଆଉ ବର୍ତ୍ତମାନ ଏହା ପଦାରେ ପଡିଯାଇଛି । ଅନ୍ୟପଟେ ସମ୍ବଲପୁର ସାଂସଦ ଓ ବିଧାୟକ ଉଭୟ ବିଜେପି ଦଳର ହୋଇଥିବା ବେଳେ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦାୟିତ୍ୱ ହେଉଛି ଏହି ସମସ୍ୟାର ସମାଧାନ କରିବା । ତେବେ ସେ ମଝିରେ ନ ପଡି ଚୁପ ବସିଛନ୍ତି । ଏଥିରେ ତାଙ୍କର କୌଣସି ସ୍ୱାର୍ଥ ଥାଇ ପାରେ । ତେବେ ଏହା ଦ୍ୱାରା ଜିଲ୍ଲା ବିଜେପିର ସଂଗଠନର କ୍ଷତି ହେବା ସହ ସମ୍ବଲପୁରବାସୀଙ୍କ ପାଇଁ ମଧ୍ୟ ଏହା ଶୁଭଙ୍କର ନୁହେଁ ।"

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details