ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହୋଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକରେ ଆଗୁଆ ଖରା ଛୁଟି ଘୋଷଣା କରିଛନ୍ତି । ତେବେ ପାଠପଢା ବନ୍ଦ ରହିଥିଲେ ବି ସ୍କୁଲ ଆସିବେ ଶିକ୍ଷକ । ଶିକ୍ଷକମାନଙ୍କୁ ରୋଷ୍ଟର ଡ୍ୟୁଟି ବଣ୍ଟାଯିବ । ଆଜିଠାରୁ ସ୍କୁଲ ଖୋଲିବା ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟିରେ ଶିକ୍ଷକ, ଜୁନିଅର ଆସିଷ୍ଟାଣ୍ଟ ଏବଂ ପିଅନମାନେ ରୋଷ୍ଟର ଡ୍ୟୁଟି କରିବେ । ସ୍କୁଲରେ ରୋଷ୍ଟର ଡ୍ୟୁଟି ପାଇଁ ଏକ ରେଜିଷ୍ଟର କରାଯିବ ।
ଖରା ଛୁଟି ସମୟରେ ସ୍କୁଲର ସମସ୍ତ କାର୍ଯ୍ୟ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପରିଚାଳନା କରାଯିବ । ଗ୍ରୀଷ୍ମ ଛୁଟି ପାଇଁ ଗଣଶିକ୍ଷା ବିଭାଗ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି । ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମ ଛୁଟିରେ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ବିଷୟଭିତ୍ତିକ କାର୍ଯ୍ୟ ତଥା ନିଜର ଦକ୍ଷତା ଓ କୌଶଳର ଅଭିବୃଦ୍ଧି ପାଇଁ ଅବକାଶ କାଳୀନ ଗୃହକାର୍ଯ୍ୟ (ହଲିଡେ ହୋମୱର୍କ) ଦିଆଯିବ ।
ଏହି ଅବକାଶକାଳୀନ ଗୃହକାର୍ଯ୍ୟକୁ ରିସୋର୍ସ ଟିଚର ପ୍ରସ୍ତୁତ କରିବେ । ପ୍ରଧାନ ଶିକ୍ଷକ ସମସ୍ତ ଛାତ୍ରୀଛାତ୍ରଙ୍କୁ ବଣ୍ଟନ କରିବେ । ଛାତ୍ରୀଛାତ୍ରଙ୍କର କୌଣସି ବିଷୟରେ ଦ୍ୱନ୍ଦ ରହିଥିଲେ ସେମାନେ ବିଷୟଭିତ୍ତିକ ଶିକ୍ଷକ ବା ଶ୍ରେଣୀ ଶିକ୍ଷକଙ୍କୁ ଟେଲିଫୋନ ଯୋଗେ ସେମାନଙ୍କର ସନ୍ଦେହ ଦୂର କରିପାରିବେ । ଗ୍ରୀଷ୍ମ ଛୁଟି ସମୟରେ ଛାତ୍ରୀଛାତ୍ରମାନେ କିପରି ସେଲ୍ଫଷ୍ଟଡି କରିବେ ସେଥିପାଇଁ ବିଷୟଭିତ୍ତିକ ଶିକ୍ଷକ ବା ଶ୍ରେଣୀ ଶିକ୍ଷକମାନେ ଛାତ୍ରୀଛାତ୍ର/ଅଭିଭାବକଙ୍କ ସହ ଆଲୋଚନା କରିବେ ।