ସମ୍ବଲପୁର: ସମଗ୍ର ଦେଶରେ ସଡ଼କ ଦୁର୍ଘଟଣା ମୁଣ୍ଡବିନ୍ଧାର କାରଣ ସାଜିଛି । ଦିନକୁ ଦିନ ବଢ଼ୁଥିବା ଦୁର୍ଘଟଣା ଫଳରେ ହଜାର ହଜାର ଜୀବନ ହାନୀ ହେଉଛି । ପ୍ରାୟତଃ ରାତି ସମୟରେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ବା ନିଦ ହେବାରୁ ଅନେକ ଗାଡି ଦୁର୍ଘଟଣା ହେଉଥିବା ନଜରକୁ ଆସେ । ଆଖି ଲାଗିଯିବା କାରଣରୁ ହେଉଥିବା ଦୁର୍ଘଟଣାକୁ ଏଡ଼ାଇବା ପାଇଁ ନବମ ଶ୍ରେଣୀର ଛାତ୍ର ତିଆରି କରିଛନ୍ତି ଆଣ୍ଟି ସ୍ଲିପ ଆଲାର୍ମ ଚଷମା । ଏହି ଚଷମାକୁ ଏପରି ତିଆରି କରାଯାଇଛି, ଯଦି କୌଣସି ବ୍ୟକ୍ତି ଏହାକୁ ପିନ୍ଧିଥିବା ବେଳେ ଆଖି ବନ୍ଦ କରେ ବା ଶୋଇପଡେ ତେବେ ଚଷମାରୁ ଏକ ଲାଇଟ ଜଳିବା ସହ ଆଲାର୍ମ ବାଜିବ । ଫଳରେ ନିଦ ଭାଙ୍ଗିଯିବ । ଆଉ ମାତ୍ର ମାତ୍ର ୪୦୦ ଟଙ୍କା ଖର୍ଚ୍ଚ କରି ଏହି ଚଷମାକୁ ତିଆରି କରାଯାଇ ପାରିବ ।
ନିଦ ଭାଙ୍ଗିଦେବ ଚଷମା:
ସମ୍ବଲପୁର ବୁଢାରଜା ସରକାରୀ ହାଇସ୍କୁଲର ନବମ ଶ୍ରେଣୀର ଛାତ୍ର ତନ୍ମୟ ଦାସ । ତନ୍ମୟ ଏକ ଆଣ୍ଟି ସ୍ଲିପ ଆଲାର୍ମ ଚଷମା ତିଆରି କରିଛନ୍ତି । ଏହାର ବିଶେଷତ୍ୱ ହେଉଛି ଏହି ଚଷମା ପିନ୍ଧିଥିବା ବ୍ୟକ୍ତିର ଆଖି ପତା ବନ୍ଦ ହେଉ ହେଉ ବ୍ଲିଙ୍କ କରି ଏକ ଶବ୍ଦ ସୃଷ୍ଟି କରିବ । ଯାହାଦ୍ୱାରା ଏହାକୁ ବ୍ୟବହାର କରୁଥିବା ବ୍ୟକ୍ତି ନିଦରୁ ଚେଇଁ ଉଠିବ । ଯଦି କୌଣସି ବ୍ୟକ୍ତିର ଶୁଣିବାରେ ସମସ୍ୟା ଥିବ ଅର୍ଥାତ ଶ୍ରବଣ ଶକ୍ତି ନ ଥିବ, ସେମାନେ ବି ଏହାକୁ ବ୍ୟବହାର କରିପାରିବେ । କାରଣ ଚଷମାରେ ଲାଗି ପାରିବ ଭାଇବ୍ରେଟ ମୋଟର । ଏହି ମୋଟର ଲଗେଇଲେ ଆଖି ପରଦା ପଡ଼ୁପଡ଼ୁ ଏହା ଭାଇବ୍ରେଟ କରିବ । ଫଳରେ ଏହାକୁ ବ୍ୟବହାର କରୁଥିବା ବ୍ୟକ୍ତି ଚେଇଁ ଉଠିବ । ଡ୍ରାଇଭରମାନେ ଏହି ଚଷମା ପିନ୍ଧି ଗାଡ଼ି ଚଲାନ୍ତି, ତେବେ ରାତି ସମୟରେ ନିଦ ଲାଗିବା କାରଣରୁ ହେଉଥିବା ଦୁର୍ଘଟଣାରୁ ବର୍ତ୍ତି ପାରିବେ । କେବଳ ସେତିକି ନୁହେଁ ପାଠ ପଢ଼ୁଥିବା ସମୟରେ ନିଦ ଲାଗୁଥିଲେ ଏହି ଚଷମାକୁ ବ୍ୟବହାର କରିହେବ ।
ଏଭଳି ତିଆରି ହୋଇଛି ଚଷମା:
ମାତ୍ର ୪୦୦ ଟଙ୍କା ଖର୍ଚ୍ଚ କରି ଏହି ଚଷମା ତିଆରି କରିଛନ୍ତି ତନ୍ମୟ । ଏଥିପାଇଁ ସେ ଲୋକାଲ ମାର୍କେଟରୁ କିଛି ଜିନିଷ କିଣିଥିବା ବେଳେ କେବଳ ଆଇ ବ୍ଲିଙ୍କ ସେନ୍ସର ଅନଲାଇନରୁ ମଗେଇ ଥିଲେ । ଏହାସହ ଏଥିରେ ଏକ ବଜର, ଏକ ବ୍ୟାଟେରୀ ଆଉ କିଛି ୱେର ବ୍ୟବହାର ହୋଇଛି ଯାହାକୁ ସେ ଲୋକାଲ ମାର୍କେଟରୁ କିଣିଥିଲେ l ଏହି ପ୍ରୋଜେକ୍ଟ ତିଆରି ପାଇଁ ତନ୍ମୟ ନିଜେ ଚିନ୍ତା କରିଥିବା ବେଳେ ସ୍କୁଲ ଶିକ୍ଷକ ତାଙ୍କୁ ଏଥିରେ ଗାଇଡ କରିଥିଲେ । ଏହାକୁ ମାତ୍ର ୨ ଦିନରେ ତିଆରି କରି ସେ ସ୍କୁଲରେ ଅନୁଷ୍ଠିତ କେନ୍ଦ୍ର ସରକାର ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନ୍ତର୍ଗତ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀରେ ପ୍ରଦର୍ଶନ କରିଛନ୍ତି । ତନ୍ମୟଙ୍କ ଏଭଳି ଅଭିନବ ଚିନ୍ତିକୁ ଏବେ ସବୁଠି ପ୍ରଶଂସା ମିଳୁଛି ।