ସମ୍ବଲପୁର: ଦନ୍ତା ଖେଳାଉଛି ଆତଙ୍କ । ସମ୍ବଲପୁର ଜିଲ୍ଲାର ଯୁଯୋମୁରା ଅଞ୍ଚଳରେ ହାତୀ ଆତଙ୍କ ଖେଳାଉଥିବା ଜଣାପଡ଼ିଛି । ହାତୀକୁ ଟ୍ରଙ୍କୁଲାଇଜ କରାଯିବର ସୂଚନା ଆଜି ସମ୍ବଲପୁର DFO ବିଶ୍ଵନାଥ ନିଲାନଭର ଦେଇଛନ୍ତି । ଏଥିପାଇଁ ଢେଙ୍କାନାଳ ଓ ସାତକୋଶିଆରୁ ସ୍ବତନ୍ତ୍ର ବିଶେଷଜ୍ଞ ଦଳ ଆସିବେ l ଆବଶ୍ୟକ ପଡିଲେ ଦନ୍ତାକୁ ଅନ୍ୟତ୍ର ସ୍ଥାନାନ୍ତର କରି ସଙ୍ଗରୋଧରେ ରଖି ତାର ଆଚରଣ ଅନୁଧ୍ୟାନ କରାଯିବ ବୋଲି DFO କହିଛନ୍ତି l ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ହାତୀଟିର ଗତିବିଧି ଉପରେ ବନବିଭାଗ ନଜର ରଖୁଛି l ହାତୀଟି ସୁବିଧାଜନକ ସ୍ଥାନକୁ ଆସିଲେ ତାକୁ ଟ୍ରାଙ୍କୁଲାଇଜ କରାଯିବ l ଏନେଇ ଏକ ସ୍ବତନ୍ତ୍ର ଟିମ୍ ଦନ୍ତାକୁ ଟ୍ରାକ କରୁଛନ୍ତି l
ସୂଚନାଯୋଗ୍ୟ ଯେ ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଳକ ସଦର ବନାଞ୍ଚଳ ଅନ୍ତର୍ଗତ ବସିଆପଡା ଠାରେ ରବିବାର ରାତିରେ ଏହି ଦନ୍ତା ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ଡକରା ପଞ୍ଚାୟତର ପୁରୁଣାପାଣି ଗ୍ରାମର ୫୫ ବର୍ଷିୟ ଯୁଧିଷ୍ଠିର ବେହେରା ନାମକ ବ୍ୟକ୍ତି ତାଙ୍କ ଗାଁ ନିକଟରେ ହେଉଥିବା କ୍ରିକେଟ ମ୍ୟାଚ୍ ଦେଖି ଘରକୁ ଫେରୁଥିବା ବେଳେ ବସିଆପଡା ନିକଟରେ ହାତୀ ହାବୁଡ଼ରେ ପଡିଯାଇଥିଲେ। ହାତୀ ତାଙ୍କୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏନେଇ ସଦର ବନବିଭାଗ ଘଟଣା ନେଇ ଅଧିକ ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି। ଏହା ପୂର୍ବରୁ ଯୁଯୋମୁରା ବ୍ଲକର ହାତିବାରୀ, ବାରଲୋଇ ଆଦି ଗାଁରେ ବହୁ ଲୋକଙ୍କ ଘରଦ୍ବାର ଭାଙ୍ଗି ଦେଇଛି ଏହି ଦନ୍ତା ହାତୀ l