ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ଲକ୍ଷ୍ୟରେ ସରକାର । ବାହାର ରାଜ୍ୟର ଜାତୀୟ ଉଦ୍ୟାନରୁ ଓଡ଼ିଶାକୁ ବାଘ ଅଣାଯାଉଛି । ମହାବଳଙ୍କ ସୁରକ୍ଷା ପାଇଁ ସରକାର ଅନେକ ପଦକ୍ଷେପ ହାତକୁ ନେଉଛନ୍ତି । କିନ୍ତୁ ଶିମିଳିପାଳରୁ ଧୀରେ ଧୀରେ ଗାଏବ ହେଉଛନ୍ତି ମହାବଳ। ରିପୋର୍ଟ କହୁଛି ଶିମିଳିପାଳରେ 3 ମହାବଳ ମରିସାରିଲେଣି । ନିକଟରେ ମହାରାଷ୍ଟ୍ରରୁ ଶିମିଳିପାଳ ଅଣାଯାଇଥିଲା ଦୁଇଟି ବାଘୁଣୀ ଯମୁନା ଏବଂ ଜୀନତ । ଶିମିଳିପାଳ ମହାବଳ ବାଘଙ୍କ ଉତ୍ତମ ପ୍ରଜନନ ସ୍ଥାନ ହୋଇଥିବାରୁ ଏଠାରେ ବାଘ ସଂଖ୍ୟା ବୃଦ୍ଧି ପାଉଛି । ଅନ୍ୟପକ୍ଷରେ ବାଘ ଶିକାର ବନ୍ଦ ନ ହେଉଥିବାରୁ ଯେତିକି ସଂଖ୍ଯା ବୃଦ୍ଧି ହେବା କଥା ତାହା ହେଉ ନାହିଁ ।
ସେପଟେ ଶିମିଳିପାଳରୁ ବାଘ ସଂଖ୍ୟା ହ୍ରାସ ନେଇ ବନ୍ୟପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା ବିସ୍ତୃତ ସୂଚନା ଦେଇଛନ୍ତି । ନିକଟରେ ଏକ କଳା ବାଘ ଶିକାର ନେଇ ମୁହଁ ଖୋଲିଛନ୍ତି ପିସିସିଏପ । ସେ କହିଛନ୍ତି ‘‘ଶିମିଳିପାଳ ଏକ ବଡ ଅଞ୍ଚଳ । ଚାରିଆଡେ ଗାଁ ରହିଛି। କ୍ୟାମେରା ଲାଗିଥିବା ଯୋଗୁଁ ଆମେ ଶିକାର ହୋଇଥିବା ଜାଣିବାକୁ ପାଇଲୁ । ତେବେ କଳାବାଘଟି ଶାବକ ଥିଲା । ସେ ତା ମା’ ପାଖାପାଖି ରହୁ ନଥିଲା । ସେଥିପାଇଁ ଶିକାରୀ ମାନେ ତାକୁ ଟାର୍ଗେଟ କରିଥିଲେ । ଶିକାର କରିଥିବା ଶିକାରୀ ଅଭ୍ୟାସଗତ ଅପରାଧୀ ନୁହେଁ । ଅନ୍ୟ ଜନ୍ତୁ ଶିକାର କରିବା ପାଇଁ ଆସିଥିଲେ । ତାଙ୍କ ସାମନାରେ ଛୁଆ ବାଘଟି ପଡିଯାଇଛି । ସେଥିପାଇଁ ସେମାନେ ତାକୁ ଶିକାର କରିଛନ୍ତି’’ ବୋଲି ବନ୍ୟପ୍ରାଣୀ ପିସିସିଏଫ କହିଛନ୍ତି ।
ସେ ଆହୁରି କହିଛନ୍ତି ‘‘ମାଆଠୁ ଅଲଗା ଥିବାରୁ ଅନ୍ୟ ବନ୍ୟଜନ୍ତୁ ଶିକାର ପାଇଁ ଯାଇଥିବାବେଳେ ଏହି କଳା ବାଘ ଶାବକଟି ଶିକାରୀଙ୍କ ଶିକାର ହୋଇଥିଲା । ଏହି ଘଟଣା ପ୍ରାୟ ୨ ମାସ ତଳେ ଘଟିଥିବା ଜଣାପଡ଼ୁଛି। ଯେତେବେଳେ ବନ ବିଭାଗ ଟିମ ଯମୁନା ଓ ଜିନତକୁ ନେଇ ବ୍ୟସ୍ତ ଥିଲେ, ଶିକାରୀ ମାନେ ଏହାର ସୁଯୋଗ ନେଇଥିବା ଅନୁମାନ କରାଯାଉଛି। ଏହି ଘଟଣାରେ ୧୦ ଜଣ ଗିରଫ ହୋଇଥିବା ବେଳେ ୬ ଟି ବନ୍ଧୁକ ଜବତ ହୋଇଛି। ଜଣେ ଅଭିଯୁକ୍ତ ଫେରାର ଅଛି। AI କ୍ୟାମେରାରେ ମିଳିଥିବା ଫଟୋ ସହାୟତାରେ ଶିକାରୀ ପାଖରେ ପହଞ୍ଚିଥିଲା ବନ ବିଭାଗ’’।
ଶିମିଳିପାଳରେ 2 ବର୍ଷରେ 3 ମୃତ୍ୟୁ
- ୨୦୨୩ ଏପ୍ରିଲ ୩୦ ଦୁଇଟି ବାଘ ମଧ୍ୟରେ ଲଢେଇ କାରଣରୁ ଗୋଟିଏ ମହାବଳର ମୃତ୍ୟୁ ହୋଇଥିଲା।
- ୨୦୨୪ ଫେବ୍ରୁଆରୀ ୬ ରେ ଲିଭର୍ ସଂକ୍ରମଣ ଯୋଗୁଁ ଗୋଟିଏ ମହାବଳ ବାଘର ମୃତ୍ୟୁ ହୋଇଥିଲା।
- 2024 ଶେଷ ଆଡକୁ ଶିକାରୀଙ୍କ ଶିକାର ହୋଇଥିଲା କଳା ବାଘ ଶାବକ ।
ଏହା ମଧ୍ୟ ପଢନ୍ତୁ ଶିମିଳିପାଳରୁ ଜବତ ହେଲା ବିରଳ କଳାବାଘ ଛାଲ, ୪ ଶିକାରୀ ଗିରଫ