ଓଡିଶା

odisha

By ETV Bharat Odisha Team

Published : Jul 27, 2024, 8:41 PM IST

ETV Bharat / state

ବିପଦରେ ଶିଶୁ, ପ୍ରସୂତି ଓ ଗର୍ଭବତୀଙ୍କ ଜୀବନ; ଅଙ୍ଗନବାଡିରୁ ମିଳୁଛି ପୋକଭର୍ତ୍ତି ଖାଦ୍ୟ ସାମଗ୍ରୀ - poor quality of chatua distribution

POOR QUALITY OF CHATUA DISTRIBUTION: କେନ୍ଦ୍ରାପଡ଼ା ଜିଲ୍ଲାରେ ଅପପୁଷ୍ଟି ଦୂର କରିବା ପାଇଁ ଅଙ୍ଗନବାଡ଼ିରୁ ମିଳୁଥିବା ପୁଷ୍ଟିକର ଖାଦ୍ୟ ନିମ୍ନମାନର ଦିଆଯାଉଥିବା ଅଭିଯୋଗ । ଉପଜିଲ୍ଲାପାଳ କହିଲେ,"ମୋ ପାଖରେ କୌଣସି ତଥ୍ୟ ନାହିଁ ।" ଦେଖନ୍ତୁ ଏହି ରିପୋର୍ଟ

POOR QUALITY OF CHATUA DISTRIBUTION
POOR QUALITY OF CHATUA DISTRIBUTION (ETV Bharat Odisha)

କେନ୍ଦ୍ରାପଡ଼ା:କୋମଳମତି ଶିଶୁ ଓ ପ୍ରସୂତି ଏବଂ ଗର୍ଭବତୀଙ୍କ ଜୀବନ ସହିତ ଖେଳଖେଳୁଛି ଛତୁଆ ଯୋଗାଣକାରୀ ସଂସ୍ଥା । ଶିଶୁମାନଙ୍କୁ ପୁଷ୍ଟିକର ଛତୁଆ, ସୁଜି ହାଲୁଆ ଆଦି ଯୋଗାଇଦେବା ଲାଗି ସ୍ୱୟଂ ସହାୟିକା ଗୋଷ୍ଠୀକୁ ଦାୟିତ୍ବ ଦିଆଯାଇଛି । ଏ ବାବଦରେ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି ମାତ୍ର ଶିଶୁମାନଙ୍କୁ ମିଳୁଛି ନିମ୍ନମାନର ସୁଜି ହାଲୁଆ ସାଙ୍ଗକୁ ଛତୁଆ । ଯେଉଁ ଖାଦ୍ୟରେ ପୋକ ସାଲୁବାଲୁ ହେଉଛି । ଛତୁଆ ଯୋଗାଣକାରୀ ସଂସ୍ଥା ଛତୁଆ ପ୍ରସ୍ତୁତ ପାଇଁ ଥିବା ସମସ୍ତ ନୀତିନିୟମକୁ ଭୁଲି ମନଇଚ୍ଛା କାରବାର କରି ଚାଲିଛନ୍ତି । ଏହି ଭଳି ନିମ୍ନମାନର ଛତୁଆ ଯୋଗାଇ ଯୋଗାଣକାରୀ ସଂସ୍ଥା ମାଲେମାଲ ହେଉଥିବା ବେଳେ ଗର୍ଭବତୀ, ପ୍ରସୂତୀ ଏବଂ ଶିଶୁମାନଙ୍କ ଜୀବନ ଏବେ ବିପଦ ମୁହଁରେ । ଏଭଳି ଏକ ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲାରୁ ।

POOR QUALITY OF CHATUA DISTRIBUTION (ETV Bharat Odisha)

ପୋକ ସାଲୁବାଲୁ ଛତୁଆ-ସୁଜି ହାଲୁଆ:-

ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ନିମ୍ନମାନର ଛତୁଆ ବଣ୍ଟନ ହୋଇଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସେତେବେଳେ ସିଡିପିଓ ସମ୍ପୃକ୍ତ ଗୋଷ୍ଠୀ ଉପରେ ଲୋକ ଦେଖାଣିଆ ବର୍ଷିଥିଲେ । ଏବେ ହାତୀନା ପଞ୍ଚାୟତର ହାତୀନା ସେକ୍ଟର-୨ ଅଧୀନରେ ଥିବା ୧୫ରୁ ଊର୍ଦ୍ଧ୍ଵ ଜଣ ପିଲାଙ୍କୁ ବଣ୍ଟାଯାଇଥିବା ଛତୁଆର ଦୃଶ୍ୟ ହିଁ ବୟାନ କରୁଥିଲା କିପରି ଉପାନ୍ତ ଅଞ୍ଚଳରେ ଚାଲିଛି ଶିଶୁମାନଙ୍କୁ ପୌଷ୍ଟିକ ଖାଦ୍ୟ ବଣ୍ଟନ । ଜୁନ ମାସରେ କେନ୍ଦ୍ରାପଡା ସହର ସମେତ ବ୍ଲକରେ ବଣ୍ଟନ ହୋଇଥିବା ସୁଜି ହାଲୁଆକୁ ଚାଲୁଣିରେ ଚଲାଇ ଦେବା ପରେ ସେଥିରୁ ବାହାରୁଛି ପୋକ ହିଁ ପୋକ ।

ଗର୍ଭବତୀ, ପ୍ରସୂତୀ ଏବଂ ଶିଶୁମାନଙ୍କ ଜୀବନ ସହ ଖେଳ:

କେନ୍ଦ୍ରାପଡା ସହରରେ ବସବାସ କରୁଥିବା ଗର୍ଭବତୀ, ପ୍ରସୂତୀ ଏବଂ ଶିଶୁମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ପୌଷ୍ଟିକ ଖାଦ୍ୟ ପାଇଁ ବାବା ଅଭିରାମ ନାମକ ଏକ ସ୍ୱୟଂ ସହାୟକ ଗୋଷ୍ଠୀ ଦୀର୍ଘବର୍ଷରୁ ଗହମ ଛତୁଆ, ସୁଜି ହାଲୁଆ, ବାଦାମ ଲଡୁ ଇତ୍ୟାଦି ଯୋଗାଇ ଦେଉଥିବାବେଳେ ଏହି ପୌଷ୍ଟିକ ଖାଦ୍ୟରୁ ବାହାରୁଛି ପୋକ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନାମା ସମ୍ବଳିତ ଶିଶୁମାନଙ୍କ ପାଇଁ ଯୋଗାଇ ଦିଆଯାଉଥିବା ପୁଷ୍ଟିକର ସୁଜି ହାଲୁଆର ପ୍ୟାକେଟ । ସରକାରଙ୍କ ଦ୍ବାରା ମିଳୁଥିବା ଏହି ପୁଷ୍ଟିକର ଖାଦ୍ୟ ପ୍ୟାକେଟର ଏକ ମାସ ମଧ୍ୟରେ ବ୍ୟବହାର କରିବା ପାଇଁ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ମାତ୍ର ପ୍ରସ୍ତୁତ ହୋଇଥିବା ପ୍ୟାକେଟରେ ଯେଉଁ ତାରିଖ ଓ ମାସ ପଡ଼ିଛି ତାହା ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

'ଛତୁଆର କୌଣସି ଫାଇଲ ମୋ ପାଖକୁ ଆସେ ନାହିଁ '

ସେପଟେ ବୁଦ୍ଧିଜୀବୀ କହିଛନ୍ତି ଯେ, ପ୍ରତ୍ୟେକ ମାସରେ ସରକାରୀ ଅଧିକାରୀ ଛତୁଆ ସେଣ୍ଟରଗୁଡିକ ବୁଲି ତଦାରଖ କରିବା ବ୍ୟବସ୍ଥା ଥିଲେ ସୁଦ୍ଧା ଅଧିକାରୀମାନେ ଅଫିସକୁ ଡକାଇ କେବଳ କାଗଜ କଲମରେ ଦସ୍ତଖତ କରି ନିଜର କାମ ସମାପନ କରୁଛନ୍ତି । ଏନେଇ ଜିଲ୍ଲାପାଳଙ୍କୁ ଅବଗତି କରାଯିବା ପରେ ସେ ଘଟଣାର ତଦନ୍ତ ଲାଗି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ଶେଷ ହେଲା ପରେ ପ୍ରତିକ୍ରିୟା ଦେବେ ବୋଲି ସେ ସୂଚନା ଦେଇଛନ୍ତି । ଏନେଇ ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ କହିଛନ୍ତି, "ଏହି ବିଷୟରେ ମୁଁ କିଛି କହିପାରିବି ନାହିଁ । ଛତୁଆର କୌଣସି ଫାଇଲ ମୋ ପାଖକୁ ଆସେନାହିଁ ।"

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶିଶୁମାନଙ୍କ ଛତୁଆ ଏବଂ ସୁଜି ହାଲୁଆ ଭଳି ପୌଷ୍ଟିକ ଖାଦ୍ୟ ଯୋଗାଇ ଦେବା ନିମନ୍ତେ କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି । କେବଳ କେନ୍ଦ୍ରାପଡ଼ା ଜିଲ୍ଲାରେ ଶିଶୁମାନଙ୍କୁ ପୌଷ୍ଟିକ ଆହାର ଯୋଗାଇବା ପାଇଁ ମାସରେ ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହି ଟଙ୍କାର ଉପଯୋଗ କିପରି ହେଉଛି ତାହା ଏହି ଦୃଶ୍ୟଗୁଡିକ ବୟାନ କରୁଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details