କଟକ:କୁବେର ତହସିଲଦାର ଗିରଫ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଭିଜିଲାନ୍ସ । ଆୟଠୁ 204 ପ୍ରତିଶତ ଅଧିକ ସମ୍ପତ୍ତି ରଖିଥିଲେ ସେ । ଭୁବନେଶ୍ୱର ଓ ବାଲେଶ୍ୱରରେ 3ଟି ଆଲିସାନ ଫ୍ଲାଟ ଠାବ ହୋଇଥିବା ବେଳେ ୯୩୭ ଗ୍ରାମ ସୁନା, ପୋଷ୍ଟାଲରେ ପ୍ରାୟ ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କା ମିଳିଛି ।
ରେମୁଣା ତହସିଲଦାର ଗିରଫ:
ଭିଜିଲାନ୍ସ ଏସପି ଏମ ରାଧାକୃଷ୍ଣଙ୍କ କହିବାନୁଯାୟୀ, ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ବର ଜିଲ୍ଲା ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କୁ ଭିଜିଲାନ୍ସ ଆଜି ଗିରଫ କରିଛି । ତାଙ୍କ ଠାରୁ ବିପୁଳ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ।
ଦୁଇ ଦିନ ଧରି ଚଢାଉ କରିଥିଲା ଭିଜିଲାନ୍ସ:
ଭିଜିଲାନ୍ସ ଏସପି ଏମ ରାଧାକୃଷ୍ଣ କହିଛନ୍ତି, ‘ବିଦ୍ୟାଧର ପତିଙ୍କ ନାଁରେ ଅନେକ ଅଭିଯୋଗ ଆସିଥିଲା । ତଦନ୍ତରେ ଆମେ ଜାଣିବାକୁ ପାଇଲୁ ସେ ବିଭିନ୍ନ ସ୍ଥାନରେ ଫ୍ଲାଟ ରଖିଛନ୍ତି । ତାଙ୍କ ନାଁରେ ବିଭିନ୍ନ ସ୍ଥାନରେ ସମ୍ପତ୍ତି ବ୍ୟାଙ୍କ ଡିପୋଜିଟ ଅଛି । ଏଥିପାଇଁ ଆମେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କୁ ସର୍ଚ୍ଚ ୱାରେଣ୍ଟ ଜାରି ପାଇଁ ଜଣାଇଥିଲୁ । ସର୍ଚ୍ଚ ୱାରେଣ୍ଟ ଜାରି ହେବା ପରେ ଆମେ, ଗତ ଫେବୃଆରୀ 11 ଓ 12 ତାରିଖରେ ଆମେ ତାଙ୍କର 7ଟି ଠିକଣାରେ ରେଡ କରିଥିଲୁ । ’
ଠାବ ସମ୍ପତ୍ତିର ତାଲିକା ଦେଲା ଭିଜିଲାନ୍ସ:
ସେ ଆହୁରି କହିଛନ୍ତି, 3ଟି ଦାମୀ ଫ୍ଲାଟ ଅଛି । ଭୁବନେଶ୍ବର ଓ ବାଲେଶ୍ବରରେ ଏହି 3ଟି ଫ୍ଲାଟ ରହିଛି । 42 ଲକ୍ଷର ପୋଷ୍ଟାଲ ଡିପୋଜିଟ ମିଳିଥିଲା । ଘରୁ ଏବଂ ବ୍ୟାଙ୍କ ଲକରୁ 937 ଗ୍ରାମର ସୁନା, ଗୋଟିଏ କାର, ବୁଲେଟ ଓ ସ୍କୁଟି ମଧ୍ୟ ଠାବ ହୋଇଥିଲା । ଏହାସହ 2022ରୁ ବର୍ତ୍ତମାନ ପର୍ଯ୍ୟନ୍ତ ପୋଷ୍ଟାଲ ଡିପୋଜିଟ ପ୍ରାୟ ଏକ କୋଟି ଟଙ୍କା ଡିପୋଜିଟ ହୋଇଛି । ଏକ ବ୍ୟାଙ୍କରେ 50 ଲକ୍ଷର କ୍ୟାସ ଡିପୋଜିଟ ହୋଇଛି । ପ୍ରାୟ ଦେଢ କୋଟି ଟଙ୍କା ଟଙ୍କା ଡିପୋଜିଟ କରିଛନ୍ତି ଏଇ ସମୟ ମଧ୍ୟରେ । ଆମେ ସନ୍ଦେହ କରୁଛୁ ଏସବୁ ଟଙ୍କା ସେ ବିଭିନ୍ନ ସୁତ୍ରରୁ ଲାଞ୍ଚ ଆକାରରେ ସଂଗ୍ରହ କରିଥାଇପାରନ୍ତି । ସେ ତାଙ୍କ ସମ୍ପତ୍ତିର 204 ପ୍ରତିଶତ ଅଧିକ ଟଙ୍କା ରଖିଥିଲେ । ଆମେ ଭିଜିଲାନ୍ସ PS case 1/25 ରେଜିଷ୍ଟ୍ରେସନ କରି ତାଙ୍କୁ କୋର୍ଟ ଚାଲାଣ କରିଛୁ ।