ଭୁବନେଶ୍ବର:ସାବଧାନ ! ଏଣିକି ନିୟମିତ ଯାଞ୍ଚ ହେବ ସ୍କୁଲ ବସ୍ । ଖିଲାପକାରୀଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏନେଇ ସମସ୍ତ ଆରଟିଓଙ୍କୁ ଚିଠି ଲେଖିଛନ୍ତି ପରିବହନ କମିସନର । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । ସ୍କୁଲ ବସରେ Fire Detection Alarm System (FDAS), Fire Detection Suppression System (FDSS) ଓ Fire Alarm Protection System (FAPS) ବ୍ୟବସ୍ଥା ଆବଶ୍ୟକ ଭାବେ ଲାଗୁ କରିବାକୁ ବାଧ୍ୟତାମୂଳକ ନିୟମ ରହିଛି ।
ଅଗ୍ନି ଅଘଟଣ ରୋକିବା ଓ ମୁକାବିଲା ଦିଗରେ ଏହା ସହାୟକ ହୋଇଥାଏ । ତେଣୁ ବସରେ ଯାତ୍ରା କରୁଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ । କେନ୍ଦ୍ରୀୟ ମୋଟର ଯାନ ଆଇନ 1989ର ନିୟମ 125C ଅନୁସାରେ ସମସ୍ତ ସ୍କୁଲ ବସରେ AIS 135 ଆଧାରରେ ଏହି ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗୁଡ଼ିକ ସଠିକ୍ ଭାବେ ଅନୁପାଳନ ହେବା ଆବଶ୍ୟକ । ସମସ୍ତ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ସହ ଅନୁବନ୍ଧିତ ହୋଇ ଛାତ୍ରଛାତ୍ରୀଙ୍କୁ ପରିବହନ କରୁଥିବା ବସ୍ ମାଲିକମାନେ ଏହି ନିୟମର ସମ୍ପୂର୍ଣ୍ଣ ଭାବରେ ଅନୁପାଳନ କରିବା ଆବଶ୍ୟକ । ତେବେ ଏହା ଠିକ୍ ଭାବେ ପାଳନ ହେଉଛି କି ନାହିଁ ଏନେଇ ଅନେକ ସମୟରେ ଯାଞ୍ଚ କରାଯାଇଛି । ଆଗକୁ ଏହାକୁ ଅଧିକ ବ୍ୟାପକ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।
ଏନେଇ ସ୍କୁଲ ବସ୍ ଗୁଡ଼ିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଉପରେ ତୀକ୍ଷ୍ଣ ନଜର ରଖାଯିବ ସୂଚନା ମିଳିଛି । ସମସ୍ତ ଜୋନ୍ ଉପ ପରିବହନ ଆୟୁକ୍ତ ଏବଂ ଆଞ୍ଚଳିକ ପରିବହନ ଅଧିକାରୀମାନେ ନିୟମିତ ଭାବେ ଏହାର ଯାଞ୍ଚ କରିବେ । କୌଣସି ସ୍କୁଲ ବସ୍ ଏହାର ଉଲ୍ଲଙ୍ଘନ କଲେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ପରିବହନ କମିସନର ନିର୍ଦ୍ଦେଶ ଦେଇଛନ୍ତି । ନିୟମ ଉଲ୍ଲଙ୍ଘନ କରୁଥିବା ବସ୍ ଗୁଡ଼ିକର ଫିଟନେସ୍ ସାର୍ଟିଫିକେଟ ରଦ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।