ଓଡିଶା

odisha

ETV Bharat / state

ଶ୍ରୀମନ୍ଦିରରେ ଅଣାୟତ ଗହଳି; ଆଇନ ମନ୍ତ୍ରୀ କହିଲେ ରଜ ଛୁଟି ପାଇଁ ବଢିଛି ଭିଡ଼ - Crowd Managament

Crowd Managament: ଚାରିଦ୍ୱାର ଖୋଲିବା ପରେ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ପ୍ରତିଦିନ ଏକାଧିକ ଭକ୍ତ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହେଉଥିବା ଖବର ଆସୁଛି । ଜାଣନ୍ତୁ ଏନେଇ କ'ଣ କହୁଛନ୍ତି ମୁଖ୍ୟ ଶାସନ ସଚିବ ଓ ଆଇନ ମନ୍ତ୍ରୀ,

Crowd Managament
Crowd Managament (ETV Bharat Odisha)

By ETV Bharat Odisha Team

Published : Jun 16, 2024, 7:04 PM IST

ଭୁବନେଶ୍ବର:ଶ୍ରୀମନ୍ଦିରରେ ଗତ ଦୁଇ ଦିନ ହେବ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି । ଯାହାକି ନିୟନ୍ତ୍ରଣ ବାହାରେ ରହିଛି । ଚାରିଦ୍ୱାର ଖୋଲିବା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ଓ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ରଜ ଲାଗି ଛୁଟି ଥିବାରୁ ଶ୍ରୀମନ୍ଦିରରେ ଭିଡ଼ ବଢିଥିବା ଆଇନ ମନ୍ତ୍ରୀ କହିଛନ୍ତି । ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ଲାଗି ବ୍ୟବସ୍ଥା କରାଯାଉଥିବା ଉଭୟ କହିଛନ୍ତି ।

Crowd Managament (ETV Bharat Odisha)

ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ମହାପ୍ରଭୁଙ୍କ ସଂସ୍କୃତି ଓ ନୀତିକାନ୍ତିର ସୁରକ୍ଷା ଲାଗି ଯାହା ଯାହା ଆବଶ୍ୟକତା ରହିଛି, ସମସ୍ତଙ୍କ ସହଯୋଗରେ ଠିକଣା ଢଙ୍ଗରେ କରାଯିବ । ସେଥିପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ । ଶ୍ରୀମନ୍ଦିରରେ ବର୍ତ୍ତମାନ ଭିଡ଼କୁ ନେଇ କୌଣସି ସମସ୍ୟା ନାହିଁ । ଲଗାତାର ଭାବେ 3ରୁ 4ଦିନ ଛୁଟି ଥିବାରୁ ସ୍ୱାଭାବିକ ଭାବରେ ଭିଡ ବଢିଥିଲା । ଭିଡ଼ ନିୟନ୍ତ୍ରଣ ଭିତରେ ଅଛି । କୌଣସି ପ୍ରକାର ଅସୁବିଧା ହୋଇନାହିଁ ।"

ସେ ଆହୁରି ମଧ୍ୟ କହିଛନ୍ତି, "ଶ୍ରୀମନ୍ଦିରରେ ସ୍ୱାଭାବିକ ଅବସ୍ଥା ରହିଛି । ନୀତିକାନ୍ତି ଠିକ ସମୟରେ ହୋଇଛି । ଏହି ପ୍ରକ୍ରିୟାକୁ ଠିକ ଢଙ୍ଗରେ ଚଳାଇବା ଆମ ସମସ୍ତଙ୍କର କର୍ତ୍ତବ୍ୟ । ସରକାର, ସେବାୟତ, ପ୍ରଶାସନ, ଭକ୍ତ ମିଳିତ ଭାବେ କାର୍ଯ୍ୟ କରିବେ । ଆଗାମୀ ଦିନରେ ଭିତର ଭିଡ଼ ମଧ୍ୟ ନିୟନ୍ତ୍ରଣ ହେବ ଓ ମହାପ୍ରଭୁଙ୍କ ଦର୍ଶନ ଆହୁରି ଶୃଙ୍ଖଳିତ ହେବ । ପ୍ରଥମ ଦୁଇ ଦିନ ଭିଡ଼ ଅପ୍ରତ୍ୟାଶିତ ଥିଲା । ଆଜିଠୁ ଭିଡ଼ ମଧ୍ୟ ଶୃଙ୍ଖଳିତ ହେବା ଆରମ୍ଭ ହୋଇଛି । କିଛି ଅସୁବିଧା ହେବନାହିଁ । ସମସ୍ତେ ଯତ୍ନବାନ ଅଛନ୍ତି ।"

ସେହିପରି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି, "ଗତ ଦୁଇ ଦିନ ଧରି ପୁରୀରେ ବହୁତ ଭିଡ ହେଉଛି । ତା'ର କାରଣ ହେଉଛି ରଜ ଛୁଟି । ପହିଲି ରଜ ଓ ରଜ ସଂକ୍ରାନ୍ତିରେ ଭିଡ଼ ଅଧିକ ହୋଇଛି । ମୁଁ ଗତକାଲି(ଶନିବାର) ପୁରୀରେ 5 ଘଣ୍ଟା ଥିଲି । ସନ୍ଧ୍ୟା 6 ରୁ ରାତି 11 ପର୍ଯ୍ୟନ୍ତ ପୁରୀରେ ସ୍ଥିତି ସମୀକ୍ଷା କରୁଥିଲି । ମୁଁ ନିଜେ ଦେଖିଛି, ବହୁତ ଲୋକ ଆସୁଥିବାରୁ ଅସମ୍ଭବ ଭିଡ଼ ହୋଇଛି । ଆଜିଠାରୁ ଦର୍ଶନ ଆଉ ଟିକେ ଶୃଙ୍ଖଳିତ କରିବା ଲାଗି ବ୍ୟବସ୍ଥା କରିଛୁ । ଅଧିକ ପୋଲିସ ଆଜିଠୁ ନିୟୋଜିତ ହୋଇଛନ୍ତି ।"

ଏହା ବି ପଢନ୍ତୁ...ଶେଷ ରଜ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼, ଅବ୍ୟବସ୍ଥାକୁ ନେଇ ଭକ୍ତଙ୍କ ଅସନ୍ତୋଷ - Flock of Devotees At Srimandira

ସେ ଏହା ମଧ୍ୟ କହିଛନ୍ତି, "ପହରଦିନରୁ ସ୍କୁଲ ଓ କଲେଜ ଖୋଲିବ । ତେଣୁ ଭିଡ଼ ନିଶ୍ଚୟ କମିବ । ପୋଲିସ ଓ ମନ୍ଦିର ପ୍ରଶାସନ ଭିଡ଼ ନିୟନ୍ତ୍ରଣ କାର୍ଯ୍ୟ କରିବେ । ଗତକାଲି ରାତିରୁ ଅତିରିକ୍ତ ପୋଲିସ ଡିଜି ଆଇନ ଶୃଙ୍ଖଳା ସଞ୍ଜୟ କୁମାର ନିୟୋଜିତ ଅଛନ୍ତି । ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ସେଠାକୁ ଯାଉଛନ୍ତି । ମନ୍ଦିର ଭିତର ଭିଡକୁ ସୁପରିଚାଳିତ କରିବା ଲାଗି ପ୍ଲାନ ହେଉଛି । ସ୍ଥିତି ସୁଧାର ହେବ ବୋଲି ଆଶା ରହିଛି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details