ପୁରୀ:ଆଗାମୀ ଜୁଲାଇ ୭ ତାରିଖରେ ମହାପ୍ରଭୁଙ୍କ ରଥଯାତ୍ରା । ଏଥିପାଇଁ ମହାପ୍ରଭୁଙ୍କ ରଥ ନିର୍ମାଣରେ ଲାଗିପଡିଛନ୍ତି ରଥ ନିର୍ମାଣକାରୀ ସେବକ । ତିନି ରଥର ଦଣ୍ଡାରେ ଖଦୀ ଓରା ପଡ଼ି, କାପ ବିନ୍ଧ ଶେଷ ସହ ତିନି ରଥର ଦ୍ୱିତୀୟ ଭୂଇଁ ଫ୍ରେମ ନିର୍ମାଣ ଶେଷ ହୋଇସାରିଛି । ତିନି ରଥର ମୁଖ୍ୟ ମହାରଣାଙ୍କ ଉପସ୍ଥିତିରେ ସହଯୋଗୀ ମହାରଣା ଏବଂ ଭୋଇ ସେବକ ମାନେ ମିଶି ତିନି ରଥରେ ଚଉଦ ନାହାକା ଖମ୍ବିି ଗୁଡ଼ିକୁ ପ୍ରତି ରଥର ଚାରି ନାହାକା ଠାରୁ ଅଢେଇ ଫୁଟ ବ୍ୟବଧାନରେ ଚାରି ନାହାକା ଚାରି ପାର୍ଶ୍ୱରେ ବୁଲିବା ସହ ପ୍ରଥମ ଭୂଇଁ ଛ' କାଠିରେ ପାଖୁଡ଼ା ସଂଯୋଗ ହୋଇ, ତିନି ରଥରେ ମଝି ଭୂଇଁ ବା ଦ୍ୱିତୀୟ ଭୂଇଁ ଫ୍ରେମ ସଂଯୋଗ ହୋଇଛି ।
ଏଥିସହ ରଥ ଚାଳିରେ ତିନି ରଥର ତୃତୀୟ ଭୂଇଁ ବା ଅଗ ଭୂଇଁ ଫ୍ରେମ ନିର୍ମାଣ ଶେଷ ହୋଇଛି । ଅଗ ଭୂଇଁ ଫ୍ରେମ ୪ଟି ଚଉତା ବର୍ଗାକାର ରେ ସଂଯୋଗ ହୋଇ ତାର ଚାରି କୋଣରେ ୪ଟି ଭୂଇଁ ଗୋଡ ଉଠି ଭୂଇଁ ର ଚାରି ପଟେ, ପ୍ରତି ପାର୍ଶ୍ୱରେ ୬ଟି ଲେଖାଏଁ ଛିଆଣ ସଂଯୋଗ ହୋଇ ତୃତୀୟ ଭୂଇଁ ଫ୍ରେମ ନିର୍ମାଣ ଶେଷ ହୋଇଛି । ଏଥିସହ ତିନି ରଥର ୪ ଗୋଟି ଲେଖାଏଁ କତରା ନିର୍ମାଣ ଶେଷ ହୋଇଛି ।
ସେପଟେ ମହାରଣା ସେବକ ମାନେ ତିନି ରଥର ଗୋଟିଏ ଗୋଟିଏ ଧୂଳି ଦଣ୍ଡା ଚଉପଟ କରି ରୂପକାର ସେବକ ମାନଙ୍କୁ ଯୋଗାଇ ଦେଇଛନ୍ତି । ରୂପକାର ସେବକ ମାନେ ସେଥିରେ ୫ଟି ଲେଖାଏଁ ପଦ୍ମ ଫୁଲ ,ଏବଂ ଦୁଇ ପାର୍ଶ୍ୱରେ ପଦ୍ମ କଢି ଖୋଦେଇ କରିବେ।ରୂପକାର ସେବକ ମାନେ ତିନି ରଥର ନାଟ ଗୋଡ଼ରେ ରାହୁ ରୂପ ଖୋଦେଇ ସହ ଧୂଳି ଦଣ୍ଡା ରେ ପଦ୍ମ ଫୁଲ, ପଦ୍ମ କାଢି ଖୋଦେଇ ଜାରି ରଖିଛନ୍ତି ।