ଓଡିଶା

odisha

ETV Bharat / state

ଜୁନ୍‌ ୨୭ରେ ରଥଯାତ୍ରା, ପୁରୀର ୩୪୩ ସ୍ଥାନରେ ଲାଗିବ ସିସିଟିଭି - RATH YATRA 2025

ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ନେଇ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ଲୋକସେବା ଭବନରେ ଅନୁଷ୍ଠିତ । ରଥଯାତ୍ରାରେ କାର୍ଯ୍ୟ କରିବ ସମନ୍ୱିତ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ପରିଚାଳନା କେନ୍ଦ୍ର ।

Rath Yatra preparation meetin
Rath Yatra preparation meetin (ETV BHARAT ODISHA)

By ETV Bharat Odisha Team

Published : Feb 25, 2025, 10:23 PM IST

ଭୁବନେଶ୍ବର: ଚଳିତ ବର୍ଷ ଜୁନ୍‌ ୨୭ ତାରିଖରେ ଅନୁଷ୍ଠିତ ହେବ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏନେଇ ଆଜି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିଲା ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ । ଆଗାମୀ ରଥଯାତ୍ରା ପରିପ୍ରେକ୍ଷୀରେ ସମ୍ଭାବ୍ୟ ଭିଡ଼ ନିୟନ୍ତ୍ରଣକୁ ଦୃଷ୍ଟିରେ ଏହାର ସୁପରିଚାଳନା ଓ ସୁବ୍ୟବସ୍ଥା ନିମନ୍ତେ ପ୍ରସ୍ତୁତି ନେଇ ଆଲୋଚନା ହୋଇଛି ।

ଜୁନରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା:

ପୋଲିସ ଡିଜି ଓ୍ୱାଇ.ବି ଖୁରାନିଆ କହିଛନ୍ତି, "ଲୋକଙ୍କ ଧାର୍ମିକ ଭାବନା ବୃଦ୍ଧି ପାଉଛି । ଆଗାମୀ ରଥଯାତ୍ରାରେ ଗତବର୍ଷ ଅପେକ୍ଷା ଅଧିକ ଜନଗହଳି ଆଶା କରାଯାଉଛି । ଏଥିପାଇଁ ଏବେଠାରୁ ଯଥେଷ୍ଟ ପ୍ରସ୍ତୁତି କରିବାର ଆବଶ୍ୟକତା ରହିଛି । ବୈଠକରେ ଯାନବାହନ ପରିଚାଳନା ଓ ପାର୍କିଂ ବ୍ୟବସ୍ଥା ଆଦି ସଂପର୍କରେ ଆଲୋଚନା କରାଯାଇଛି ।" ଚଳିତ ବର୍ଷ ଦେବସ୍ନାନ ପୂର୍ଣ୍ଣିମା ଜୁନ ୧୧, ଶ୍ରୀଗୁଣ୍ଡିଚା ଯାତ୍ରା ଜୁନ ୨୭, ବାହୁଡା ଯାତ୍ରା ଜୁଲାଇ ୫ ଓ ସୁନାବେଶ ଜୁଲାଇ ୬ ତାରିଖରେ ଅନୁଷ୍ଠିତ ହେବ ।

୩୪୩ ସ୍ଥାନରେ ଲାଗିବ ସିସିଟିଭି:

Rath Yatra preparation meeting (ETV BHARAT ODISHA)

ପୁରୀ ଦେଶର ପ୍ରମୁଖ ଧାର୍ମିକ ଓ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ରଥଯାତ୍ରା ସମେତ ଅନ୍ୟ ସମୟରେ ମଧ୍ୟ ବର୍ଷସାରା ବହୁ ସଂଖ୍ୟାରେ ଜନସାଧାରଣ ଓ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ । ଶ୍ରୀଜଗନ୍ନାଥ ମନ୍ଦିର, ପୁରୀ ବଡଦାଣ୍ଡ ଏବଂ ବେଳାଭୂମିରେ ନିୟମିତ ଭାବେ ଭିଡ଼ ଦେଖାଦେଇଥାଏ । ରଥଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ମଧ୍ୟ ଭିଡ଼ ପରିଲକ୍ଷିତ ହୋଇଥାଏ । ତେଣୁ ଟ୍ରାଫିକ ପରିଚାଳନା ଓ ଭିଡ଼ ନିୟନ୍ତ୍ରଣ କରିବା, ଅପରାଧ ରୋକିବା ଓ ଆଇନଶୃଙ୍ଖଳା ପରିଚାଳନା ପାଇଁ ରିୟଲ ଟାଇମ ମନିଟରିଂ ଦୃଷ୍ଟିରୁ ପୁରୀକୁ ସଂଯୋଗ କରୁଥିବା ରାସ୍ତା, ପୁରୀ ସହର, ବଡ଼ଦାଣ୍ଡ ଓ ପୁରୀ ବେଳାଭୂମି ଆଦି ପ୍ରମୁଖ ୩୪୩ ସ୍ଥାନରେ ସିସିଟିଭି ସ୍ଥାପନ ପାଇଁ ପୁଲିସ ପ୍ରଶାସନ ତରଫରୁ ପ୍ରସ୍ତାବ ଦିଆଯାଇଛି ।

ଏସଓପି ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ:

Rath Yatra preparation meeting (ETV BHARAT ODISHA)


ଉତ୍ତରା ଛକରୁ ମାଳତୀପାଟପୁର, ପୁରୀ ଗ୍ରୀଡ ଷ୍ଟେସନରୁ କୋଣାର୍କ, ବାଲିଘାଇରୁ ନିମାପଡ଼ା, ମଙ୍ଗଳାଘାଟରୁ ସାତପଡ଼ା, ମାଳତିପାଟପୁରରୁ ମଙ୍ଗଳାଘାଟ, ମଙ୍ଗଳାଘାଟରୁ ବଡଦାଣ୍ଡ, ପୁରୀ ବଡ଼ଦାଣ୍ଡ, ବଡ଼ଦାଣ୍ତରୁ ସମୁଦ୍ରକୂଳ, ସମୁଦ୍ରକୂଳ ଅଞ୍ଚଳ, ବଡଦାଣ୍ଡରୁ ଗ୍ରୀଡ ଷ୍ଟେସନ, ପାର୍କିଂ ସ୍ଥଳ, ବସଷ୍ଟାଣ୍ଡ ଓ ରେଳ ଷ୍ଟେସନ ସହିତ ପୁରୀ ସହରର ଗଳି ଓ ଉପଗଳି ଆଦିରେ ବିଭିନ୍ନ ସ୍ଥାନରେ ଏହି ସମସ୍ତ ସିସିଟିଭି ଲଗାଯିବା ପାଇଁ ପ୍ରସ୍ତାବ ରଖାଯାଇଛି । ଏଥି ପାଇଁ ଭିତ୍ତିଭୂମି ଓ ବୈଷୟିକ ଆବଶ୍ୟକତା ସଂପର୍କରେ ବୈଠକରେ ଆଲୋଚନା ହୋଇଛି । ସିସିଟିଭି ବ୍ୟବସ୍ଥା ଯେପରି ଜାତୀୟସ୍ତରୀୟ ହେବ, ସେଥିପ୍ରତି ଭିତ୍ତିଭୂମି ପ୍ରସ୍ତୁତି ଓ ବୈଷୟିକ ଜ୍ଞାନ କୌଶଳର ଉପଯୋଗ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି । ଏଥି ସହିତ ରଥଯାତ୍ରା ପରିଚାଳନା ସଂପର୍କିତ ସମସ୍ତ କାର୍ଯ୍ୟ ପ୍ରସ୍ତୁତି ପାଇଁ ଏସଓପି ପ୍ରସ୍ତୁତି କରିବାକୁ ପୋଲିସ ପ୍ରଶାସନ ଓ ପୁରୀ ଜିଲ୍ଲାପାଳଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ...

ଶ୍ରୀମନ୍ଦିରରେ ଭିଡ଼ ନିୟନ୍ତ୍ରଣ କରିବ AI କ୍ୟାମେରା, ଖୁବଶୀଘ୍ର ଲଗାଯିବାକୁ ନିଷ୍ପତ୍ତି

ଶ୍ରୀମନ୍ଦିରରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ, ସବୁଠି ସ୍ବାଗତ

ଏହା ମଧ୍ୟ ପଢନ୍ତୁ-ଏଥର ରଥଯାତ୍ରା ଭିଡ ଜଗିବ AI କ୍ୟାମେରା - PURI RATH YATRA 2025

ସମନ୍ୱିତ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ପରିଚାଳନା କେନ୍ଦ୍ର:

ବୈଠକରେ ଆଗାମୀ ରଥଯାତ୍ରା-୨୦୨୫ ପରିପ୍ରେକ୍ଷୀରେ ସମନ୍ୱିତ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ପରିଚାଳନା କେନ୍ଦ୍ର କାର୍ଯ୍ୟ କରିବ । ବିଭିନ୍ନ ବିଭାଗର ଅଧିକାରୀମାନେ ସେହି ନିୟନ୍ତ୍ରଣ କକ୍ଷରେ ରହି ବିଭାଗ ସମ୍ପର୍କିତ କାର୍ଯ୍ୟ ପରିଚାଳନା କରିବେ । ସିସିଟିଭି ସ୍ଥାପନ ଓ ସମନ୍ୱିତ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ଦ୍ୱାରା ସୁରକ୍ଷା, ଅପରାଧ ନିୟନ୍ତ୍ରଣ, ଭିଡ଼ ନିୟନ୍ତ୍ରଣ, ଆକସ୍ମିକ ଦୁର୍ଘଟଣା ଘଟିଲେ ଠିକ୍‌ ସମୟରେ ତ୍ୱରିତ ପଦକ୍ଷେପ ନିଆଯିବ । ଏହା ସହ ସମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା ଓ ଜରୁରୀ କାଳୀନ ପଦକ୍ଷେପ ନିଆଯାଇପାରିବ ।

ଶୃଙ୍ଖଳିତ ରଥଯାତ୍ରା ପ୍ରସ୍ତୁତି:

Rath Yatra preparation meeting (ETV BHARAT ODISHA)


ପୁରୀ ଜିଲ୍ଲାପାଳ ଓ ଏସପି ଗତବର୍ଷ ରଥଯାତ୍ରାରେ ପୁରୀରେ ଗହଳି ଓ ଭିଡ଼ ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ ପୂର୍ବ ଅନୂଭୂତି ଉପସ୍ଥାପନା କରିଛନ୍ତି । ଏହା ସହିତ ଓ ଆଗାମୀ ରଥଯାତ୍ରା ପାଇଁ ପ୍ରସ୍ତୁତି ସଂପର୍କରେ ତଥ୍ୟ ରଖିଛନ୍ତି । ଉପସ୍ଥିତ ବରିଷ୍ଠ ପଦାଧିକାରୀ ମଧ୍ୟ ଆଗାମୀ ଶୃଙ୍ଖଳିତ ରଥଯାତ୍ରା ପ୍ରସ୍ତୁତି ନେଇ ନିଜ ନିଜର ସୁଚିନ୍ତିତ ମତ ଦେଇଛନ୍ତି । ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି, "ସମନ୍ୱିତ ଡାକବାଜି ଯନ୍ତ୍ର ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି । ଚନ୍ଦନ ଯାତ୍ରାରୁ ଆରମ୍ଭ କରି ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ରଥଯାତ୍ରା ସମୟର ସମେତ କାର୍ଯ୍ୟକ୍ରମକୁ ସବୁ ବିଭାଗର ସମନ୍ୱୟରେ ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହେବ । ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ରହିବ ।''

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିଲା ବୈଠକ । ରାଜ୍ୟ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ରାଜ୍ୟ ପୋଲିସ ଡିଜି ଓ୍ୱାଇ.ବି ଖୁରାନିଆଙ୍କ ସମେତ ପୁରୀ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ପୁରୀ ଏବଂ ରାଜ୍ୟ ପୁଲିସ ପ୍ରଶାସନର ଅନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । ଆଗାମୀ ରଥଯାତ୍ରା ପରିପ୍ରେକ୍ଷୀରେ ସମ୍ଭାବ୍ୟ ଜନଗହଳି ଓ ଭିଡ଼ ନିୟନ୍ତ୍ରଣକୁ ଦୃଷ୍ଟିରେ ଏହାର ସୁପରିଚାଳନା ଓ ସୁବ୍ୟବସ୍ଥା ନିମନ୍ତେ ପ୍ରସ୍ତୁତି ନେଇ ଆଲୋଚନା ହୋଇଛି ।

ABOUT THE AUTHOR

...view details